ଜମ୍ମୁ ଓ କଶ୍ମୀର : ପୁଣି ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ କଲେ ଆତଙ୍କବାଦୀ, ୩ ଆହତ

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ପୁଣି ଥରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛନ୍ତି । ଗୁରୁବାର ରାତିରେ ସୋପିଆନ ଜିଲ୍ଲାରେ ୩ ଜଣ ଅଣକାଶ୍ମୀର ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରିଛନ୍ତି । ଏହି ଗୁଳିକାଣ୍ଡରେ ଆହତ ହୋଇଥିବା ଶ୍ରମିକମାନେ ହେଲେ ଅନମୋଲ, ହୀରାଲାଲ ଓ ପିଣ୍ଟୁ । ସେମାନେ ବିହାରର ବାସିନ୍ଦା ବୋଲି ଜଣାପଡିଛି । ସେମାନଙ୍କୁ ଏକ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ପରେ ପୁଲିସ ଓ ସେନା ଯବାନମାନେ ସୋପିଆନର ଗାଗରାନଙ୍କୁ ଘେରାଉ କରିଥିଲେ। ଗୁଳି କରିଥିବା ଆତଙ୍କବାଦୀଙ୍କୁ ଧରିବାକୁ ସୁରକ୍ଷା ବାହିନୀ ପକ୍ଷରୁ ଏକ ବଡ଼ଧରଣର କମ୍ବିଂ ଅପରେସନ ଆରମ୍ଭ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାତି ପ୍ରାୟ ୮ଟା ୪୫ ମିନିଟ୍ ରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଧରି ଉକ୍ତ ପ୍ରବାସୀ ଶ୍ରମିକଙ୍କ ଭଡ଼ା ଘରେ ପଶି ଗୁଳି ଚଳାଇଥିଲେ । ଫଳରେ ଉକ୍ତ ୩ ଶ୍ରମିକଙ୍କ ସହ ସ୍ଥାନୀୟ ଆଇନଜୀବୀ ଗଗରାନ ବାସିନ୍ଦା ଇର୍ଶାଦ ହୁସେନ୍ ସୋଫି ଆହତ ହୋଇଥିଲେ। ଆହତ ଶ୍ରମିକମାନଙ୍କୁ ନିକଟସ୍ଥ ଜିଲ୍ଲା ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା ଯେଉଁଠାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଏସଏମଏଚଏସ ଶ୍ରୀନଗରକୁ ସ୍ଥାନାନ୍ତର କରାଯାଇଥିଲା।

ଗତ କିଛି ବର୍ଷ ହେଲା କଶ୍ମୀରର ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକମାନଙ୍କୁ ନିୟମିତଭାବେ ଆକ୍ରମଣ କରିବାରେ ଲାଗିଛନ୍ତି । ଏହା ସହିତ ସେମାନେ କଶ୍ମୀର ପଣ୍ଡିତମାନଙ୍କୁ ବି ହତ୍ୟା କରୁଛନ୍ତି ।ଲ

Spread the love