ବର୍ଷା-ଅନୁଭବ ମାମଲା: ସେପ୍ଟେମ୍ବର ୫ରେ ପରବର୍ତ୍ତୀ ଶୁଣାଣି

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ତରଫରୁ ଦାୟର ଅଦାଲତ ଅବମାନନା ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ୍‌ କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଅନୁଭବ ଓ ବର୍ଷାଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ସେପ୍ଟେମ୍ବର୍‌ ୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଛାଡ଼ପତ୍ର ମାମଲାରେ ୨୦୨୨, ଜୁଲାଇ ୧୧ରେ ଅନୁଭବଙ୍କୁ ବର୍ଷାଙ୍କ ତରଫରୁ ଆଇନଜୀବୀ ଅଧିକ ଜେରା କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ବର୍ଷାଙ୍କ ତରଫରୁ କେହି ଉପସ୍ଥିତ ନଥିବାରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ କରିବାକୁ କଟକ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଅନୁଭବଙ୍କୁ ପୁଣି ଜେରା ପାଇଁ ଅନୁମତି ଲୋଡ଼ି ଏବଂ ଜୁଲାଇ ୧୧ର ନିର୍ଦ୍ଦେଶକୁ ପ୍ରତ୍ୟାହାର ପ୍ରସଂଗ ନେଇ ବର୍ଷାଙ୍କ ତରଫରୁ ଦାୟର ଆବେଦନକୁ ପରିବାର ଅଦାଲତ ୨୦୨୨, ଅଗଷ୍ଟ ୧୬ରେ ଖାରଜ କରିଥିଲେ। ପରିବାର ଅଦାଲତଙ୍କ ଏହି ନିର୍ଦ୍ଦେଶକୁ ବିରୋଧ କରି ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାର ୨୦୨୨, ସେପ୍ଟେମ୍ବର୍‌ ୭ରେ ହାଇକୋର୍ଟରେ ଶୁଣାଣି ସମୟରେ ଅନୁଭବଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଆବେଦନକାରୀ ବର୍ଷା ନିମ୍ନ ଅଦାଲତ ରେକର୍ଡରେ ଅଦଳବଦଳ କରିଛନ୍ତି।

ଅନ୍ୟପକ୍ଷରେ ଏହି ମାମଲା ପ୍ରତ୍ୟାହାର ପାଇଁ ବର୍ଷାଙ୍କ ତରଫରୁ ନିବେଦନ କରାଯାଇଥିଲା। ହାଇକୋର୍ଟ ମାମଲା ପ୍ରତ୍ୟାହାର ପାଇଁ ଅନୁମତି ଦେଇଥିଲେ। ପରିବାର ଅଦାଲତରେ ରେକର୍ଡରେ ଜ‌ାଲିଆତି ନେଇ ରହିଥିବା ଅଭିଯୋଗ ପ୍ରସଂଗକୁ ଅନୁଭବ ଉଠାଇ ପାରିବେ ବୋଲି ହାଇକୋର୍ଟ କହିଥିଲେ। ପରବର୍ତ୍ତୀ ସମୟରେ ୨୦୨୩, ଫେବ୍ରୁଆରିରେ ଅନୁଭବ ଏହି ପ୍ରସଂଗ ନେଇ ବର୍ଷାଙ୍କ ବିରୋଧରେ ହାଇକୋର୍ଟରେ ଅଦାଲତ ଅବମାନନା ରୁଜୁ କରିଥିଲେ। ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଶାଶ୍ବତ ଆଚାର୍ଯ୍ୟ, ଚନ୍ଦନା ମିଶ୍ର, ଜାଗୃତି ସାହୁ ସହାୟତା କରୁଛନ୍ତି।

Spread the love