ବନ୍ୟାରେ ଭାସିଗଲେ ଲକ୍ଷାଧିକ ମାଛ ଓ ଯାଆଁଳ, ବିପୁଳ କ୍ଷତି ସହିଲେ ଚାଷୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାତାର ତିନି ଦିନ ଧରି ବର୍ଷା ଲାଗି ରହିଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲଗାଣ ବର୍ଷା ଯୋଗୁଁ ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଚାଷ ଜମିରେ ପାଣି ଜମି ରହିଥିଲା। ଏଥିସହ ମାଛ ଚାଷ କରୁଥିବା‌ ପୋଖରୀଗୁଡିକରେ ବର୍ଷା ଜଳ ପଶି ଲକ୍ଷାଧିକ ମାଛ ଓ ଯାଆଁଳ ଭାସି ଯାଇଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପୋଖରୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯାଅଁଳା ବିକ୍ରି ପାଇଁ ରଖିଥିବା ବେପାରୀମାନେ ବହୁ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ମାଛ ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ଚାଷୀମାନ‌େ ବହୁ କ୍ଷତି ସହିବେ ଜଣାପଡିଛି।

ମାଲକାନଗିରି ଜିଲ୍ଲାରେ ସମସ୍ତ ବ୍ଲକରେ ବହୁ ପରିମାଣରେ ମାଛ ଚାଷ କରାଯାଉଛି। ବର୍ଷା ଆରମ୍ଭ ହୋଇ ପୋଖରୀରେ ପାଣି ହେଲେ ମାଛ ଚାଷ ପାଇଁ ପାଗ ଅନୁକୂଳ ହୋଇଥାଏ। ଏହି ସମୟରେ ପୋଖରୀରେ ମାଛ ଯାଆଁଳ ଛାଡି ତାହାକୁ ଖାଦ୍ୟ ଦେବା ଦ୍ବାରା ବର୍ଷ ସାରା ଚାଷୀମାନ‌େ ମାଛ ବିକ୍ରି କରି ଅର୍ଥ ଉପାର୍ଜନ କରିଥାନ୍ତି। ମାଲକାନଗିରି ଜିଲ୍ଲାରେ ପ୍ରତ୍ୟେକ ବର୍ଷ ପାଖାପାଖି ୨ ହଜାର ହେକ୍ଟରରୁ ଅଧିକ ଜମିରେ ମାଛ ଚାଷ କରାଯାଇଥାଏ। ମାଛ ଯାଆଁଳ ପାଇଁ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ କାଲିମେଳା, ମାଲକାନଗିରି ଓ କୋଇଲିପାରି ଠାରେ ଯାଆଁଳ ଉତ୍ପାଦନ କେନ୍ଦ୍ର ରହିଛି। ସେଠାରୁ ବର୍ଷକୁ ପାଖାପାଖି ୫୦ ଲକ୍ଷ ଯାଆଁଳ କରାଯାଉଛି। ଚାଷୀଙ୍କୁ ୧ ହଜାର ଯାଆଁଳକୁ ୨ ଶହ ଟଙ୍କାରେ ବିକ୍ରି କରାଯାଇଥାଏ। ସରକାରୀ ସହିତ ଜିଲ୍ଲାରେ ପାଖାପାଖି ୧୫ରୁ ଅଧିକ ବ୍ୟକ୍ତି ନିଜସ୍ବ ଯାଆଁଳ ଉତ୍ପାଦନ କେନ୍ଦ୍ର କରିଛନ୍ତି। ସେଠାରୁ ମଧ୍ୟ ବହୁ ଚାଷୀ ଯାଆଁଳ କିଣି ପୋଖରୀରେ ଛାଡ଼ିଥାନ୍ତି। ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ବହୁ ଚାଷୀ ଲକ୍ଷାଧିକ ଯାଆଁଳ ତିଆରି କରିଥିଲେ। ଏଥିସହ କେତେକ ଚାଷୀ ମଧ୍ୟ ସେଠାରୁ ଯାଆଁଳ ଆଣି ‌ପୋଖରୀରେ ଛାଡି ଥିଲେ। କିନ୍ତୁ ଲଗାଣ ବର୍ଷା ଯୋଗୁଁ ପୋଖରୀରେ ପାଣି ଭର୍ତ୍ତି ହୋଇଗଲା। ସେଥିରେ ବହୁ ଯାଆଁଳ ଓ ମାଛ ଭାସି ପଳାଇଛି। ଜଣେ କି ଦୁଇ ଜଣେ ନୁହେଁ ଜିଲ୍ଲାର ବହୁ ଚାଷୀଙ୍କ ପୋଖରୀରୁ ଲକ୍ଷାଧିକ ମାଛ ଓ ଯାଆଁଳ ଭାସି ପଳାଇଥିବାର ଜଣାପଡିଛି।

Spread the love