ଦେଢ଼ ବର୍ଷ ହେଲା ଭିନ୍ନକ୍ଷମ କମିସନ ପଦ ଖାଲି

ଭୁବନେଶ୍ବର: ଯାହାଙ୍କ ବିରୋଧରେ ଅଭିଯୋଗ ସେହିଁ ବିଚାରପତି। ସରକାରୀ ଫାଇଲରେ ୭ ମାସ ହେଲା ଏବଂ ପ୍ରକୃତରେ ଦେଢ ବର୍ଷରୁ ଉର୍ଧ୍ବ ସମୟ ହେଲା ରାଜ୍ୟ ଭିନ୍ନକ୍ଷମ କମିସନ ପଦରେ ସ୍ବତନ୍ତ୍ର ଭାବରେ କାହାକୁ ନିଯୁକ୍ତି ଦିଆଯାଇ ନାହିଁ ବରଂ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ନିର୍ଦେଶକଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଭିନ୍ନକ୍ଷମଙ୍କ ସ୍ବାର୍ଥରକ୍ଷା ପାଇଁ ଉଦିଷ୍ଟ ଭିନ୍ନକ୍ଷମ କମିସନ ପଦରେ କାହିଁକି ଜଣେ ଯୋଗ୍ୟ ଭିନ୍ନକ୍ଷମଙ୍କୁ ନିଯୁକ୍ତି ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସାମାଜିକ କର୍ମକର୍ତ୍ତା ଜିତେନ୍ଦ୍ର ବିଶ୍ବାଳ। ଏହାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି, ପୂର୍ବତନ ରାଜ୍ୟ ଭିନ୍ନକ୍ଷମ କମିସନର ସୁଲୋଚନା ଦାସ ବିଏମସି ମେୟର ନିର୍ବାଚନ ଲଢିବା ପାଇଁ ଗତବର୍ଷ ମାର୍ଚ୍ଚ ମାସ ୭ ତାରିଖରୁ ଏହି ପଦରୁ ଇସ୍ତଫା ଦେଇଥିଲେ। ସେହି ଦିନ ଠାରୁ ଏଥିରେ କାହାକୁ ସ୍ବତନ୍ତ୍ର ନିଯୁକ୍ତି ପାଇଁ ଦୃଷ୍ଟି ଦିଆଯାଇ ନାହିଁ। କିମ୍ବା ନିଯୁକ୍ତି ନେଇ ଆଗ୍ରହ ସୃଷ୍ଟି ହୋଇ ନାହିଁ। ଶ୍ରୀ ବିଶ୍ବାଳ କହିଛନ୍ତି, ରାଜ୍ୟ ଭିନ୍ନକ୍ଷମ କମିସନ ସାଧାରଣ ଏକ ବିଭାଗ ନୁହେଁ ବରଂ ଅର୍ଧ ବିଚାର ସଂସ୍ଥା ଭାବରେ ନ୍ୟାୟ ପ୍ରଦାନର କାର୍ଯ୍ୟ କରେ। ପ୍ରତି ମୁହୂର୍ତ୍ତରେ ଅନ୍ୟାୟର ଶିକାର ଭିନ୍ନକ୍ଷମମାନେ ଏହି କମିସନର ଦ୍ବାରସ୍ଥ ହୋଇଥାଆନ୍ତି। ଏଥିରୁ ଅଧିକାଂଶ ଅଭିଯୋଗ ରାଜ୍ୟ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ବିରୋଧରେ ଥାଏ। କିନ୍ତୁ ୭ ମାସ ହେଲା ସେହି ବିଭାଗର ନିର୍ଦେଶକଙ୍କୁ ଏହି କମିସନ କରାଯାଇଛି। ଯାହାକି ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ଅଟେ। ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହେଉଛି।

Spread the love