ସାହାରା ଫେରସ୍ତ ଦାବି ୫୦ ହଜାର ଟପିଲେ ପାନ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସାହାରା କୋଅପରେଟିଭ ସୋସାଇଟିର ନିବେଶକମାନଙ୍କ ଲାଗି ଫେରସ୍ତ ଦାବି ଦାଖଲ କରିବା ନିମନ୍ତେ ସାହାରା ରିଫଣ୍ଡ୍‌ ପୋର୍ଟାଲ୍‌ ଖୋଲାଯାଇଛି। ସବୁ ନିବେଶକମାନଙ୍କୁ ଅନ୍‌ଲାଇନ୍‌ରେ ଦାବି ଦାଖଲ କରିବାକୁ ପଡ଼ିବ। ଦାବି ଫର୍ମ ପୂରଣ କରିବା ପୂର୍ବରୁ ନିବେଶକମାନେ ଜାଣିରଖିବା ଦରକାର ଯେ ସେମାନଙ୍କ ମୋବାଇଲ୍‌ ନମ୍ବର ସହିତ ଆଧାର କାର୍ଡ ଏବଂ ବ୍ୟାଙ୍କ ଖାତା ସହ ଆଧାର କାର୍ଡ ଲିଙ୍କ୍‌ ହୋଇଥିବା ଦରକାର। ଯେଉଁ ନିବେଶକମାନଙ୍କ ରିଫଣ୍ଡ୍‌ ରାଶି ୫୦ ହଜାର ଟଙ୍କାରୁ ଅଧିକ ହୋଇଥିବ ସେମାନଙ୍କୁ ପାନ୍ କାର୍ଡ ବିବରଣୀ ଦାଖଲ କରିବାକୁ ପଡ଼ିବ। ଦାବି ଗ୍ରହଣ ହେବାର ୪୫ ଦିନ ଭିତରେ ନିବେଶକଙ୍କ ଖାତାରେ ରିଫଣ୍ଡ୍‌ ରାଶି ଜମା ହେବ। ଦାବି ଫର୍ମ ସହିତ ନିବେଶକମାନଙ୍କୁ ସଦସ୍ୟତା ସଂଖ୍ୟା, ଜମା ଖାତା ସଂଖ୍ୟା, ଆଧାର କାର୍ଡ ଲିଙ୍କ୍‌ ହୋଇଥିବା ମୋବାଇଲ୍‌ ନମ୍ବର, ଡିପୋଜିଟ୍ ସାର୍ଟିଫିକେଟ୍‌/ ପାସ୍‌ବୁକ୍, ପାନ୍‌ କାର୍ଡ ଆଦି ଦେବାକୁ ପଡ଼ିବ। ଦାବି ଫର୍ମ ଗ୍ରହଣ ହେବା ପରେ ନିବେଶକମାନଙ୍କ ମୋବାଇଲ୍‌ ନମ୍ବରରେ ଏକ ଏସ୍‌ଏମ୍ଏସ୍‌ ଆସିବ। ସେହି ଦାବିକୁ ସାହାରା ସୋସାଇଟିଜ୍ ତରଫରୁ ୩୦ ଦିନ ଭିତରେ ପ୍ରକ୍ରିୟାକରଣ କରାଯିବ। ଦାବିକୁ ସାହାରା ସୋସାଇଟି ଭେରିଫାଏ କରିବା ପରେ ସ୍ବୀକୃତିପ୍ରାପ୍ତ ଯାଞ୍ଚକାରୀ ୧୫ ଦିନ ଭିତରେ ତାହାର ପରିଚାଳନା କରିବେ। ଏବିଷୟରେ ଏସ୍‌ଏମ୍ଏସ୍‌ ଓ ଇମେଲ୍‌ ଜରିଆରେ ନିବେଶକଙ୍କୁ ସୂଚନା ଦିଆଯିବ।

ସାହା ଅର୍ଥ ଫେରିପାଇବା ଲାଗି ବର୍ତ୍ତମାନ ସୁଦ୍ଧା ପୋର୍ଟାଲ୍‌ରେ ୭ ଲକ୍ଷ ଲୋକ ପଞ୍ଜୀକରଣ କଲେଣି। ୧୫୦ କୋଟି ଟଙ୍କା ଫେରସ୍ତ ଦାବି ମିଳିଛି। ସିଆରସିଏସ-ସାହାରା ରିଫଣ୍ଡ ପୋର୍ଟାଲରେ ଜମାକାରୀମାନଙ୍କୁ ପଞ୍ଜୀକରଣ କରିବା ସୁଯୋଗ ମିଳୁଛି। ସରକାର ମାର୍ଚ୍ଚ ମାସରେ କହିଥିଲେ ଯେ ସାହାରାର ୪ଟି ସମବାୟ ସଂସ୍ଥାର ୧୦ କୋଟି ନିବେଶକଙ୍କୁ ୯ ମାସ ମଧ୍ୟରେ ସେମାନଙ୍କ ଅର୍ଥ ଫେରାଇ ଦିଆଯିବ। ସାହାରା-ସେବି ରିଫଣ୍ଡ ଖାତାରେ ୫୦୦୦ କୋଟି ଟଙ୍କା ଜମା କରିବା ଲାଗି ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।

Spread the love