ଆଜିଠୁ ଚାରିମାସ ପାଇଁ ଶୋଇ ରହିବେ ମହାପ୍ରଭୁ

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ହରିଶୟନ ନୀତି ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ, ଆଜି ଠାରୁ ମହାପ୍ରଭୁ ୪ ମାସ ପର୍ଯ୍ୟନ୍ତ ଶୋଇ ରହିବେ। ଭାଦ୍ରବ ମାସରେ କଡ଼ ଲେଉଟେଇବେ। କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ। ହରି ହେଉଛନ୍ତି ବିଷ୍ଣୁ। ମହାପ୍ରଭୁ ହେଉଛନ୍ତି ବିଷ୍ଣୁଙ୍କ ଅବତାର। ଏଣୁ ମହାପ୍ରଭୁ ଆଜି ଠାରୁ ନିଦ୍ରା ଯାଇଛନ୍ତି। କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥ ନୁହଁନ୍ତି, ବିଷ୍ଣୁଙ୍କ ସମସ୍ତ ରୂପ ବି ଆଜି ଠାରୁ ଶୋଇଛନ୍ତି। ଭାଦ୍ରବ ମାସରେ ମହାପ୍ରଭୁଙ୍କ କଡ଼ ଲେଉଟା ନୀତି ଅନୁଷ୍ଠିତ ହେବ।

ଏଥିପାଇଁ ତିନି ଜଣ ପୂଜାପଣ୍ଡା ସାମନ୍ତ ତିନି ମୂର୍ତ୍ତି ଶୟନ ଠାକୁରଙ୍କ ସୁବର୍ଣ୍ଣ ପ୍ରତିମାଙ୍କୁ ଆଣିବେ।ଶ୍ରୀବଳଭଦ୍ରଙ୍କ ସ୍ଥାନରେ ବାସୁଦେବ ,ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ଵରୀ ଓ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶୟନ ଠାକୁର ଶ୍ରୀନାରାୟଣ ବିଜେ ହେବେ । ସେଠାରେ ସ୍ଵତନ୍ତ୍ର ନୀତି କରାଯିବ । ଏହାପରେ ଶୟନ ଠାକୁରଙ୍କୁ ହାତରେ ବିଜେ କରି ଭଣ୍ଡାର ଦୁଆରେ ପହଞ୍ଚିବା ପରେ ଶୟନ ନୀତି ଅନୁଷ୍ଠିତ ହେବ । ଏହି ସମୟ ଭିତରେ ଯେହେତୁ ମହାପ୍ରଭୁ ଶୟନ ଯାଇଥାନ୍ତି, ସେହି ଦୃଷ୍ଟିରୁ ଏହା ଭିତରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ ବୋଲି ବିଶ୍ବାସ ରହିଛି। ଆସନ୍ତା କାଲି ଗରୁଡ ଶୟନ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଭଳି ପ୍ରଭୁ ଗରୁଡ଼ ବି ଶୟନରତ ରହିବେ। ମହାପ୍ରଭୁ ଚାରିମାସ ପରେ ଉଠିବା ପରେ ପ୍ରଭୁ ଗରୁଡ଼ ବି ନିଦ୍ରାରୁ ଉଠିବେ।

Spread the love