ହୀରାକୁଦରେ ଜଳସ୍ତର କମୁଛି, ବନ୍ୟା ଆଶଙ୍କା ନାହିଁ

ଭୁବନେଶ୍ବର: ମହାନଦୀ କି ଅନ୍ୟ କୌଣସି ନଦୀରେ ବନ୍ୟା ନାହିଁ। ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ହୀରାକୁଦ ଜଳସ୍ତର ୬୨୦.୮ ଫୁଟକୁ ଖସିଲାଣି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୭୫ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ୩ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଠିକ୍ ସେହିପରି ମୁଣ୍ଡୁଳିରେ ୪ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଜଳସ୍ତର ହ୍ରାସ ପାଉଛି। ହୀରାକୁଦ ତଳମୁଣ୍ଡ କି ଉପରମୁଣ୍ଡରେ ବର୍ଷା ନାହିଁ। ଆସନ୍ତା ୯ ତାରିଖ ସୁଦ୍ଧା ହୀରାକୁଦ ଜଳସ୍ତର ୬୧୫ ଫୁଟ ତଳକୁ ଖସିଯିବ। ଆଉ ହୀରାକୁଦ ଗେଟ ଖୋଲିବନି। ପାଣି ଖସିଲେ, ଗେଟ ବନ୍ଦ କରାଯିବ। ଆଜି ସବୁଠି ପାଣି ଖସିଯିବ। କେବଳ ଉତ୍ତର ଓଡ଼ିଶାକୁ ବର୍ଷା ଅଛି, ଯେଉଁଥିପାଇଁ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଉପରେ ନଜର ରଖାଯାଇଛି। ବର୍ଷା ହେଲେ ଜଳ ସମ୍ପଦ ଅଧିକାରୀମାନଙ୍କୁ ସେଠାକୁ ପଠାଯିବ ଓ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ସେଠି ଜଳସ୍ତର ବହୁତ ତଳେ ଅଛି। ଯାଜପୁର ଓ କେନ୍ଦ୍ରାପଡ଼ା ପାଇଁ ବର୍ଷା ନାହିଁ। ଏଣୁ ବ୍ୟସ୍ତ ହେବାର କିଛି ନାହିଁ।

Spread the love