ଠକେଇ ଓ ଯୌନ ନିର୍ଯାତନା ମାମଲା: ମହିଳା ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ

କଟକ: ମହିଳା ଥାନାରେ ହାଜର ହେଲେ ଦୁଷ୍କର୍ମ ଅଭିଯୋଗ ମାମଲାରେ ଫେରାର କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଠକେଇ ଓ ଯୌନ ନିର୍ଯାତନା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ସୌରିନ ଭଟ୍ଟ ମହିଳା ଥାନାରେ ହାଜର ହୋଇଛନ୍ତି। ପୀଡ଼ିତା ଯୁବତୀଙ୍କ ଏତଲା ଆଧାରରେ ଅଧିକ ପଚରାଉଚରା ପାଇଁ ଥାନାରେ ହାଜର ହୋଇଛନ୍ତି ସୌରିନ। ଏହି ଅବସରରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ମୋ ବିରୁଦ୍ଧରେ ଆସିଥିବା ଅଭିଯୋୁଗ ଭିତ୍ତିହୀନ ଓ ମିଥ୍ୟା। ଏପରିକି ଅଭିଯୋଗକାରିଣୀଙ୍କୁ ସେ ଚିହ୍ନନ୍ତି ନାହିଁ ବୋଲି ବି କହିଛନ୍ତି ସୌରିନ। ଉଲ୍ଲେଖଯୋଗ୍ୟ, ଦୁଷ୍କର୍ମ ଅଭିଯୋଗ ମାମଲାରେ ଫେରାର କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ହାଇକୋର୍ଟରୁ ଅଗଷ୍ଟ ୨୫ ଯାଏ ଅନ୍ତରୀଣ ସୁରକ୍ଷା ମିଳିଥିଲା। ସୌରିନ ଭଟ୍ଟଙ୍କୁ ତଦନ୍ତରେ ସହଯୋଗ କରିବାକୁ ଓ ଥାନାରେ ହାଜର ହେବାକୁ କୁହାଯାଇଥିଲା। ଏହାଛଡ଼ା ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ ହେବ।
ସୂଚନାଯୋଗ୍ୟ, ସୌରିନ ଭଟ୍ଟ ଜାମିନ ଲୋଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କଟକ ମହିଳା ଥାନାରେ ରୁଜୁ ମାମଲାରେ ଆଗୁଆ ଜାମିନ ପାଇଁ ଆଜି ସୌରିନ ହାଇକୋର୍ଟରେ ଆବେଦନ ଦାୟର କରିଥିଲେ। ସେ ନିର୍ଦ୍ଦୋଷ ଓ ତାଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ବୋଲି ଆବେଦନରେ ଦର୍ଶାଇ ସୌରିନ ଆଗୁଆ ଜାମିନ ପ୍ରଦାନ ପାଇଁ ପ୍ରାର୍ଥନା କରିଥିଲେ। କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରିନ ବାରମ୍ବାର ଦୁଷ୍କର୍ମ କରିବା ଓ ଟଙ୍କା ହଡ଼ପ୍ କରିବା ଭଳି ସଙ୍ଗୀନ ଅଭିଯୋଗ ମହିଳା ଥାନାରେ ହୋଇଥିଲା। ଏହାପରେ ପୁଲିସ ସିଡିଏ ସେକ୍ଟର ୬ରେ ଥିବା ସୌରିନଙ୍କର ଭଡ଼ା ଘରେ ଚଢ଼ଉ କରିଥିଲା।
ଏଣେ ପୁଲିସ ଏକ ମାମଲା ରୁଜୁ କରି ଗଲା କଲିକତା ସହରର ବାଲିଗଙ୍ଗ ଥାନା ଅଞ୍ଚଳରେ ଥିବା ସୌରିନଙ୍କ ଘରେ ଚଢ଼ଉ କରିଥିଲା। ସେଠାରେ ସୌରିନ୍ ଗଲା ୭ ଦିନ ହେବ ଅନୁପସ୍ଥିତ ଥିବା ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ସେ ଦିଲ୍ଲୀରେ ରହୁଥିବା କୁହାଯାଇଥିଲା। କିନ୍ତୁ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିବାରୁ ପୁଲିସ ତାଙ୍କ ସହିତ ଯୋଗାଯୋଗ କରି ପାରି ନଥିଲା।

Spread the love