ରବିବାରିଆ ଭିଡ଼ରେ ପୁରୀ ଅଣନିଃଶ୍ବାସୀ

ପୁରୀ: ପୁରୀକୁ ଭକ୍ତଙ୍କ ସୁଅ ଛୁଟିଛି। ହୋଟେଲରେ ରୁମ୍‌ ନାହିଁ କି ଗାଡ଼ି ପାର୍କିଂ କରିବାକୁ ସ୍ଥାନ ନାହିଁ। ଶ୍ରୀମନ୍ଦିରରୁ ବେଳାଭୂମି, ସବୁଠି ଲୋକାରଣ୍ୟ। ପର୍ଯ୍ୟାପ୍ତ ପାର୍କିଂ ସୁବିଧା ନଥିବାରୁ ଯିଏ ଯେଉଁଠି ପାରିଲା ସେଇଠି ପାର୍କିଂ କରିଥିଲା। କୁମ୍ଭାରପଡ଼ା ଥାନାଠାରୁ ମେଡିକାଲ ଛକ, ମେଡିକାଲ ଛକରୁ ଗୁଣ୍ଡିଚା ମନ୍ଦିର, ଦିଗବାରେଣୀ ଛକରୁ ବଳିଆପଣ୍ଡା ରାସ୍ତା, ସବୁଠୁ ଆଜି ମୁଖ୍ୟ ଯାତାୟାତ ରାସ୍ତା କଡ଼ରେ ଚାରିଚକିଆ ଯାନ ପାର୍କିଂ ହୋଇଥିଲା। ମୁଖ୍ୟ ରାସ୍ତା ପାର୍କିଂ ପାଲଟିବାରୁ ସ୍ଥାନୀୟ ବାସିନ୍ଦାମାନେ ବାଇକ୍‌ରେ ଯିବା ମୁସ୍କିଲ ହୋଇଯାଇଥିଲା। ବଡ଼ଦାଣ୍ଡ, ବେଳାଭୂମି ରାସ୍ତା, ଭିଆଇପି ରୋଡ୍‌ ଦେଇ ଯାତାୟାତ କରୁଥିବା ଲୋକେ ଘଣ୍ଟାଘଣ୍ଟା ଧରି ଟ୍ରାଫିକ ଯନ୍ତ୍ରଣା ଭୋଗିଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ଦ୍ବିତୀୟ ଶନିବାର ଓ ଆଜି ରବିବାର ଥିବାରୁ ଶୁକ୍ରବାର ସନ୍ଧ୍ୟାରୁ ପୁରୀ ସହରରେ ଭିଡ଼ ବଢ଼ିଥିଲା। ତେବେ ଆସନ୍ତା ମଙ୍ଗଳବାର ସ୍ବାଧୀନତା ଦିବସ ପାଳନ ହେଉଥିବାରୁ ସରକାରୀ, ବେସରକାରୀ ଅଫିସ ସହ ସ୍କୁଲ କଲେଜ ଛୁଟି ରହିବ।

 ତେଣୁ ଅଧିକାଂଶ ସରକାରୀ, ବେସରକାରୀ କର୍ମଚାରୀ ସୋମବାର ଗୋଟିଏ ଦିନ ଛୁଟି ନେଇ ୪ ଦିନିଆ ପୁରୀ ବୁଲିବାକୁ ଆସିଯାଇଛନ୍ତି। ଫଳରେ ଏବେ ପୁରୀ ସହରରେ କୌଣସି ହୋଟେଲ, ଲଜିଂରେ ରହିବାକୁ କୋଠରି ମିଳୁନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୂର୍ବାହ୍‌ଣ ପର୍ଯ୍ୟନ୍ତ ମେଡିକାଲ୍‌ ଛକଠାରୁ ଚାରି ଚକିଆ ଗାଡ଼ିଗୁଡ଼ିକ ଅଟକାଇ ଦିଆଯାଉଛି। ତେଣୁ ଗାଡ଼ି ଚାଳକମାନେ ଅନ୍ୟ ପାର୍କିଂ ସ୍ଥଳକୁ ଯିବା ପରିବର୍ତ୍ତେ ଜେଲ୍‌ରୋଡ୍‌ରେ ଗାଡ଼ି ପାର୍କିଂ କରୁଛନ୍ତି। ଏପଟେ ମେଡିକାଲ୍‌ ଛକରୁ ନେଇ ବଡ଼ଶଙ୍ଖ ପର୍ଯ୍ୟନ୍ତ ମଧ୍ୟ ଅନେକ ଗାଡ଼ି ପାର୍କିଂ କରୁଛନ୍ତି। ଫଳରେ ଶ୍ରୀକ୍ଷେତ୍ରର ବାସିନ୍ଦାମାନେ ହଇରାଣ ହେଉଛନ୍ତି। ପାର୍କିଂସ୍ଥଳରେ ଗାଡ଼ି ଭର୍ତ୍ତି ହୋଇଯିବା ପରେ ଲୋକେ ବାଧ୍ୟ ହୋଇ ରାସ୍ତାକଡ଼ରେ ଗାଡ଼ି ପାର୍କିଂ କରୁଛନ୍ତି। ଅନ୍ତତଃ ଛୁଟିଦିନରେ ବିପୁଳ ଭକ୍ତଙ୍କ ଆଗମନ ଦୃଷ୍ଟିରୁ ଜେଲ୍‌ରୋଡ୍‌ ପରିସରସ୍ଥ ନିର୍ମାଣାଧୀନ ପାର୍କିଂରେ ଚାରି ଚକିଆ ଗାଡ଼ି ପାର୍କିଂ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ଆଜି ବଡ଼ଦାଣ୍ଡ ଓ ବେଳାମାର୍ଗ ରାସ୍ତାରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ସଂଲଗ୍ନ ଗଳିକନ୍ଦିରେ ବି ଯାତାୟାତ କରିବା କାଠିକର ହୋଇଥିଲା। ବଡ଼ଦାଣ୍ଡରେ ଭିଡ଼ ଏତେ ଯେ ବାଇକ୍‌ରେ ଯିବା ଅସମ୍ଭବ ହୋଇପଡ଼ିଥିଲା। ବିଶେଷକରି ବଡ଼ଦାଣ୍ଡକୁ ସଂଲଗ୍ନ ସାହି ଗଳିକନ୍ଦିର ବାସିନ୍ଦାମାନେ ସହର ଭିତରକୁ ପ୍ରବେଶ ମାତ୍ରେ ଆକ୍ତାମାକ୍ତା ହୋଇଯାଇଥିଲେ। ଭିଡ଼ ଦେଖି ‌ଚିନ୍ତା ବଢ଼ିଯାଇଥିଲା। ଟ୍ରାଫିକ୍‌ ଛକରେ ଅଟକିଲେ ଥରକରେ ପାର୍‌ ହେବା ସମ୍ଭବ ହେଉନଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ଭକ୍ତମାନେ ଦୀର୍ଘ ପଥ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। ଆଜି ଖରାର ଦାଉ ନ ନଥିଲେ ହେଁ ଅସହ୍ୟ ଗୁଳୁଗୁଳି ଅସ୍ତବ୍ୟସ୍ତ କରିଦେଉଥିଲା। ଶ୍ରୀମନ୍ଦିରକୁ ପ୍ରବଳ ଠେଲାପେଲାରେ ଭକ୍ତମାନେ ଯାଇଥିଲେ। କେ‌ବଳ ସେତିକି ନୁହେଁ, ଜୋତା ଷ୍ଟାଣ୍ଡରେ ବି ଲମ୍ବା ଧାଡ଼ି ଲାଗିଥିଲା। ତେଣୁ ବହୁ ଭକ୍ତ ଜୋତାଷ୍ଟାଣ୍ଡ ସମ୍ମୁଖରେ ଧାଡ଼ି ନବାନ୍ଧି ସିଂହଦ୍ବାର ନିକଟରେ ଏଣେତେଣେ ଜୋତା ରଖି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ।

ସୂଚନାଯୋଗ୍ୟ ଯେ ଜଗନ୍ନାଥବଲ୍ଲଭ, ନାଲିପଡ଼ିଆ, ଦିଗବାରେଣୀ ଛକ ମଧ୍ୟରେ ରହିଥିବା ପାର୍କିଂ ସ୍ଥଳ ଏବେ ଗାଡ଼ି ପାର୍କିଂ ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ଲକ୍ଷାଧିକ ଭକ୍ତଙ୍କ ଆଗମନ ହେଉଥିବା ବେଳେ ମାତ୍ର ୨ରୁ ଅଢ଼େଇ ହଜାର ଚାରି ଚକିଆ ପାର୍କିଂ ପାଇଁ ସ୍ଥାନ ନିରୂପିତ ହୋଇଛି। ତେଣୁ ଛୁଟି ଦିନରେ ଅଧିକ ସଂଖ୍ୟାରେ ଗାଡ଼ି ଆସିଲେ ସ୍ଥାନାଭାବରୁ ଏଣେ ତେଣେ ପାର୍କିଂ କରାଯାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୯୦ କୋଟି ଟଙ୍କା ‌ବ୍ୟୟରେ ପୁରୁଣା ଜେଲ୍‌ରୋଡ୍‌ରେ ୪ ମହଲା ବିଶିଷ୍ଟ ବହୁତଳ କାର୍‌ ପାର୍କିଂ ରହିଛି। ଏହା ମଧ୍ୟରେ ୫୦୦ ଚାରିଚକିଆ ଓ ୫୦୦ ବାଇକ୍‌ ରହିବାର ବନ୍ଦୋବସ୍ତ କରାଯାଇଛି। ରଥଯାତ୍ରା ବେଳେ ଅସ୍ଥାୟୀ ଭାବେ ଏଠାରେ ପାର୍କିଂ ସୁବିଧା ଯୋଗାଇ ଦିଆଯାଇଥିଲା। ମାତ୍ର ରଥଯାତ୍ରା ପରେ ପୁଣି ଏହାକୁ ବନ୍ଦ କରିଦିଆଯାଇଛି। ବାକିଆ ନିର୍ମାଣ କାର୍ଯ୍ୟ ସାରିବା ପରେ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଓବିସିସିର ଅଧିକାରୀ କହିଛନ୍ତି।

Spread the love