ଇରାନ ବିରୋଧରେ ଆତ୍ମଘାତୀ ବାହିନୀ ପ୍ରସ୍ତୁତ କରୁଛି ତାଲିବାନ

କାବୁଲ : ଦୀର୍ଘ ଦିନ ଧରି ଆମେରିକା ସହ ଲଢ଼େଇ କରିବା ପରେ ତାଲିବାନ ଏବେ ନିଜ ପଡ଼ୋଶୀ ଦେଶ ଇରାନ ସହ ଲଢେଇ କରିବାକୁ ପ୍ରସ୍ତୁତ ହେଉଛ୍ । ଇରାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଜଳ ବିବାଦ ଏବେ ଯେକୌଣସି ସମୟରେ ଯୁଦ୍ଧରେ ପରିଣତ ହୋଇପାରେ । ଗତ ସପ୍ତାହରେ ଇରାନ ଓ ତାଲିବାନ ମଧ୍ୟରେ ସୀମାରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ହେଲମଣ୍ଡ ନଦୀର ଜଳ ବଣ୍ଟନକୁ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି।

ଗତ ମେ’ ମାସରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତାଲିବାନକୁ ଚେତାବନୀ ଦେଇ କହିଥିଲେ ଯେ ତାଲିବାନ ଆଫଗାନିସ୍ତାନର ଜଳ ଯୋଗାଣ ଚୁକ୍ତିକୁ ସମ୍ମାନ ଦେବା ଉଚିତ  ନଚେତ୍ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଏହାର ଜବାବରେ ତାଲିବାନ ଇରାନକୁ ଉପହାସ କରିବା ସହ ଏଭଳି ଚେତାବନୀ ଦେବା ବନ୍ଦ କରିବାକୁ କହିଛି। ଏହାର ପ୍ରାୟ ଏକ ସପ୍ତାହ ପରେ ସୀମାରେ ସଂଘର୍ଷ ହୋଇଥିଲା, ଯେଉଁଥିରେ ଦୁଇ ଜଣ ଇରାନୀ ସୁରକ୍ଷାକର୍ମୀ ଏବଂ ଜଣେ ତାଲିବାନ ନିହତ ହୋଇଥିଲେ। ସୂଚନା ଅନୁଯାୟୀ, ତାଲିବାନ ହଜାର ହଜାର ସୈନିକ ଏବଂ ଶତାଧିକ ଆତ୍ମଘାତୀ ଆକ୍ରମଣକାରୀଙ୍କୁ ଏହି ଅଞ୍ଚଳକୁ ପଠାଇଛି।

ହେଲମଣ୍ଡ୍ ଆଫଗାନିସ୍ତାନର ସବୁଠାରୁ ଲମ୍ବା ନଦୀ ଅଟେ । ଏହି ନଦୀର ଜଳ ଉଭୟ ଦେଶକୁ ଯାଇଥାଏ, ଯାହା ଚାଷ, ଜୀବିକା ଏବଂ ପରିବେଶର ପୁନରୁଦ୍ଧାର ପାଇଁ ବ୍ୟବହୃତ ହୁଏ । ଏହି ନଦୀର ଜଳ ବଣ୍ଟନକୁ ନେଇ ଆଫଗାନିସ୍ତାନ ଓ ଇରାନ ମଧ୍ୟରେ ଶତାବ୍ଦୀ ଧରି ବିବାଦ ଲାଗି ରହିଛି। ହେଲମଣ୍ଡ ନଦୀ ପଶ୍ଚିମ ହିନ୍ଦୁକୁଶ ପର୍ବତମାଳାର କାବୁଲ ନିକଟରୁ ଉତ୍ପନ୍ନ ହୋଇ ମରୁଭୂମି ଅଞ୍ଚଳ ଦେଇ ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବାହିତ ହେଉଛି ।

Spread the love