ବଢୁଛନ୍ତି ଋଣ ବାକିରଖିଥିବା ଏସ୍‌ଏଚ୍‌ଜି: ୪୦ ହଜାର ଦେଇ ନାହାନ୍ତି ୪୮୦ କୋଟି

ଭୁବନେଶ୍ବର: ରାଜ୍ୟର ୪୦ ହଜାର ୭୩୨ ଏସଏଚ୍‌ଜି ଫେରାଇ ନାହାନ୍ତି ସମବାୟ ବ୍ୟାଙ୍କର ଋଣ। ୪ ବର୍ଷ ମଧ୍ୟର ଯେତେ ସଂଖ୍ୟକ ଏସଏଚ୍‌ଜି ଋଣ ପାଉନାହାନ୍ତି ତା ଠାରୁ ଅଧିକ ସଂଖ୍ୟକ ଏସଏଚ୍‌ଜି ବକେୟା ତାଲିକାରେ ଯୋଡ଼ି ହୋଇଥିବା ନେଇ ସମବାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏସଏଚ୍‌ଜି ରହିଛନ୍ତି। ମିସନ ଶକ୍ତି ରାଜ୍ୟ ଋଣ ସୁଧ ରିହାତି ଯୋଜନା ଅନ୍ତର୍ଗତରେ ଜୀବିକା ଏବଂ ଉଦ୍ୟମିତା କାର୍ଯ୍ୟରେ ପ୍ରୋତ୍ସାହନ ଭଳି ମହତ ଲକ୍ଷ୍ୟ ନେଇ ସମବାୟ ବ୍ୟାଙ୍କ କିମ୍ବା ସମବାୟ ସମିତି ପକ୍ଷରୁ ଏସଏଚ୍‌ଜିମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରାଯାଉଛି। ୨୦୧୩ ମସିହାରେ ୨ ପ୍ରତିଶତ ସୁଧ ହାରରେ ୩ ଲକ୍ଷ ଟଙ୍କା, ୨୦୧୫ ମସିହାରେ ଏହାକୁ ୧ ପ୍ରତିଶତ ଏବଂ ୨୦୧୯ ମସିହାରୁ ବିଧା ସୁଧରେ ଋଣ ଦିଆଯାଉଛି। ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ୪୬୫୩ ଏସଏଚଜିଙ୍କୁ ୧୪୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ୪ ବର୍ଷ ମଧ୍ୟରେ ୨୦୨୧ ମସିହା ପର୍ଯ୍ୟନ୍ତ ମହିଳା ଏସଏଚ୍‌ଜିଙ୍କ ସହିତ ଅନ୍ୟ ଏସଏଚ୍‌ଜିଙ୍କୁ ମଧ୍ୟ ଋଣ ଦିଆଯାଉଥିଲା। ଅର୍ଥାତ ୨୦୧୯ରେ ୯୨୦, ୨୦୨୦ରେ ୧୯, ୨୦୨୧ରେ ୨୨ ରେ ମହିଳା ଭିନ୍ନ ଅନ୍ୟ ଏସଏଚ୍‌ଜିମାନଙ୍କୁ ବିଧା ସୁଧରେ ଋଣ ଦିଆଯାଇଛି।

ଟଙ୍କା ବାକିଥିବା ତାଲିକାରେ ଏହି ଏସଏଚ୍‌ଜିମାନେ ମଧ୍ୟ ରହିଛନ୍ତି। ପରିବା, ଫୁଲ, ମିଲେଟ୍ ଠାରୁ ଆରମ୍ଭ କରି ଉଭୟ ଗାଁ ଏବଂ ସହର ସ୍ତରରେ ବ୍ୟାବସାୟିକ କାର୍ଯ୍ୟରେ ଏସଏଚ୍‌ଜିମାନେ ଅନେକ ଉଦାହରଣ ସୃଷ୍ଟି କରୁଛନ୍ତି। ଏପରିକି ଧାନ ସଂଗ୍ରହ ଭଳି ଯେଉଁ କାର୍ଯ୍ୟ କେବଳ ପୁରୁଷ ପ୍ରାଧାନ୍ୟ ଥିଲା ସେଥିରେ ମଧ୍ୟ ମହିଳାମାନେ ପ୍ରବେଶ କରି ସଫଳତା ହାସଲ କରିଛନ୍ତି। କିନ୍ତୁ ଏହାବାଦ ରାଜ୍ୟର ଅନେକ ଏସଏଚ୍‌ଜିଙ୍କ ବିରୋଧରେ ସରକାରଙ୍କ ଠାରୁ ମିଳୁଥିବା ରିହାତି ସୁଧରେ ସେମାନେ ଋଣ କାରବାର କରୁଥିବା ଅଭିଯୋଗ ହେଉଛି। ଦ୍ବିତୀୟତଃ ଅନେକ କ୍ଷେତ୍ରରେ କିଛି ହୀନ ପ୍ରକୃତିର ବ୍ୟକ୍ତି ସହଜରେ ଋଣ ପାଇବା ପାଇଁ ଏସଏଚ୍‌ଜିଙ୍କୁ ହାତ କରୁଛନ୍ତି ଋଣ ନେଇ ଫେରାର ହୋଇ ଯାଉଛନ୍ତି। ଏଭଳି ସ୍ଥିତିରେ ଏସଏଚ୍‌ଜିଙ୍କୁ କଳା ତାଲିକାଭୁକ୍ତ କରାଯାଉଛି। ଧାନ ସଂଗ୍ରହ ବେଳେ କଳା ତାଲିକାଭୁକ୍ତ ଏସଏଚ୍‌ଜିଙ୍କ ସଂଖ୍ୟା ବଢିବାରେ ଲାଗିଛି। ଋଣ ପରିଶୋଧ କରିନପାରି ଅନେକ ସଦସ୍ୟ ଭିନ୍ନ ନାମରେ ଋଣ ନେଇଛନ୍ତି। ବକେୟା ଥିବା ଏସଏଚ୍‌ଜିଙ୍କ ସଂଖ୍ୟା ବଢିବାରେ ଲାଗିଛି। ସମବାୟ ବ୍ୟାଙ୍କ ଉପରେ ଗ୍ରାମ୍ୟ ବ୍ୟବସ୍ଥାର ଅର୍ଥନୀତି ନିର୍ଭରଶୀଳ। ମହତ ଲକ୍ଷ୍ୟ ନେଇ ଏସଏଚ୍‌ଜିଙ୍କୁ ଋଣ ପ୍ରଦାନ କରାଗଲେ ମଧ୍ୟ ସେମାନେ ଏହାର ପରିଶୋଧ କରିନପାରିଲେ ସମବାୟ ବ୍ୟାଙ୍କ ଦେବାଳିଆ ହେବ ଏବଂ ଏଥିରେ ସମସ୍ତେ କ୍ଷତିଗ୍ରସ୍ତ ହେବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Spread the love