ଗୃହରକ୍ଷୀଙ୍କୁ ଶାରୀରିକ ନିର୍ଯ୍ୟାତନା ଘଟଣା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ଲେଖାଶ୍ରୀ

ପୋଲିସ ବାବୁଙ୍କ ଘରେ ମହିଳା ଗୃହରକ୍ଷୀଙ୍କୁ ଉଭୟ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଉଥିବାର ଆସିଲା ବଡ଼ ଅଭିଯୋଗ। ଏବଂ ଏ ନିର୍ଯ୍ୟାତନା ଏତେ ମାତ୍ରାରେ ଥିଲା ଯେ ଶେଷରେ ନିଜ ଜୀବନକୁ ଶେଷ କରିବାକୁ ଯାଇ ନିଜର ଦୁଇ ଗୋଡ଼ ହରାଇଛନ୍ତି ହୋମଗାର୍ଡ଼ ମହିଳା ଦୀର୍ଘ ସାତ ମାସ ଧରି ଡିଆଇଜି ବ୍ରିଜେଶ କୁମାର ରାଏଙ୍କ ଘରେ କାମ କରିଆସୁଥିଲେ 47 ବର୍ଷିଆ ମହିଳା ଗୃହରକ୍ଷୀ ସୈରିଦ୍ରି ସାହୁ। ସେଠାରେ ତାଙ୍କ ଦୁଇ ଛୁଆଙ୍କୁ ଖାଇବାକୁ ଦେବା ଠାରୁ ଆରମ୍ଭ କରି ସେମାନଙ୍କ ଅଇଁଠା ବାସନ ଧୋଇବା ,ତାଙ୍କ ଲୁଗାପଟା ସଫା କରିବା ,ଡିଆଇଜିଙ୍କ ଲୁଗାପଟା ସଫା କରିବା ଏବଂ ତାଙ୍କ ସ୍ତ୍ରୀଙ୍କର ମଧ୍ୟ ଲୁଗାପଟା ସଫା କରୁଥିଲେ ମହିଳା ଗୃହରକ୍ଷୀ ଜଣକ।

ଖାଲି ଏତିକି ନୁହଁ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କର ଅନ୍ତବସ୍ତ୍ର ମଧ୍ୟ ସଫା କରୁଥିଲେ ମହିଳା ଗୃହରକ୍ଷୀ ସୈରିଦ୍ରି ସାହୁ। ପ୍ରତ୍ୟେକ ଦିନ ଡିଆଇଜିଙ୍କ ପତ୍ନୀ ଆୟୁସୀ ରାଏ ତାଙ୍କୁ ବାଧ୍ୟ କରୁଥିଲେ ସୋରିଷ ତେଲ ମାଲିସ କରିବାକୁ ।ଏବଂ ମାଲିସ କରିବା ସମୟରେ ଯଦି ହାତର ପ୍ରେସର ଟିକେ କମିଯାଏ ତେବେ ଡିଆଇଡିଙ୍କ ପତ୍ନି ଗୋଇଠା ମାରି ବେଡ ତଳକୁ ମହିଳା ଗୃହରକ୍ଷୀଙ୍କୁ ତଳେ ପକେଇଦିଅନ୍ତି ।ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଡିଆଇଜି ଓ ତାଙ୍କ ପତ୍ନୀଙ୍କ ନାଁରେ। 

ଏ ଘଟଣା ନେଇ ଟ୍ୱିଟ୍ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଟ୍ୱିଟ୍ କରି ସେ କହିଛନ୍ତି, ଓଡ଼ିଶା ପୋଲିସର ଜଣେ ଡିଆଇଜି ଓ ତାଙ୍କ ପତ୍ନୀଙ୍କ ଘରେ କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କୁ ଅତ୍ୟାଚାର କରି ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ଅତ୍ୟନ୍ତ ଲୋମହର୍ଷଣକାରୀ ଏବଂ ଲଜ୍ଜାଜନକ ବିଷୟ l ତା ଠାରୁ ଆହୁରି ଗମ୍ଭୀର ବିଷୟ ହେଉଛି ଯେ ପୀଡିତା ଆତ୍ମହତ୍ୟା ଉଦ୍ୟମ କରି ଦୁଇଟି ଯାକ ଗୋଡ ହରାଇଥିବା ବେଳେ ସେଇ ପୋଲିସ ଅଧିକାରୀ ଓ ତାଙ୍କ ସ୍ତ୍ରୀ ଖୋଲାରେ ବୁଲୁଛନ୍ତି  l ନବୀନ ବାବୁଙ୍କ ଅମଲା ଓ ପୋଲିସ ପ୍ରୀତି ଆଜି ରକ୍ଷକମାନଙ୍କୁ ଭକ୍ଷକ ସଜେଇଛି  l ଆମେ ତୁରନ୍ତ ସେଇ ପୋଲିସ ଅଧିକାରୀ ଓ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ତଦନ୍ତ ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ ବୋଲି ଟ୍ୱିଟ୍ କରିଛନ୍ତି ଲେଖାଶ୍ରୀ ।

Spread the love