୨୩ବର୍ଷର ସ୍ଥାୟୀ ବିଜେଡି ସରକାର ଓଡିଶାକୁ ଦାରିଦ୍ର‌୍ୟ ମୁକ୍ତ କରିପାରିଲାନାହିଁ: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର, ତା.୨୩/୦୮: ଆମେରିକା ନାସା ସଂସ୍ଥାର “ସୋସିଓ-ଇକୋନୋମିକ୍ ଡାଟା ଆଣ୍ଡ୍ ଆପ୍‌ଲିକେସନ୍ ସେଂଟର୍‌” ତରଫରୁ ଭାରତବର୍ଷର ବିଭିନ୍ନ ରାଜ୍ୟରେ ବଂଚିତ ମାନଙ୍କର ଏକ ସୂଚ୍ୟାଙ୍କ ପ୍ରକାଶ ପାଇଛି । ଏଥିରେ ଦାରିଦ୍ର‌୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ଉପଗ୍ରହ ମାଧ୍ୟମରେ ଉତୋଳିତ ଚିତ୍ର ମାଧ୍ୟମରେ କେଉଁ ରାଜ୍ୟର ଦାରିଦ୍ର‌୍ୟ କେତେ ଭୟଙ୍କର କେତେ ଉତ୍କଟ, ସେ ସଂକ୍ରାନ୍ତରେ ଏକ ଚିତ୍ର ପ୍ରଦାନ କରାଯାଇଛି । ସେହି ତଥ୍ୟ ଅନୁଯାୟୀ ବର୍ତମାନ ଓଡିଶାର ସ୍ଥାନ ଦେଶର ବୃହତ ରାଜ୍ୟମାନଙ୍କ ଭିତରେ ତଳଆଡୁ ତୃତୀୟ ସ୍ଥାନରେ ରହିଛି । ଏହା ଏକ ଦୁର୍ଭାଗ୍ୟଜନକ ସ୍ଥିତି । ଦୀର୍ଘ ୨୩ବର୍ଷର ଗୋଟିଏ ସ୍ଥାୟୀ ସରକାର ସତ୍ୱେ ଯଦି ଓଡିଶା ଦାରିଦ୍ର‌୍ୟ ମୁକ୍ତ ହୋଇପାରିଲାନାହିଁ ଓ ଓଡିଶାରେ ଭାରତର ସବୁଠାରୁ ଅଧିକ ବଂଚିତ ଜନସାଧାରଣ ବସବାସ କଲେ ତାହା ଠାରୁ ଦୁର୍ଭାଗ୍ୟଜନକ ଜିନିଷ ଆଉ କ’ଣ ଥାଇପାରେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଗତ ୯ ବର୍ଷ ମୋଦି ସରକାର ଅମଳରେ ଓଡିଶାକୁ ରେକର୍ଡ ପରିମାଣର ୧୮.୯୩ ଲକ୍ଷ କୋଟି ଟଙ୍କାର ଆର୍ଥୀକ ଅନୁଦାନ ଓ ସହାୟତା ମିଳିଛି । କିନ୍ତୁ ରାଜ୍ୟରେ ଅପାରଗ ବିଜେଡି ସରକାର କାରଣରୁ ସଠିକ୍ ବିକାଶ କାର୍ଯ୍ୟ ହୋଇପାରୁନାହିଁ । “ଓଡିଶା ଧନୀ, କିନ୍ତୁ ଓଡିଆ ଗରୀବ” ହୋଇ ରହିଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସେବାରୁ ବଂଚିତ ରହୁଛନ୍ତି ଓଡିଶାବାସୀ । କେବଳ ପ୍ରଚାର ଓ ପ୍ରସାରରେ ସୀମିତ ହୋଇରହିଯାଇଛି ଓଡିଶାର ବିକାଶ । ଦୁର୍ନୀତି ଓ ଭ୍ରଷ୍ଟାଚାରର ଗନ୍ତା ଘର ସାଜିଛି ଓଡିଶା । ଅପାର ସମ୍ଭାବନା ଭରପୁର ଓଡିଶାକୁ ବିକାଶର ସ୍ରୋତରେ ସାମିଲ କରିବାକୁ ଶାସକ ବିଜୁ ଜନତା ଦଳକୁ ଆହୁରି କେତେ ବର୍ଷ ଆବଶ୍ୟକ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।

Spread the love