୨ କିନ୍ନରଙ୍କୁ ହାଇୱା ମଡ଼ାଇ ହତ୍ୟା ଘଟଣା: ବିହାରରୁ ଅଭିଯୁକ୍ତ ପବନ ଗିରଫ

ରାଉରକେଲା: ଲହୁଣିପଡ଼ା ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ରାଜାମୁଣ୍ଡା ବାଇପାସ୍‌ ଛକରେ ଦୁଇ କିନ୍ନରଙ୍କୁ ହାଇୱା ମଡ଼ାଇ ମାରିଦେବା ଘଟଣାରେ ଅଭିଯୁକ୍ତ ଡ୍ରାଇଭର ପବନ ରଏ ଗିରଫ ହୋଇଛି। ଲହୁଣିପଡାର ସ୍ବତନ୍ତ୍ର ପୁଲିସ ଟିମ୍‌ ବିହାରରୁ ପବନକୁ ଗିରଫ କରିବାରେ ସକ୍ଷମ ହୋଇଛି। କେଉଁ କାରଣରୁ ପବନ ଦୁଇ କିନ୍ନରଙ୍କୁ ହତ୍ୟା କରିଛି, ଗୁରୁବାର ପୁଲିସ ତା’ର ପର୍ଦ୍ଦାଫାସ୍‌ କରିବ ବୋଲି ସୂଚନା ମିଳିଛି। ଗତକାଲି କିନ୍ନର ସଂଘର ନେତ୍ରୀ ଜୟା‌ ତ୍ରିପାଠୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ସାକ୍ଷାତ କରି ଅଭିଯୁକ୍ତ ପବନକୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ।

ସୂଚନାଯୋଗ୍ୟ ଯେ ଗତ ୨୭ ତାରିଖରେ ଗାଡ଼ି ଚାଳକ ପବନ ଦ୍ରୁତ ଗତିରେ ହାଇୱା ନେଇ ସ୍କୁଟିରେ ଯାଉଥିବା କିନ୍ନରଙ୍କ ଉପରେ ପଛ ପଟୁ ଚଢ଼ାଇ ଦେଇଥିଲା। ହେଲେ ଜଣେ କିନ୍ନର ଡେଇଁ ପଡ଼ି ନିଜ ଜୀବନ ରକ୍ଷା କରିଥିବାବେଳେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ବଣାଇ ବଣ୍ଡୋଡିହିର ରଥ କିଷାନ (ସୁଇଟି, ୨୧) ଏବଂ କେନ୍ଦ୍ରିକଳାର ରାଜା ପାତ୍ର (୨୨)। ଦୁର୍ଘଟଣା ପରେ ପବନ ହାଇୱା ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସାଥୀ କିନ୍ନରମାନଙ୍କ ଅଭିଯୋଗ ଅନୁଯାୟୀ ସୁଇଟି କିନ୍ନରଙ୍କ ସହ ପବନର ପ୍ରେମ ସମ୍ପର୍କ ଥିଲା। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ପବନ ସୁଇଟିକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ପ୍ରତିଦିନ ପରି ଗତ ଶନିବାର ରାତିରେ ତିନି ଜଣ କିନ୍ନର ସ୍କୁଟି (ଓଡି ୧୪ୱାଇ-୭୫୪୮)ରେ ରାଜାମୁଣ୍ଡା ବାଇପାସ୍‌ ଛକକୁ ଯାଇଥିଲେ। ତିନି ଜଣଙ୍କୁ ବାଇପାସ୍‌ ଛକରେ ଦେଖି ପବନ ସେଠାରେ ପହଞ୍ଚି ପୁଣିଥରେ ସୁଇଟି ସହ ପାଟିତୁଣ୍ଡ କରିଥିଲା। କଳିଝଗଡ଼ା ପରେ ସୁଇଟି ଓ ତାଙ୍କ ଦୁଇ ସାଥୀ କିନ୍ନର ରାଜା ଏବଂ ଉମାଶଙ୍କର ସ୍କୁଟିରେ ଘରକୁ ଫେରୁଥିଲେ। ହେଲେ ଉତ୍ତେଜିତ ପବନ ‌ସେମାନଙ୍କୁ ହାଇୱା (ଓଡି୧୪ଟି-୩୦୨୫)ରେ ପିଛା କରିଥିଲା। ଜୀବନ ବଞ୍ଚାଇବା ପାଇଁ ସୁଇଟି ଦ୍ରୁତ ଗତିରେ ସ୍କୁଟି ଚଳାଇଥିଲେ। ହେଲେ ପବନ ପବନ ବେଗରେ ହାଇୱା ଚଳାଇ ସେମାନଙ୍କ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା।

Spread the love