ରାଜ୍ୟରେ ଓଲଟା ଗଣତନ୍ତ୍ର ଚାଲିଛି : ମନୋଜ ମହାପାତ୍ର

ଭୁବନେଶ୍ୱର,ତା.୩୧/୦୮: ଜୀବନବ୍ୟାପି ଓଡିଆଙ୍କ ସ୍ୱାଭିମାନ ଓ ସମ୍ମାନ ପାଇଁ ଲଢ଼େଇ କରୁଥିବା ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଦଳର ଦୀର୍ଘ ୨୩ବର୍ଷ ଶାସନରେ ଓଡିଶା ଓ ଓଡ଼ିଆଙ୍କ ସ୍ଥିତି କେଉଁଠି? ବିଜୁ ଜନତା ଦଳ ଶାସନରେ ଓଲଟା ଗଣତନ୍ତ୍ର ଚାଲିଛି । ବ୍ୟବସ୍ଥାପିକାକୁ ଯାହାଯ୍ୟ କରିବାକୁ କାର୍ଯ୍ୟନିର୍ବାହୀ ଥାଏ । ଓଡ଼ିଶାରେ ‘ବ୍ୟବସ୍ଥାପିକା’ର କୌଣସି ଭୂମିକା ନାହିଁ, କାର୍ଯ୍ୟନିର୍ବାହୀ ସର୍ବେସର୍ବା । ଦୀର୍ଘ ୨୩ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ଗୋଟିଏ ଦିନବି ଅଭିଯୋଗ ପ୍ରକୋଷ୍ଠରେ ବସି ଓଡ଼ିଆ ଲୋକଙ୍କଠାରୁ ଦରଖାସ୍ତ କାଗଜ ନେବାର ନଜିର ନାହିଁ । ଅଥଚ ଅଭିଯୋଗ ଶୁଣିବା ଆଳରେ ଜଣକୁ ବିଜ୍ଞପିତ କରିବାକୁ ଯାଇ ରାଜ୍ୟ ରାଜକୋଷରୁ ୩ଶହ କୋଟି ଅର୍ଥ ବରବାଦ କରାଯାଇ ତାଙ୍କ ସେକ୍ରେଟେରୀଙ୍କୁ ଅଭିିଯୋଗ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲାକୁ ଯାଉଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବାକୁ କିମ୍ବା ବୁଝିବାକୁ ଅସମର୍ଥ, ତେଣୁ ବୋଧ ହୁଏ ଅଭିଯୋଗ ଶୁଣିବାକୁ ଠିକାରେ ବ୍ୟବସ୍ଥା କରାଯାଇଛି! ବିଜେଡିର ନେତା, ମନ୍ତ୍ରୀ ଓ ବିଧାୟକମାନେ ନିଜକୁ ଚାକର, କ୍ରୀତଦାସ ବୋଲି ସର୍ବସାଧାରଣରେ ପ୍ରକାଶ କରୁଛନ୍ତି, ଯାହା ବିଜୁ ବାବୁଙ୍କୁ ଲଜ୍ଜିତ କରୁଥିବ! ରାଜ୍ୟରେ ଆଇନର ଶାସନ ନାହିଁ । ସମ୍ବିଧାନର ସମ୍ମାନ ନାହିଁ, ଠିକାରେ ଶାସନ ଚାଲିଛି । ପ୍ରଶାସନୀକ କଳକୁ ମୁଖ୍ୟମନ୍ତ୍ରୀ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ରାଜ୍ୟରେ ଅରାଜକତା କାୟା ବିସ୍ତାର କରିଛି ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ଗଣତନ୍ତ୍ର ବିପ୍ପନ୍ନ, ସମ୍ବିଧାନକୁ ପୋଡିଜାଳି ଛାରଖାର କରିଛି ଶାସକ ବିଜୁ ଜନତା ଦଳ । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ଓଡ଼ିଆ ଲୋକ ରାଜ୍ୟରେ କାମ ନପାଇ ବାହାରେ ଖଟୁଛନ୍ତି, ଅଣଓଡ଼ିଆ ଆସି ଲୁଟ୍ କରୁଛନ୍ତି । ଗରିବି ଯୋଗୁଁ ଜଣେ ଓଡ଼ିଆ କଲେଜ ପାଠ ପଢ଼ୁଆ ଛାତ୍ରୀ ଭୁବନେଶ୍ୱରର କଟକ ରୋଡରେ ଏକ ହୋଟେଲ ବାର୍‌ରେ କାମ କରିବାକୁ ଆସି ହତ୍ୟାର ଶିକାର ହେଲାବେଳେ ଅନ୍ୟପଟେ ଜଣେ ଅଣଓଡ଼ିଆ ମହିଳା ରାଜଧାନୀ ଭୁବନେଶ୍ୱର ଆଖପାଖରେ ଦେଢ଼ଶହ ଏକରର ଫାର୍ମହାଉସ ସହିତ ଶହ ଶହ ଏକର ଜମିର ମାଲିକାଣୀ । ଦୁଇ ଦିନ ତଳେ ବିଶିଷ୍ଟ ପରିବେଶବିତ୍ ଶ୍ରୀ ପ୍ରଫୁଲ୍ଲ ସାମନ୍ତରାକୁ ରାୟଗଡାର ଏକ ହୋଟେଲରୁ ଓଡ଼ିଶା ପୋଲିସ ଅତ୍ୟନ୍ତ ଅମାନୁଷିକଭାବେ ଉଠାଇ ଆଣିଥିଲା । ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରି ଓଡ଼ିଶା ପୋଲିସ କାହା ଇଙ୍ଗିତରେ ଏଭଳି କାମ କରିଛି, ତାହାର ଜବାବ ରାଜ୍ୟବାସୀଙ୍କ ପାଖରେ ରଖିବା ସହିତ ତୁରନ୍ତ ଫୌଜଦାରୀ ମକୋଦ୍ଦମା ରୁଜୁ କରି ସେମାନଙ୍କୁ ଗିରଫ କରାଯାଉ ।
ବିଜେଡି ନିଜର ଦଳୀୟ ସ୍ୱାର୍ଥ ସାଧନ ପାଇଁ ତିନିଦିନ ତଳେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କୁ ତାଙ୍କର ସଂସଦୀୟ କ୍ଷେତ୍ରରେ ରାଜନୈତିକ କାର୍ଯ୍ୟକ୍ରମକୁ ଅତ୍ୟନ୍ତ ହୀନ ଉପାୟ ଅବଲମ୍ବନ କରି ହିଂସାର ପଥ ଆପଣାଇବାର ନଜିର ଆସିଛି । ବିଜେଡି ପ୍ରଶ୍ନ କରୁଛି ଶ୍ରୀମତୀ ଷଡଙ୍ଗୀ ତାଙ୍କ ସଂସଦୀୟ କ୍ଷେତ୍ରକୁ ଯାଉନାହାନ୍ତି । ବାସ୍ତବତା ଓଡ଼ିଶାବାସୀ ଜାଣନ୍ତି । ଶ୍ରୀମତୀ ଷଡଙ୍ଗୀ ସବୁସମୟରେ ତାଙ୍କ ସଂସଦୀୟ କ୍ଷେତ୍ରରେ ସାଧାରଣ ଲୋକଙ୍କ ସୁଖ, ଦୁଃଖରେ ସାମିଲ ଥାଆନ୍ତି । କିନ୍ତୁ ବିଜେଡି ଉତର ଦେବା ଆବଶ୍ୟକ ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ କେବେ ଯାଇଥିଲେ?
ଶିଶୁପାଳଗଡରେ ଦିନ ଦିପ୍ରହରରେ ୮ରୁ ୧୦ଜଣ ଲୋକ ଖଣ୍ଡା, ଭୂଜାଲି, ପିସ୍ତଲ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଯେଉଁଭଳି ଅପରାଧ ଘଟାଇଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ଭରତପୁରରେ ମଧ୍ୟ ଅନରୂପ ଘଟଣା । ମାହାଙ୍ଗା ନିଶ୍ଚିତକୋଇଲି ଅଂଚଳରେ ଜଣେ ଝିଅଙ୍କୁ ଉଠାଇଆଣି ଦୁଷ୍କର୍ମ କରି ଚୌଦ୍ୱାର ଅଂଚଳରେ ଫୋପାଡି ଦିଆଯାଇଛି । ଅପରାଧ କାର୍ଯ୍ୟକଳାପରେ ମାହାଙ୍ଗା ବର୍ତମାନ ରାଜ୍ୟରେ ସୁନାମ ଆଣିଛି । ଏ ଅପରାଧୀକ କାର୍ଯ୍ୟକଳାପର ପୃଷ୍ଟପୋଷକ ହେଉଛନ୍ତି ସ୍ୱୟଂ ମାହାଙ୍ଗା ବିଧାୟକ । ଅପରାଧୀ ଓ ଅପରାଧୀକ ପୃଷ୍ଠପୋଷକମାନଙ୍କୁ କେବେ ବାନ୍ଧିବ ପୋଲିସ? ପୋଲିସର ନିରବତା ହିଁ ଅପରାଧୀଙ୍କ ମନୋବଳ ଦୃଢ଼ କରୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆଜି ଯାଜପୁର ଯାଇଛନ୍ତି । ପୂର୍ବରୁ ତାଙ୍କ ସଭାରେ ବିଭିନ୍ନ ରଙ୍ଗ ବେରଙ୍ଗର ଟି-ସାଟ ପିନ୍ଧି ବାଉଁଶର ଭଳି ସୁରକ୍ଷା ଦେଉଛି ଓଡିଶା ପୋଲିସ । କିନ୍ତୁ ସବୁଠୁ ବିଲକ୍ଷଣ ଯାଜପୁରରେ ୫-ଟି ମାର୍କା ଟି-ସାର୍ଟ ପିନ୍ଧି ହାତରେ ବାଡି, କିଳା ଧରି କେଉଁମାନେ ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରିବା ପାଇଁ ଧାଉଁଥିଲେ । ଏ ୫-ଟି ମାର୍କା ଗୁଣ୍ଡାମାନେ କିଏ? ସେମାନେ ପୋଲିସ ନାଁ ସରକାରୀ ଦଳର କର୍ମୀ? ୫-ଟି ସେକ୍ରେଟାରୀଙ୍କ ପ୍ରରୋଚନାରେ ଏମାନଙ୍କୁ ମୁତୟନ କରାଯାଇଥିଲା କି? ଏହାର ଜବାବ ନିଜେ ସଚିବ ରଖିବା ଉଚିତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
୫-ଟି ସଚିବ ଅଭିଯୋଗ ଆଳରେ ନିଜକୁ ବିଜ୍ଞପିତ କରିବା ବନ୍ଦ କରନ୍ତୁ । ପାଂଚଟି ପରିବାର ଯାଜପୁରରୁ ଲୁଟ୍ କରୁଛନ୍ତି । ଏକ ନିର୍ଦ୍ଦିଷ୍ଟ ପରିବାରର ବାପ ଓ ପୁଅ କୋଣାର୍କ ଟିଭିକୁ ଖାଇଦେଲେ, ସରକାରୀ ଜମି ହଡପ କରିଛନ୍ତି । ଧର୍ମଶାଳାର ଡଙ୍କାରୀ ଓ ବିଚ୍ଛାଖଣ୍ଡ ପାହାଡ ଲୁଟ୍‌ରେ ମାନ୍ୟବର ଲୋକାୟୁକ୍ତ ବ୍ୟାପକ ଲୁଟ୍‌କୁ ଗମ୍ଭୀରତାର ସହ ନେଇ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଲୁଟେରାମାନଙ୍କୁ କେବେ ବାନ୍ଧିବେ ୫-ଟି ସଚିବ? ବଡଚଣା ହେଉଛି ଇନ୍ଦିରା ଆବାସ ଚୋରୀର ଏନ୍ତୁଡିଶାଳ । କୋଣାର୍କ ଝୋଟକଳକୁ ନବୀନ ବାବୁ ବିକି ଦେଲେ । ବିଝାରପୁରରେ ଭାଇ-ଭଉଣୀ ନିଷ୍ପାପ ପିଲାମାନଙ୍କ ଛତୁଆ ଓ ଡାଲି ହଡପ ସର୍ବଜନ ବିଦୀତ । ଏ ଅଭିଯୋଗକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ପାଖକୁ ଯାଇଥିଲେ ଭୋଟ ଭିକ୍ଷା କରିବା ପାଇଁ । ଏବେ ସମ୍ପୂର୍ଣ୍ଣ ଓଲଟା । ସାଧାରଣ ଲୋକଙ୍କ ସମର୍ଥନରେ ସେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ଅଭିଯୋଗ ନେବା ପାଇଁ ସେ ନିଜେ ଯିବା ଉଚିତ । ମୁଖ୍ୟମନ୍ତ୍ରୀ ସ୍ୱାର୍ଥପର ହେବା ଉଚିତ ନୁହେଁ । ସ୍ୱାର୍ଥ ସରିଗଲେ ଶଙ୍ଖାସୁର ଯେଉଁଭଳି ଶଙ୍ଖଖୋଳପାରେ ଲୁଚିଯାଏ, ବର୍ତମାନ ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଠିକ୍ ସେହିପରି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ସୁଜିତ୍ କୁମାର ଦାସ୍‌, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love