ଡବଲ୍‌’ ହୃଦ୍‌ଘାତରେ ମଲେ ‘ଇନ୍‌ଷ୍ଟା’ରେ ଫିଟ୍‌ନେସ୍‌ କଥା ଲେଖୁଥିବା ମହିଳା

ବ୍ରାସିଲିଆ: ସାମାଜିକ ଗଣମାଧ୍ୟମର ‘ଫିଟ୍‌ନେସ୍‌ ଇନ୍‌ଫ୍ଲୁଏନ୍‌ସ୍‌ର୍‌’ ଭାବେ ଲୋକପ୍ରିୟ ହୋଇଥିବା ବ୍ରାଜିଲ୍‌ର ଲାରିସା ବଗେସ୍‌ଙ୍କର ‘ଡବଲ୍‌’ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୩ ବର୍ଷ ହୋଇଥିଲା। ଡାକ୍ତରଖାନାରେ ଗୋଟିଏ ସପ୍ତାହ ରହିବା ପରେ ତାଙ୍କର ମୃତ୍ୟୁ ଘଟିଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ତାଙ୍କ ‘ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌’ରେ ପରିବାର ଲୋକେ ତାଙ୍କ ମୃତ୍ୟୁ ଖବର ସୁନିଶ୍ଚିତ କରିଛନ୍ତି। ମାତ୍ର ୩୩ ବର୍ଷ ଭଳି ଏତେ କମ୍‌ ବୟସର ଜଣେ ଦୟାଶୀଳା ଯୁବତୀଙ୍କୁ ହରାଇବା ଦୁଃଖଦାୟକ। ଆମେ ଶୋକରେ ବୁଡ଼ିଯାଇଛୁ; ଆମର ବ୍ୟଥାକୁ ଭାଷାରେ ପ୍ରକାଶ କରିହେବ ନାହିଁ।

ଜୀବନ ବଞ୍ଚାଇବା ପାଇଁ ସେ ସାହସର ସହିତ ସଂଗ୍ରାମ କରିଥିଲେ ବୋଲି ସେମାନେ କହିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗ୍ରାମାଡୋ ବୁଲି ଯାଇଥିବା ବ‌େଳେ ହୃଦ୍‌ଘାତରେ ପୀଡ଼ିତା ହୋଇ ଅଗଷ୍ଟ ୨୦ ତାରିଖରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତା’ପରେ ସେ ‘କୋମା’ ଅବସ୍ଥାକୁ ଚାଲିଯାଇଥିଲେ। ତା’ପରେ ଦ୍ବିତୀୟ ଥର ହୃଦ୍‌ଘାତ ହେଲା ଓ ତାଙ୍କର ମୃତ୍ୟୁ ଘଟିଲା। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ। କିନ୍ତୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ହୃଦ୍‌ପିଣ୍ଡ ସମସ୍ୟା ଦେଖାଦେଇଥିବା ବ‌େଳେ ସେ ନିଶାଗ୍ରସ୍ତ ଥାଇପାରନ୍ତି। ସୂଚନାଯୋଗ୍ୟ, ସାମାଜିକ ଗଣମାଧ୍ୟମରେ ଫିଟ୍‌ନେସ୍‌, ଫେସନ୍‌ ଓ ଭ୍ରମଣ ଉପରେ ବର୍ଗେସ୍‌ ନିୟମିତ ଆଲେଖ୍ୟ ଲେଖୁଥିଲେ। ‘ଇନ୍‌ଷ୍ଟାଗ୍ରାମ୍‌’ରେ ତାଙ୍କର ୩୧ ହଜାରରୁ ଅଧିକ ଅନୁଗାମୀ ଅଛନ୍ତି।

Spread the love