ଜି-୨୦ ପାଇଁ ଭାରତ ଆସିବେନି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ !

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ଦେବେ ନାହିଁ । ଏ ସଂପର୍କରେ ଏକ ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ଏକ ରିପୋର୍ଟ ପ୍ରକାଶ କରିଛି । ଚୀନରେ ଅବସ୍ଥାପିତ ଜଣେ ଭାରତୀୟ କୂଟନୀତିଜ୍ଞ ଓ ଅନ୍ୟ ଜଣେ ଜି-୨୦ ଅଧିକାରୀଙ୍କ ସୂଚନାକୁ ଭିତ୍ତି କରି ଏହି ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଯେ ସି ଜିନିପିଙ୍ଗ୍ ନିଜେ ଆସିବା ବଦଳରେ ଚୀନର ପ୍ରତିନିଧିଭାବେ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କୁ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ପଠାଇପାରେ । ଗତ ବୁଧବାର ସୁଦ୍ଧା ଜି-୨୦ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ ବିଷୟରେ କୌଣସି ନିଶ୍ଚିତତା ମିଳିନାହିଁ।

ନିକଟରେ ଦକ୍ଷିଣ ଆଫ୍ରିକାରେ  ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଏକ ଅଣ-ଔପଚାରିକ ଆଲୋଚନା ହୋଇଥିଲା । ଏହା ପରେ ଆଶା କରାଯାଉଥିଲା ଯେ ଜିନପିଙ୍ଗ ଭାରତ ଆସିପାରନ୍ତି । କିନ୍ତୁ ଏବେ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବି ଭାରତ ଆସିବେନି ବୋଲି କହିସାରିଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗଦେବେ ବୋଲି ସୂଚନା ମିଳିଛି। ଯଦି ଜିନପିଙ୍ଗ ଭାରତ ଆସନ୍ତି ତାଙ୍କର ବାଇଡେନଙ୍କ ସହ ସାକ୍ଷାତ ହେବ ବୋଲି ଆଶା କରାଯାଉଥିଲା । ତାଇଓ୍ଵାନକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ବିବାଦ ଲାଗି ରହିଛି। ଏଣୁ ଏହି ସମ୍ଭାବ୍ୟ ବୈଠକକୁ ଗୁରୁତ୍ବ ଦିଆଯାଉଥିଲା । କିନ୍ତୁ ଏବେ ଏହି ସମ୍ଭାବ୍ୟ ବୈଠକ ବି ଅନିଶ୍ଚିତ ହୋଇଯାଇଛି ।

Spread the love