ମୋଦୀଙ୍କ ଚକ୍‌ମା: ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ଲୋକସଭାର ଆଗୁଆ ନିର୍ବାଚନ ପାଇଁ କେନ୍ଦ୍ର ପ୍ରସ୍ତୁତି ଚଳାଇଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ମୋଦୀ ସରକାର ଆଜି ଆଉ ଏକ ଚକମା ଦେଖାଇବାକୁ ଉଦ୍ୟମ କରିଛନ୍ତି। ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କଥା କହି ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି। ଲୋକସଭା ନିର୍ବାଚନ ସହିତ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ଏକ ସମୟରେ କରାଇବା ହେଉଛି ଏହାର ଉଦ୍ଦେଶ୍ୟ। ଏହି ସ୍ବପ୍ନ କିପରି ସାକାର ହୋଇପାରିବ, ତାହା ଉପରେ ଅନୁଧ୍ୟାନ ଲାଗି ସରକାର ଏକ କମିଟି ଗଠନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିବା ଆଜି ଘୋଷଣା କରିଛନ୍ତି। କମିଟିର ଉଦ୍ଦେଶ୍ୟ ହେଉଛି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ଅବଧାରଣକୁ ଲାଗୁ କରିବା ସଂଭାବନାକୁ ନେଇ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା। କମିଟିର ରିପୋର୍ଟ ଉପରେ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ବିତର୍କ ହେବ ବୋଲି ସୂଚନା ଦିଆଯାଇଛି। ତେବେ ବିରୋଧୀ ଦଳମାନେ ସରକାରଙ୍କ ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ। ସରକାର ବିରୋଧୀ ଦଳମାନଙ୍କୁ ଶେଷ କରିଦେବା ପାଇଁ ଯୋଜନା କରୁଛନ୍ତି ବୋଲି ଇଣ୍ଡିଆ ମେଣ୍ଟର କେତେକ ନେତା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୮ରୁ ୨୨ ସେପ୍‌ଟେମ୍ବର ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବାର ଗୋଟିଏ ଦିନ ପରେ ସରକାର ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଦିଗରେ ପଦକ୍ଷେପ ସ୍ବରୂପ କମିଟି ଗଠନ କରିଛନ୍ତି। ସରକାର ସଂସଦର ସ୍ବତନ୍ତ୍ର ଅଧିବେଶନ ନେଇ କୌଣସି ଏଜେଣ୍ଡା ଘୋଷଣା କରିନଥିବା ବେଳେ ଜଣେ ମନ୍ତ୍ରୀ କହିଛନ୍ତି ଯେ ଏହି ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହେବ। ଆଜି ଗଠନ ହୋଇଥିବା କମିଟି ସମଗ୍ର ଦେଶରେ ଏକ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯିବା ନେଇ ସ୍ଥିତି ଆକଳନ କରିବା ପରେ ରିପୋର୍ଟ ଉପସ୍ଥାପନ କରିବ।

ଏହାପରେ ଆଗାମୀ ଦିନରେ ଦେଶବ୍ୟାପୀ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକସଂଗରେ କରିବା ପାଇଁ ପ୍ରସ୍ତୁତି ଚାଲିବ କି ନାହିଁ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା, ବିଧାନସଭା ନିର୍ବାଚନ ଏକ ସମୟରେ କରିବା ପାଇଁ ବିଭିନ୍ନ ସମୟରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଆସିଛନ୍ତି। ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନେଇ ଗଠନ ହୋଇଥିବା କମିଟି ଉଭୟ ଆଇନଗତ ଓ ରାଜନୈତିକ ମତ ଆଧାରରେ ନିଜ ରିପୋର୍ଟ ପ୍ରସ୍ତୁତ କରିବ। ପୂର୍ବତନ ରାଷ୍ଟ୍ରପତିଙ୍କ ସମେତ ଦୁଇ ଜଣ ପୂର୍ବତନ ଅବସରପ୍ରାପ୍ତ ବିଚାରପତି ମଧ୍ୟ ଏହି କମିଟିରେ ସାମିଲ ହୋଇପାରନ୍ତି। କୁହାଯାଉଛି ଯେ ଭାରତର ପ୍ରଧାନବିଚାରପତି ମଧ୍ୟ ଏହି କମିଟିର ଏକ ଅଂଶ ହେବେ। ଏହି କମିଟି ସବୁ ରାଜନୈତିକ ଦଳ ସହିତ ବିଚାରବିମର୍ଶ କରି ସହମତି ଆଣିବାକୁ ଚେଷ୍ଟା କରିବ। ଏକସଂଗରେ ନିର୍ବାଚନ ପାଇଁ ପ୍ରସ୍ତାବିତ ପରିବର୍ତ୍ତନରେ ଅନେକ ସାମ୍ବିଧାନିକ ସଂଶୋଧନ ମଧ୍ୟ ସାମିଲ ରହିଛି। ସୂଚନାଯୋଗ୍ୟ, ନଭେମ୍ବର ଓ ଡିସେମ୍ବରରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ଏବଂ ଏହାପରେ ଆସନ୍ତା ବର୍ଷ ମେ-ଜୁନ୍‌ରେ ଲୋକସଭା ସହିତ ୧୦ଟି ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Spread the love