କୁନୋ ଚିତା ମୃତ୍ୟୁ ଘଟଣାକୁ କାହିଁକି ସ୍ବାଭାବିକ କହିଲେ ନାମିବ୍ୟା ହାଇକମିସନର୍‌

କୋଲ୍‌କାତା: ତାଙ୍କ ଦେଶ ଓ ଦକ୍ଷିଣ ଆଫ୍ରିକାରୁ ମଧ୍ୟପ୍ରଦେଶକୁ ଅଣାଯାଇଥିବା ଚିତାମାନଙ୍କରୁ କେତେଜଣଙ୍କର ମୃତ୍ୟୁ ହୋଇଥିବା ଘଟଣାକୁ ସ୍ବାଭାବିକ ବୋଲି ଶନିବାର ଦିନ ଭାରତରେ ଅବସ୍ଥାନ କରୁଥିବା ନାମିବ୍ୟା ହାଇକମିସନର୍‌ ଗାବ୍ରିଏଲ୍‌ ସିନିମ୍ବୋ କହିଛନ୍ତି। ସେମାନଙ୍କୁ ନୂତନ ପରିବେଶକୁ ଅଣାଯାଇଥିବାରୁ ଏଭଳି ଘଟୁଛି। କିନ୍ତୁ, ସେମାନେ ଭାରତୀୟ ପରିବେଶରେ ସମ୍ପୂର୍ଣ୍ଣ ଅଭ୍ୟସ୍ତ ହୋଇଯିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।  ସ୍ମରଣଯୋଗ୍ୟ, ୨ଟି ଦେଶରୁ ଅଣାଯାଇଥିବା ସମୁଦାୟ ୨୦ଟି ଚିତାରୁ ୯ଜଣଙ୍କର ମୃତ୍ୟୁ ଘଟିଲାଣି।

ଏ ପ୍ରସଙ୍ଗରେ ସିନିମ୍ବୋ କହିଲେ, ପ୍ରାଣୀମାନଙ୍କୁ ନୂତନ ପରିବେଶରେ ଛାଡ଼ିଲେ ମୃତ୍ୟୁ ଭଳି କେତେକ ସମସ୍ୟା ଦେଖା ଦେଇପାରେ। ଏହା ଏ ଧରଣର ଯେକୌଣସି ପ୍ରକଳ୍ପର ଅଂଶବିଶେଷ। ସେ ଆହୁରି ମଧ୍ୟ କହିଛନ୍ତି, ପୁଣି ଥରେ ସ୍ବଦେଶକୁ ବଡ଼ ବିରାଡ଼ି ପ୍ରଜାତି (ଚିତା) ଆଣିବାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ହେଉଛି ଗୋଟାଏ  ଅଭିନବ ପ୍ରକଳ୍ପ। ଏଥିପାଇଁ ନାମିବ୍ୟା ଅତ୍ୟନ୍ତ ଆନନ୍ଦିତ। ଏହା ଆମ ସମ୍ପର୍କକୁ ଆହୁରି ସୁଦୃଢ଼ କରିଛି। ସୂଚନାଯୋଗ୍ୟ, ବାକି ୭ଟି ଅଣ୍ଡିରା, ୬ଟି ମାଈ ଚିତା ଓ ୧ଟି ମାଈ ଚିତାଛୁଆଙ୍କୁ ସମ୍ପ୍ରତି କୁନୋରେ ଥିବା ‘ଏନ୍‌କ୍ଲୋଜର୍‌’ରେ ରଖାଯାଇଛି। କୁନୋ ବନ୍ୟପ୍ରାଣୀ ଚିକିତ୍ସକ ଓ ନାବିବ୍ୟା ବିଶେଷଜ୍ଞମାନେ ନିୟମିତ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି।

Spread the love