ବିଧାନସଭା ଅଧିବେସନରେ ବିଜେପି ଏହାର କଡାଗଣ୍ଡା ହିସାବ ମାଗିବ: କୁସୁମ ଟେଟେ

ଭୁବନେଶ୍ୱର,ତା.୦୩/୦୯: ଜଣେ ଓଡ଼ିଆ ଭାବରେ ରାଜ୍ୟରେ ଯେଉଁଭଳି ଶାସନ ବ୍ୟବସ୍ଥା ଚାଲିଛି ତାହା ଆପଣଙ୍କୁ ବ୍ୟଥିତ କରୁନାହିଁ କି? “ସଚିବ ବଡ ନା ମନ୍ତ୍ରୀ ବଡ”, ଓଡ଼ିଶାର ଜନମାନସରେ ଅନେକ ଦିନ ଧରି ଏହି କଥାଟି ଉଦ୍‌ବେଗର କାରଣ ସାଜିଛି । ଆଜି ଆପଣଙ୍କ ପ୍ରତିକ୍ରିୟା ପ୍ରମାଣ କଲା ଯେ, ‘ସଚିବ ବଡ’ । ଅଭିଯୋଗ ଆସିଥିଲା ସଚିବଙ୍କ ବିରୋଧରେ କିନ୍ତୁ ପ୍ରତିକ୍ରିୟା ଦେଲେ ଆପଣ, ଜଣେ ମନ୍ତ୍ରୀ । ଦୁଇଟି ବିଭାଗର ମନ୍ତ୍ରୀ ଭାବରେ ଆପଣ କେତେଥର ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିପାରିଛନ୍ତି ବୋଲି ସୁନ୍ଦରଗଡ ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଆଜି ଟ୍ୱିଟ୍ କରି ରାଜ୍ୟ ପରିବହନ ମନ୍ତ୍ରୀ ତଥା ବିଜେଡି ନେତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।

ଗତକାଲି ଆମ ଦଳ ତରଫରୁ ଯେଉଁ ବୈଧାନିକ ପ୍ରଶ୍ନ କରାଯାଇଥିଲା ତାହାର ଉତର ଆପଣ କେବେ ଦେବେ? ଜଣେ ସଚିବ ବାହାଘର ଭୋଜି ଖାଇବା ପାଇଁ, ପାରିବାରିକ ଉତ୍ସବରେ ଯୋଗ ଦେବା ପାଇଁ, ଆମୋଦ ପ୍ରମୋଦ ପାଇଁ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିପାରିବେ କି? ୧୪ମେ ଓ ୨୮ଜୁନ୍‌ରେ କେଉଁ ସରକାରୀ କାର୍ଯ୍ୟକ୍ରମ ଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ସଚିବ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିଥିଲେ ତାହା ଆପଣ ଆଜି ସ୍ପଷ୍ଟ କଲେ ଭଲ ହୁଅନ୍ତା ବୋଲି ଶ୍ରୀମତୀ ଟେଟେ ପ୍ରଶ୍ନ କରିଛନ୍ତି ।
ମାତ୍ର ୬ମାସ ଭିତରେ ୭୫ଥର ସରକାରୀ ଅର୍ଥରେ ହେଲିକ୍ୟାପ୍ଟର, ସ୍ୱତନ୍ତ୍ର ବିମାନ, ଅତ୍ୟାଧୁନିକ ବିଜ୍‌ନେସ୍ ଜେଟ୍ ବ୍ୟବହାର ହୋଇଛି । ଏହାଦ୍ୱାରା ସାଧାରଣ ଓଡ଼ିଶା ଲୋକଙ୍କର କଣ ଲାଭ ହୋଇଛି? ଏହି ୭୫ଥର କେଉଁ କେଉଁମାନେ ହେଲିକ୍ୟାପ୍ଟରରେ ଯାତ୍ରା କରିଛନ୍ତି ତାହା ସ୍ପଷ୍ଟ କଲେ ଭଲ ହୁଅନ୍ତା । ଲୋକଙ୍କ ମନରେ ଏହାକୁ ନେଇ ସନ୍ଦେହ ହେଲାଣି । ୫-ଟି ସଚିବଙ୍କର ଜିଲ୍ଲାବୁଲା କାର୍ଯ୍ୟକ୍ରମରେ ଯେଉଁ ଭଳି ଭାବେ ପାଖାପାଖି ୫୦୦କୋଟି ଟଙ୍କା ଅର୍ଥ ବରବାଦ ହେଲା ଏହା ଜନବିରୋଧୀ ନୁହେଁ କି? ଆପଣଙ୍କ ପାଇଁ ଏହି ୫୦୦କୋଟି ଟଙ୍କା କମ୍ ହୋଇପାରେ କିନ୍ତୁ ଓଡ଼ିଶାବାସୀଙ୍କ ପାଇଁ ଏହା ବହୁତ ମୂଲ୍ୟବାନ । ଆସନ୍ତା ବିଧାନସଭା ଅଧରବେସନରେ ବିଜେପି ଏହାର କଡାଗଣ୍ଡା ହିସାବ ମାଗିବ ବୋଲି ଶ୍ରୀମତୀ ଟେଟେ ସ୍ପଷ୍ଟ କରିଦେଇଛନ୍ତି ।

Spread the love