ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେଲା ସୂର୍ଯ୍ୟ ପାତ୍ରଙ୍କ ଅନ୍ତିମ ସଂସ୍କାର, ବଡ଼ପୁଅ ଦେଲେ ମୁଖାଗ୍ନି

ଭୁବନେଶ୍ବର/ବ୍ରହ୍ମପୁର/ଦିଗପହଣ୍ଡି: ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର(୭୪) ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଗଂଜାମ ଜିଲ୍ଲା ଦିଗପହଣ୍ଡିସ୍ଥିତ ମଶାଣୀରେ ରବିବାର ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଶେଷକୃତ୍ୟ ସଂପନ୍ନ କରାଯାଇଛି। ସୂର୍ଯ୍ୟ ପାତ୍ରଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ତାଙ୍କର ବଡ଼ପୁଅ ବିପ୍ଲବ ପାତ୍ର ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ପରିବାରର ଅନ୍ୟ ସଦସ୍ୟ, ସଂପର୍କୀୟ, ବନ୍ଧୁବାନ୍ଧବ, ସମର୍ଥକ, ଶୁଭେଚ୍ଛୁ ଉପସ୍ଥିତ ଥିଲେ। ସେହିପରି ଗଂଜାମ ଜିଲ୍ଲାର ବହୁ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ।

ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମରଶରୀରରେ ଛତ୍ରପୁରର ଡିଆରଡିଏ ଛକ ଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ସମେତ ବହୁ ଦଳୀୟ ନେତୃମଣ୍ଡଳୀ, ଜନ ପ୍ରତିନିଧି ଏବଂ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ। ଏହି ଅବସରରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବରିଷ୍ଠ ବିଜେଡି ନେତା ବିଶ୍ୱନାଥ ସାହୁ, ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ନଗର ବିଜେଡି ସଭାପତି ବି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୂଖ ପଟ୍ଟନାୟକ, ଯୁବ ବିଜେଡି ବ୍ଲକ ସଭାପତି କାଳିଆ ନାହାକ, ଉପସଭାପତି କାହ୍ନୁ ଚରଣ ବେହେରା, ଯୁବ ବିଜେଡି ନଗର ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଜିଲ୍ଲାପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, ଶ୍ରୀରାମ ଚନ୍ଦ୍ର ପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ପୋଟଲାମପୁର ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ,ପୂର୍ବତନ କାଉନସିଲର ରାଜେଶ ସାହୁ ଓ କିଶୋର ଚନ୍ଦ୍ର ସେନାପତି, ଯୁବ ନେତା କିଶୋର ବେହେରା, ସରକାରୀ ଓକିଲ ଭୈରବୀ ପଟ୍ଟନାୟକଙ୍କ ସମେତ ବହୁ ଆଇନଜୀବୀ ଓ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Spread the love