ବିଜେପି କହିଲା- ତଦନ୍ତ କମିସନର ରିପୋର୍ଟକୁ ରାଜ୍ୟ ସରକାର କାହିଁକି ସାର୍ବଜନୀନ କରୁ ନାହାନ୍ତି?

ଭୁବନେଶ୍ବର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି। ବସିଥିବା ତଦନ୍ତ କମିସନର ରିପୋର୍ଟକୁ ରାଜ୍ୟ ସରକାର କାହିଁକି ସାର୍ବଜନୀନ କରୁ ନାହାନ୍ତି ବୋଲି କହିଛି। ଏହି ରିପୋର୍ଟକୁ ସରକାର ବିଧାନସଭାରେ କାହିଁକି ଉପସ୍ଥାପନ କରୁନାହାନ୍ତି ? କେଉଁଠି ଅସୁବିଧା ରହୁଛି ରାଜ୍ୟ ସରକାରଙ୍କର ?  ଏଥିରେ ରାଜ୍ୟ ସରକାରଙ୍କର କଣ ବ୍ୟାକ ଡୋର ଏଜେଣ୍ଡା ରହିଛି କି ?  ବିଜେପିର ଦାବି ସରକାର ତୁରନ୍ତ ସେହି ରିପୋର୍ଟକୁ ସାର୍ବଜନୀନ କରନ୍ତୁ ? ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଉ ନଥିବା କାରଣରୁ ରାଜ୍ୟ ସରକାରଙ୍କ ନିୟତ ଖରାପ ଥିବା ମନେ ହେଉଛି। ଘଟଣା ପଛରେ ଓଡ଼ିଶା ସରକାରଙ୍କର ହିଁ ହାତ ରହିଛି। ସେଦିନ ସ୍ୱାମୀଜୀଙ୍କୁ ଯେମିତି ସୁରକ୍ଷା ଦିଆଯିବା କଥା ତାହା ରାଜ୍ୟ ସରକାର ଯୋଗାଇ ଦେଇ ନଥିଲେ। ରାଜ୍ୟ ସରକାର ସେବେ ସୁରକ୍ଷା ଦେଇ ନଥିଲେ ଏବେ କମିସନଙ୍କ ରିପୋର୍ଟକୁ ଲୁଚାଉଛନ୍ତି। ଯଦି ନିୟତ ଠିକ ଥାନ୍ତା ତେବେ କମିସନଙ୍କ ରିପୋର୍ଟକୁ ସାର୍ବଜନୀନ କରି ସାରନ୍ତେଣି।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଲକ୍ଷ୍ମଣାନନ୍ଦ ସରସ୍ଵତୀ ସର୍ବଜନିତ। ଜ୍ଞାନ ଗାରୀମାର ମନ୍ଦିର। ତାଙ୍କ ହତ୍ୟା ସମୟରେ ବିଜେଡି-ବିଜେପିର ମିଳିତ ସରକାର ଥିଲା। ଯଦି ତାଙ୍କ ପାଇଁ ବିଜେପିକୁ କଷ୍ଟ ହେଉଛି। ତେବେ ସେତେବେଳେ କଣ ପାଇଁ ସରକାରରୁ ବାହାରି ଗଲେଣି। ତଦନ୍ତ ପାଇଁ କମିଟି ବସାଇଲେ ସମସ୍ତେ ଖୁସ୍ । ଏହାରି ଭିତରେ ୧୫ ବର୍ଷ ହୋଇଗଲାଣି। ରିପୋର୍ଟ ରିପୋର୍ଟରେ ରହିଗଲା। ବିଜେଡି ବାହାବାହା ନେଉଛି। ବିଧାନସଭାରେ ଆଲୋଚନା ହେଲା ହେଲେ ରିପୋର୍ଟ ଆସିଲାନି।ସମସ୍ତଙ୍କର ଅଧିକାର ଅଛି ତଦନ୍ତ କଣ ହେଲା ତାକୁ ଜାଣିବା ପାଇଁ।କିନ୍ତୁ ସବୁ ଚୁପ୍ ସମସ୍ତେ ନୀରବ କଣ ପାଇଁ ?

ଚକାପାଦ ଗୁରୁକୁଳ ଆଶ୍ରମର ପରିଚାଳକ ସ୍ୱାମୀ କୃଷ୍ନାନନ୍ଦ ସରସ୍ବତୀ କହିଛନ୍ତି, ୨୦୦୮ ଜନ୍ମାଷ୍ଟମୀ ଦିନ ସ୍ୱାମୀଜୀଙ୍କୁ ଆତତାୟୀମାନେ ଗୁଳି କରି ନିର୍ମମ ଭାବେ ହତ୍ୟା କରିଥିଲେ ଏବଂ ସ୍ୱାମୀଜୀଙ୍କୁ ଚକାପାଦସ୍ଥିତ ଗୁରୁକୁଳ ଆଶ୍ରମରେ ସମାଧି ଦିଆଯାଇଥିଲା। ତେଣୁ ହିନ୍ଦୁ ରୀତିନୀତି ଅନୁଯାୟୀ ଆଜିଠାରୁ ଆସନ୍ତାକାଲି ଜନ୍ମାଷ୍ଟମୀ ତିଥି ସମୟ ସରିବା ପର୍ଯ୍ୟନ୍ତ ଆଶ୍ରମରେ ସ୍ୱାମୀଜୀଙ୍କ ତିରୋଧାନ ଦିବସ ପାଳନ କରାଯାଉଛି। ଆଜି ଅପରାହ୍ନ ଠାରୁ ଅଷ୍ଟମୀ ତିଥି ଆରମ୍ଭ ହେଉଥିବାରୁ ଆଜି କୃଷ୍ଣ ଉତ୍ସବ ସହିତ ଆଶ୍ରମ ପରିସରରେ ଭାଗବତ ପାଠ କରାଯିବ ଏବଂ ଆସନ୍ତାକାଲି ସ୍ୱାମୀଜୀଙ୍କ ତିରୋଧାନ ଦିବସ ଉପଲକ୍ଷେ ସ୍ୱାମିଜୀଙ୍କ ସମାଧି ପୀଠରେ ପୂଜା ପାଠ, ସ୍ମୃତିଚାରଣ ଏବଂ ପ୍ରସାଦ ସେବନ ପ୍ରଭୃତି କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ସ୍ୱାମୀଜୀଙ୍କ ବହୁ ଶ୍ରଦ୍ଧାଳୁ ଏବଂ ଅନ୍ତେବାସୀ  ଯୋଗ ଦେବେ ବୋଲି ଚକାପାଦ ଗୁରୁକୁଳ ଆଶ୍ରମର ପରିଚାଳକ ସ୍ୱାମୀ କୃଷ୍ନାନନ୍ଦ ସରସ୍ବତୀ କହିଛନ୍ତି। ଏହା ସହିତ ସ୍ୱାମିଜୀଙ୍କ ପ୍ରକୃତ ହତ୍ୟାକାରୀକୁ ଆଜି ପର୍ଯ୍ୟନ୍ତ ସରକାର ଧରିପାରିନାହାନ୍ତି ଏବଂ ୩/୩ କମିସନ ରିପୋର୍ଟକୁ ସରକାର ସାର୍ବଜନୀନ କରୁନଥିବାରୁ ସ୍ୱାମୀଜୀ କ୍ଷୋଭ ପ୍ରକାଶ କରିଛନ୍ତି।

Spread the love