ଇଣ୍ଡିଆରୁ ଭାରତ ହେଲେ କେତେ ଖର୍ଚ୍ଚ ହେବ ?

ନୂଆଦିଲ୍ଲୀ : ଆମ ଦେଶର ନାଁ ଇଣ୍ଡିଆ ପରିବର୍ତ୍ତେ ଭାରତ ହେବ ବୋଲି ଚର୍ଚ୍ଚା ହେଉଛି । ଏହାକୁ ନେଇ ବଡ଼ ବିବାଦ ବି ଦେଖାଦେଇଛି । କିନ୍ତୁ ଯଦି ସରକାର ସତରେ ନାଁ ବଦଳାନ୍ତି ତେବେ ଦେଶର ରାଜକୋଷରୁ କେତେ ବ୍ୟୟ ହେବ ?

ପ୍ରତ୍ୟେକ ପରିବର୍ତ୍ତନ ସହିତ କିଛି ନା କିଛି ଖର୍ଚ୍ଚ ବହନ କରିଥାଏ । ଜଣେ ବ୍ୟକ୍ତିର ନିଜ ନାଁ, ଅଥବା ଏକ ଅନୁଷ୍ଠାନର ନାଁ କିମ୍ବା ସହରର ନାଁ, –  ନାମ ପରିବର୍ତ୍ତନ ବିନା ମୂଲ୍ୟରେ ହୁଏ ନାହିଁ । ତେବେ ଗୋଟିଏ ଦେଶର ନାଁ ବଦଳାଇଲେ କେତେ ଖର୍ଚ୍ଚ ହେବ ?ଦେଶର ନାମ ପରିବର୍ତ୍ତନ ହେଲେ ସମସ୍ତ ଦସ୍ତାବିଜ, ଅଫିସିଆଲ ୱେବସାଇଟ୍, ଦେଶର ବିଭିନ୍ନ ଅନୁଷ୍ଠାନ ଓ ଅନ୍ୟାନ୍ୟ ବଡ଼ ଧରଣର ପରିବର୍ତ୍ତନ କରିବାକୁ ପଡ଼ିବ। ସମସ୍ତଙ୍କର ନିଜସ୍ୱ ଭିନ୍ନ ଭିନ୍ନ ଖର୍ଚ୍ଚ ରହିବ । ଏସବୁକୁ ମିଶାଇଲେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ଅନୁମାନ କରାଯାଏ  ।

ଏହା ପୂର୍ବରୁ କେତେକ ଦେଶ ନିଜ ନାଁ ପରିବର୍ତ୍ତନ କରିଛନ୍ତି । ଆଉଟଲୁକର ଏକ ରିପୋର୍ଟ ଅନୁସାରେ ଗୋଟିଏ ଦେଶର ନାମ ପରିବର୍ତ୍ତନ କଲେ ଯେତେ ଖର୍ଚ୍ଚ ହେବ ତାହାର ଏକ ସୁତ୍ର ବାହାର କରିଛନ୍ତି ଦକ୍ଷିଣ ଆଫ୍ରିକାର ଓକିଲ ଜେରେନ ଓଲିଭିୟର । ତାଙ୍କ ଫର୍ମୁଲା ଅନୁସାରେ ଆମ ଦେଶର ନାଁ ବଦଳିଲେ ପ୍ରାୟ ୧୪ ହଜାର ୩୦୪ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଭାରତର ଖାଦ୍ୟ ସୁରକ୍ଷା ବଜେଟ ସହ ସମାନ । ଗତ ଆର୍ଥିକ ବର୍ଷରେ ଭାରତର ରାଜସ୍ବକୁ ହିସାବକୁ ନେଇ ଏହି ଫଳାଫଳ ବାହାର କରାଯାଇଛି ।

Spread the love