ଅବସରପ୍ରାପ୍ତ ପ୍ୟାକ୍ସ ସମ୍ପାଦକଙ୍କୁ ୨ ବର୍ଷ ଜେଲ୍‌

ସୋନପୁର/ଉଲୁଣ୍ଡା: ଲାଞ୍ଚ ନେବା ମାମଲାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପଞ୍ଚମହଲା ପ୍ୟାକ୍ସର ଅବସରପ୍ରାପ୍ତ ସମ୍ପାଦକ ଯୁଗଳକିଶୋର ମିଶ୍ରଙ୍କୁ ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ବିବରଣୀ ଅନୁଯାୟୀ, ୨୦୧୬ ମସିହା ଜୁନ୍‌ ୭ ତାରିଖରେ ନିମ୍ନା ଗ୍ରାମର ଚାଷୀ ଆର୍ତ୍ତତ୍ରାଣ ପାଣ୍ଡିଆଙ୍କଠାରୁ ଧାନ ବିକ୍ରି ସକାଶେ ଟୋକନ କରିଦେବା ପାଇଁ ୨ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ପଞ୍ଚମହଲା ପ୍ୟାକ୍ସର ତତ୍କାଳୀନ ସମ୍ପାଦକ ଯୁଗଳକିଶୋର ମିଶ୍ର ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ଏ ସମ୍ପର୍କରେ ଅଭିଯୋଗକୁ ଭିତ୍ତିକରି ସମ୍ବଲପୁର ଭିଜିଲାନ୍ସ ପିଏସ କେସ୍‌ ନଂ ୫/ ୭.୬.୨୦୧୬ ଧାରା ୧୩(୨)ଆର/ଡବ୍ଲୁ, ୧୩(୧)(ଡି)/୭ ପିସି ଆକ୍ଟ ୧୯୮୮ ଅନୁଯାୟୀ ଶ୍ରୀ ମିଶ୍ରଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଧାରା ୧୩(୨)ଆର/ଡବ୍ଲୁ, ୧୩(୧)(ଡି) ପିସି ଆକ୍ଟ ୧୯୮୮ରେ ୨ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫ ହଜାର ଟଙ୍କା ଜରିମାନା ତଥା ଜରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ରାୟରେ ଦର୍ଶାଇଛନ୍ତି। ସେହିପରି ଧାରା ୭ ପିସି ଆକ୍ଟ ୧୯୮୮ରେ ୧ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୩ ହଜାର ଟଙ୍କା ଜରିମାନା ତଥା ଜରିମାନା ଅନାଦେୟ ଅଧିକ ୨ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଦର୍ଶାଇଛନ୍ତି। ସମସ୍ତ ଦଣ୍ଡାଦେଶ ଏକକାଳୀନ ଭୋଗିବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି।

Spread the love