ସମ୍ବଲପୁରୀ ଲୋକଗୀତ ଡାଲଖାଇ ଗୀତର ତାଳେ ତାଳେ ନାଚିଲେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ମୁଖ୍ୟ କେ. ଜର୍ଜିଇଭା

ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଜି-୨୦ ସମ୍ମିଳନୀ । ବିଶ୍ବନେତାଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତ ଭାରତ । ଜି-୨୦ ସମ୍ମିଳନୀ ପାଇଁ ସଜ୍ଜିତ ହୋଇଛି ଭାରତ ମଣ୍ଡପମ୍ । ବିଶ୍ବର ଭବିଷ୍ୟତକୁ ନେଇ ଭାରତ ମାଟିରେ ହେବ ମହାମନ୍ଥନ । ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ରାଜଧାନୀ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେଉଛି ଜି ୨୦ ଶିଖର ସମ୍ମିଳନୀ । ବିଶ୍ବମଞ୍ଚରେ ଯୋଗ ଦେବେ ସଦସ୍ୟଭୁକ୍ତ ରାଷ୍ଟ୍ରର ଶକ୍ତିଶାଳୀ ନେତା ।

ଏହି ଅବସରରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦେଶକ ତଥା ଅଧ୍ୟକ୍ଷ କ୍ରିଷ୍ଟାଲିନା ଜର୍ଜିବା ଗୁରୁବାର ଦିଲ୍ଲୀରେ ଆସି ପହଞ୍ଚିଛନ୍ତି । କ୍ରିଷ୍ଟାଲିନା ଜର୍ଜିବା ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସମ୍ବଲପୁରୀ ଲୋକଗୀତ ଡାଲଖାଇର ତାଳେ ତାଳେ ସ୍ୱାଗତ କରାଯାଇଥିଲା । ସମ୍ବଲପୁରୀ ଗୀତରେ ସ୍ବାଗତ ବେଳେ ନିଜକୁ ଅଟକାଇ ପାରିଲେନି ବିଦେଶୀ ଅତିଥି କ୍ରିଷ୍ଟାଲିନା ଜର୍ଜିବା । ଗୀତର ତାଳେ ତାଳେ ନାଚିଥିଲେ । ସେହି ସମୟର ଭିଡିଓ ଭାଇରାଲ ହେଉଥିବା ବେଳେ ଅନେକ ଓଡ଼ିଆ ଏହାକୁ ଦେଖି ଗର୍ବ ଅନିଭବ କରୁଛନ୍ତି । ଏନେଇ ଟ୍ବିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର କଥା ବୋଲି କହିଛନ୍ତି ଆମ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ । 

ଏହି ଜି-୨୦ ମଞ୍ଚରେ ଦେଖିବାକୁ ମିଳିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପିଏମ ଋଷି ସୁନକ, କାନାଡା ପିଏମ ଜଷ୍ଟିନ ଟ୍ରୁଡୋ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରମ, ଜାପାନ ପିଏମ ଫିମିଓ କିଶିଦୋ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏଣ୍ଟୋନୀ ଅଲବନିଜ, ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସମେତ ବିଶ୍ବର ୨୦ ଦେଶର ରାଷ୍ଟ୍ରନେତାଙ୍କୁ । ଏହି ସମ୍ମିଳନୀରେ ବିଶ୍ବ ଅର୍ଥବ୍ୟବସ୍ଥା, ଭରିଷ୍ୟତର ଆହ୍ବାନ, ପରିବେଶ ସୁରକ୍ଷା ସମେତ ଆର୍ଥିକ ବିକାଶ ପରି ବୈଶିକ ପ୍ରସଙ୍ଗରେ ମହାମନ୍ଥନ ହେବ । ଏପଟେ ଜି-୨୦ ସମ୍ମିଳନୀ ପୂର୍ବରୁ ସ୍ତମ୍ଭ ଲେଖି ବିଶ୍ବକୁ ମାନବ କୈନ୍ଦ୍ରିକ ପ୍ରଗତିର ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଶ୍ବବାସୀଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସହ ଜି-୨୦ ସମ୍ମିଳନୀର ଉଦ୍ଦେଶ୍ୟ ବିଷୟରେ ଲେଖିଛନ୍ତି ପିଏମ୍ ମୋଦି ।

Spread the love