ହାଇକୋର୍ଟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ; ୯୭ଟି ମାମଲାର ଆପୋଷ ବୁଝାମଣାରେ ଫଏସଲା

କଟକ: ହାଇକୋର୍ଟରେ ଆଜି ଅନୁଷ୍ଠିତ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୯୭ଟି ମାମଲାର ଆପୋଷ ବୁଝାମଣାରେ ଫଏସଲା କରାଯାଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର, ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଜଷ୍ଟିସ୍ ସଙ୍ଗମ କୁମାର ସାହୁ, ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ, ଜଷ୍ଟିସ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ ଆର.କେ.ପଟ୍ଟନାୟକ, ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ ବି.ପି.ଶତପଥୀ, ଜଷ୍ଟିସ ଏସ.କେ.ମିଶ୍ର ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ମାମଲା ଗୁଡିକର ଫଏସଲା କରିଥିଲେ।

ଏଥି ମଧୢରେ ବୀମା କ୍ଷତିପୂରଣ, ଏନ.ଆଇ.ଆକ୍ଟର ଧାରା ୧୩୮ ସଂପର୍କିତ ମାମଲା, ବିଦ୍ୟୁତ, ବ୍ୟାଙ୍କ ଋଣ, କ୍ରିମିନାଲ କମ୍ପାଉଣ୍ଡେବଲ, ଚାକିରି ସଂପର୍କିତ ମାମଲା ଅନ୍ତର୍ଭୁକ୍ତ। ଏହି ଲୋକ ଅଦାଲତରେ ସାଧାରଣ ବୀମା କମ୍ପାନି ମଧୢରୁ ନ୍ୟାସନାଲ ଇନସ୍ୟୁରାନ୍ସ, ନ୍ୟୁ ଇଣ୍ତିଆ ଅାସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ୍‌ ଇଣ୍ତିଆ ଇନସ୍ୟୁରାନ୍ସ କମ୍ପାନି ଓ କେତେକ ଘରୋଇ ବୀମା କମ୍ପାନି ଅ˚ଶ ଗ୍ରହଣ କରିଥିଲେ। କ୍ଷତିପୂରଣ ବାବଦରେ ୪ କୋଟି ୭୬ ଲକ୍ଷ ୮୮ ହଜାର ୩୫୫ ଟଙ୍କା ପ୍ରଦାନ ପାଇଁ ଆଜି ଅନୁଷ୍ଠିତ ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି।

Spread the love