ସଚିବଙ୍କୁ ଲିଜରେ ଦିଆଯାଇଛି ଓଡ଼ିଶାର ଶାସନ ବ୍ୟବସ୍ଥା, ସୌମ୍ୟଙ୍କୁ ଉପ-ସଭାପତି ପଦରୁ ହଟାଇବା ପରେ ବିଜେପିର ପ୍ରତିକ୍ରିୟା

ଭୁବନେଶ୍ୱର: ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତକୁ ସମାଲୋଚନା କରି ଚର୍ଚ୍ଚାରେ ରହିଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଏବେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି। ସୌମ୍ୟଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ଉପସଭାପତି ପଦରୁ ହଟାଇବା ପରେ ଏ ନେଇ ରାଜ୍ୟର ବହୁ ତୁଙ୍ଗନେତା ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ, ବିଜୁ ଜନତା ଦଳ ଭିତରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ। କୌଣସି କଥା କହିବା ପାଇଁ ଦଳର କାର୍ଯ୍ୟକର୍ତ୍ତାମାନଙ୍କର ସାହସ ନାହିଁ। ସେମାନଙ୍କର ସ୍ଵାଧୀନତା ନାହିଁ। ସୌମ୍ୟ ପଟ୍ଟନାୟକ ଜଣେ ସମ୍ପାଦକ | ସେ ୪୦ ବର୍ଷ ଧରି ଗଣମାଧ୍ୟମ ସହିତ ସମ୍ପୃକ୍ତ ଅଛନ୍ତି।
ଓଡ଼ିଶାରେ ବର୍ତ୍ତମାନ ଯେଉଁ ପରିସ୍ଥିତି ଚାଲିଛି ଏବଂ ଓଡ଼ିଶାର ଜନସାଧାରଣ ଏକ ରାଜନୈତିକ ଦଳକୁ ଭୋଟ ଦେଇଛନ୍ତି ହେଲେ ସେମାନେ ଏବେ ଅଜ୍ଞାତବାସରେ ରହି ଜଣେ ସଚିବଙ୍କୁ ଲିଜ୍ ଆକାରରେ ଶାସନ ବ୍ୟବସ୍ଥାକୁ ଦେଇଛନ୍ତି। ତେଣୁ ଏ କଥାକୁ ସୌମ୍ୟ ବାବୁ ସମ୍ପାଦକୀୟରେ ଉଲ୍ଲେଖ କରିଥିଲେ, ସାରା ରାଜ୍ୟରେ ଲୋକମାନଙ୍କ ମନକଥା ଲେଖିଥିଲେ। ସେଥିପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରୁ ଜଣାପଡ଼ୁଛି ବିଜେଡି ଓଡିଶାବାସୀଙ୍କର ସମର୍ଥନ ପାଇ ଉତ୍ତରଦାୟୀ ହେଲା ନାହିଁ। ଏଥିରୁ ସ୍ପଷ୍ଟ ବିଜେଡି ଗଣତନ୍ତ୍ରକୁ କେତେ ବିଶ୍ବାସ କରେ। ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି ଯେ ଦଳ ଭିତରେ ରହି ଦଳ ବିରୋଧରେ କହିବା ଠିକ ନୁହେଁ | ସୌମ୍ୟ କଂଗ୍ରେସ ଓ ବିଜେପିରେ ଥିବାବେଳେ ଏପରି କରୁଥିଲେ | ତାଙ୍କ ବିଷୟରେ ଦଳ ଠିକ ସମୟରେ ଠିକ ନିଷ୍ପତ୍ତି ନେବ |

Spread the love