ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ସୁରକ୍ଷାଦାତା ‘ସ୍ୱୟଂ ମୁଖ୍ୟମନ୍ତ୍ରୀ’ : ମନୋଜ ମହାପାତ୍ର

ଭୁବନେଶ୍ୱର, ତା.୧୪/୦୯: ରାଜ୍ୟ ସରକାରଙ୍କ “ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା”(ଜିରୋ ଟଲରେନ୍ସ୍ ଫର୍ କରପସନ୍‌)ର କେବଳ ପ୍ରଚାର ଚାଲିଛି କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ, ବରଂ ଦୁର୍ନୀତଗ୍ରସ୍ତ ଅଫିସରଙ୍କୁ ସୁରକ୍ଷା ଦେବାରେ ମୁଖ୍ୟମନ୍ତ୍ରୀ ଓ ଆମ ରାଜ୍ୟ ସମଗ୍ର ଦେଶରେ ଅଗ୍ରଣୀ ସ୍ଥାନରେ ରହିଛି । ପ୍ରାୟ ପ୍ରତିଦିନ ଭିଜିଲାନ୍ସ ବିଭିନ୍ନ ସରକାରୀ ଅଫିସର ଓ କର୍ମଚାରୀଙ୍କ ବିରୁଦ୍ଧରେ ପଦକ୍ଷେପ ନେଉଛି । ଛୋଟ ଛୋଟ କର୍ମଚାରୀ ବିରୁଦ୍ଧରେ ଦଣ୍ଡବିଧାନ ହେଉଛି କିନ୍ତୁ ବଡ ଅଫିସରଙ୍କ ବିରୋଧରେ ଦଣ୍ଡବିଧାନ ଲାଗୁ ହେଉନାହିଁ । ସାଧାରଣ ଲୋକ ବି ଭାବୁଥାଇ ପାରନ୍ତି ଯେ, ଭିଜିଲାନ୍ସ ଚଢ଼ାଉ କରୁଛି, ନବୀନ ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ନାହିଁ; କିନ୍ତୁ ଭିଜିଲାନ୍ସ ତଦନ୍ତ କରି ଚାର୍ଜସିଟ୍ ଫାଇଲ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଜୁରୀ ମାଗିବାକୁ ଗଲେ ନବୀନଙ୍କ ଅସଲ ରୂପ ଜଣାପଡୁଛି । ବିଭାଗୀୟ ଅନୁମତି ସତ୍ୱେ ବର୍ଷ ବର୍ଷ ଧରି ଫାଇଲ ପଡିରହୁଛି । ସେଥିପାଇଁ ଦୁର୍ନୀତିଗ୍ରସ୍ତ ବାବୁମାନେ ଆରାମରେ ବୁଲୁଛନ୍ତି । ସେମାନେ ଜାଣନ୍ତି ଭିଜିଲାନ୍ସ ମକଦ୍ଦମା କଲେ ବି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅନୁମତି ମିଳିବ ନାହିଁ । ଏହା ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ପ୍ରତି ସହନଶୀଳତା ନା ଦୁର୍ନୀତି ପ୍ରତି ସୁରକ୍ଷା କବଚ ? ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ସୁରକ୍ଷାଦାତା ସ୍ୱୟଂ ମୁଖ୍ୟମନ୍ତ୍ରୀ ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ମାନ୍ୟବର ସୁପ୍ରିମକୋର୍ଟଙ୍କ ଏକ ୫ଜଣିଆ ଖଣ୍ଡପୀଠ, ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଏକ ଐତିହାସିକ ରାୟ ଦେଇଛନ୍ତି । ମାନ୍ୟବର କୋର୍ଟଙ୍କ ଆଦେଶ ମୁତାବକ ୨୦୦୩ ମସିହାରୁ ଅଦ୍ୟାବଧି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୌଣସି ସରକାରୀ ମନ୍ତ୍ରଣାଳୟ ବା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ଆବଶ୍ୟକତା ନାହିଁ । ସେହି ଅନୁଯାୟୀ ଓଡ଼ିଶାରେ ୨୨୭ଜଣ ଆଇଏଏସ୍ ଓ ଓଏଏସ୍ ଯେଉଁମାନେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ରାଜ୍ୟ ଭିଜିଲାନ୍ସ ଧରିଛି ଓ ଯେଉଁମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ମଗାଯାଇଛି, ବର୍ତମାନ ମାନ୍ୟବର କୋର୍ଟଙ୍କ ଆଦେଶ ଫଳରେ ଏବେ ମଞ୍ଜୁରୀର ଆବଶ୍ୟକତା ନାହିଁ । ଯେଉଁ ମୁଖ୍ୟମନ୍ତ୍ରୀ ନିଜର ଆତ୍ମଘୋଷିତ ସ୍ୱଚ୍ଛ ଚେହେରାର ଖୋଳପା ପିନ୍ଧି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସୁରକ୍ଷା ଦେଇ ବିଭିନ୍ନ ବେଆଇନ କାମରେ ଲଗାଉଥିଲେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଚେହେରା ଲୋକ ଲୋଚନକୁ ଆସିଛି । ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଉ ମଞ୍ଜୁରୀ ପ୍ରାପ୍ତିର ଆବଶ୍ୟକତା ନାହିଁ ଓ ରାଜ୍ୟ ଭିଜିଲାନ୍ସ ୨୦୦୩ ମସିହାରୁ ଅତ୍ୟାବଧି ଦୁର୍ନୀତି ଲିପ୍ତ ଅଦ୍ୟାବଧି ସମସ୍ତ ଅଫିସରଙ୍କ ବିରୋଧରେ ତୁରନ୍ତ ଚାର୍ଜସିଟ୍ ଫାଇଲ କରି ଦଣ୍ଡବିଧାନ କରିବା ପାଇଁ ନିଦ୍ଦେଶ ଦିଅନ୍ତୁ ।
ରାଜ୍ୟରେ ପ୍ରଶାସନିକ ଅଧିକାରୀ ସର୍ବେସବା । “ଓଡ଼ିଶାରେ ଜନତନ୍ତ୍ର ନୁହେଁ ବାବୁତନ୍ତ୍ର ଚାଲିଛି” । ବିଛାଖଣ୍ଡି ଓ ଡଙ୍କାରୀ ପାହାଡ ଲୁଟ୍ ଘଟଣାକୁ ଉଦାହରଣଭାବେ ନିଆଯାଉ । ଏହି ଲୁଟ୍ ଘଟଣାରେ ସଂପୃକ୍ତ ଅଧିକାରୀମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା? ସଂପୃକ୍ତ ତତ୍‌କାଳୀନ ଜିଲ୍ଲାପାଳ ଏବେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ । ଯିଏ ଅଭିଯୋଗ କରିଥିଲେ ତାଙ୍କୁ ଜେଲ୍‌ରେ ପୁରାଇଥିବା ତହସିଲଦାର ବର୍ତମାନ ‘ପ୍ରାଇମ ପୋଷ୍ଟ’ରେ । ପ୍ରଶାସନିକ ଅଫିସରଙ୍କୁ ବୋଧହୁଏ ଅଲିଖିତ ନିର୍ଦ୍ଦେଶ ଅଛି ‘ଦୁର୍ନୀତି କର ସୁରକ୍ଷା ପାଇବ’; ‘ବିରୋଧୀଙ୍କୁ ସାବାଡ କର, ଦୁଧିଆଳି ପଦବୀରେ ଅବସ୍ଥାପିତ ହେବ’ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ନିୟମ ଅନୁସାରେ ଭିଜିଲାନ୍ସ ତଦନ୍ତ କରି ଚାର୍ଜସିଟ୍‌ର ନକଲ ସହ ମଞ୍ଜୁରୀ ଆବେଦନ ପତ୍ର ଚିଫ୍ ସେକ୍ରେଟାରୀଙ୍କୁ ଦିଆଯିବ । ଚିଫ୍ ସେକ୍ରେଟାରୀ ସେ ପତ୍ରକୁ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦ ଲଫାପାରେ ଦେବେ, ସେଭଳି ବହୁ ବନ୍ଦ ଲଫାପା ମୁଖ୍ୟମନ୍ତ୍ରୀ ଚାପିକି ରଖିଛନ୍ତି । ସେ ବନ୍ଦ ଲଫାପା ଉପରେ ଭିଜିଲାନ୍ସ ତରଫରୁ ଦିଆଯାଉଥିବା ତଥ୍ୟ ପ୍ରମାଣ ସମୀକ୍ଷା କରି ମଞ୍ଜୁରୀ ଦେବା କଥା । ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କର ସମୀକ୍ଷା କରିବାର ସାମର୍ଥ୍ୟ ନାହିଁ କିମ୍ବା ଜାଣିଶୁଣି ମୁଖ୍ୟମନ୍ତ୍ରୀ ସେହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେବା ପାଇଁ ମଞ୍ଜୁରୀ ଦେଉନାହାନ୍ତି । ମୁଖ୍ୟମନ୍ତ୍ରୀ ଆଲିବାବା ଚାଲିଶ୍ ଚୋର ନୀତିରେ ଚାଲିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
୨୨ଜଣ ଆଇଏଏସ୍ ମଧ୍ୟରୁ କେବଳ ବିନୋଦ କୁମାରଙ୍କୁ ଛାଡିଦେଲେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ୨୨୭ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପାଇଁ ବିଭାଗୀୟ ମଞ୍ଜୁରୀ ମିଳିନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love