ଜନ୍ମ ପ୍ରମାଣପତ୍ର ଥିଲେ ହୋଇପାରିବ ଡ୍ରାଇଭିଂ ଲାଇସେନ୍ସ ସହ କରିପାରିବେ ଆଧାରକାର୍ଡ

ଅକ୍ଟୋବର ପହିଲାରୁ ପ୍ରମାଣପତ୍ର ଯାଂଚ ବେଳେ ଜନ୍ମ ପ୍ରମାଣପତ୍ରର ଗୁରୁତ୍ୱ ବଢିବାକୁ ଯାଉଛି । ନୂଆ ନିୟମ ମୁତାବକ ଜନ୍ମ ପ୍ରମାଣପତ୍ରକୁ ବ୍ୟବହାର କରି ସ୍କୁଲରେ ଆଡମିଶନ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି, ବିବାହ ପଞ୍ଜିକରଣ, ସରକାରୀ ଚାକିରୀ, ପାସପୋ୍ଟ ଓ ଆଧାରକାର୍ଡ ବନାଯାଇପାରିବ । ଏହାସହ ଆହୁରି ଅନେକ ସ୍ଥାନରେ ଏହାକୁ ଏକକ ପ୍ରମାଣପତ୍ର ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ ।

ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସଂଶୋଧନ ବିଧେୟକ ୨୦୨୩ ମୌସୁମୀ ଅଧିବେଶନ କ୍ରମରେ ଏନେଇ ଉଭୟ ସଦନରେ ଏକ ବିଲ୍ ପାରିତ ହୋଇଛି । ଏହି ବିଲ ଉପରେ ରାଷ୍ଟ୍ରପତି ମଧ୍ୟ ମୋହର ମାରିଛନ୍ତି । ଅକ୍ଟୋବର ପହିଲାରୁ ଏହା ଲାଗୁ କରାଯିବ ।

ଏହି ନୂଆ ଆଇନ ପଞ୍ଜୀକୃତ ଜନ୍ମ ଓ ମୃତ୍ୟୁର ଜାତୀୟ ଓ ରାଜ୍ୟସ୍ତରୀୟ ଡାଟାବେସ୍ ପ୍ରସ୍ତୁତ କରିବାରେ ସହାୟକ ହେବ । ଏହାଦ୍ୱାରା ସରକାରୀ ସେବାକୁ ଉନ୍ନତ ଭାବେ ଉପଲବ୍ଧ କରାଯାଇପାରିବ । ଏହି ନୂଆ ନିୟମ ଅକ୍ଟୋବର ପହିଲା କିମ୍ବା ଏହାପରେ କରାଯାଇଥିବା ଜନ୍ମ ପ୍ରମାଣପତ୍ର ଉପରେ ଲାଗୁ ହେବ ।

ଏହି ଆଇନ କାର୍ଯ୍ୟକାରୀ ହେବା ପରେ ସବୁଠାରୁ ବଡ ପରିର୍ତ୍ତନ ଏହା ହେବ ଯେ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ଡିଜିଟାଲ ମାଧ୍ୟମରେ ଉପଲବ୍ଧ ହେବ । ଏବେ ଏହାର କେବଳ ହାର୍ଡ କପି ଉପଲବ୍ଧ ରହିଛି । ବର୍ତ୍ତମାନ ସୁଦ୍ଧା ଆଧାରକାର୍ଡକୁ ସବୁଠାରେ ପରିଚୟ ପତ୍ର ଭାବେ ବ୍ୟବହାର କରାଯାଉଛି । ଏହା ଆପଣଙ୍କର ଦସ୍ତାବିଜ ଓ ଆକାଉଣ୍ଟ ସହିତ ଲିଙ୍କ୍ ହେବା ଆବଶ୍ୟକ । ହେଲେ ଅକ୍ଟୋବର ପହିଲାରୁ ଯେଉଁ ଜନ୍ମ ଓ ମୃତ୍ୟୁର ପ୍ରମାଣପତ୍ର ମିଳିବ ତାହା ସବୁଠାରେ ଏକକ ପରିଚୟ ପତ୍ର ଭାବେ ବ୍ୟବହାର କରାଯାଇପାରିବ ।

Spread the love