ନୂଆଁଖାଇ ସମୟରେ ହେଉଥିବାରୁ ବାଚସ୍ପତି ନିର୍ବାଚନକୁ ବୟକଟ୍ କରିବ କଂଗ୍ରେସ: ନରସିଂହ ମିଶ୍ର

ଭୁବନେଶ୍ବର: ଆଗକୁ ହେବାକୁ ଥିବା ବାଚସ୍ପତି ନିର୍ବାଚନକୁ ବୟକଟ୍ କରୁଛି କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମରେ ତାଙ୍କର ମତ ରଖି କହିଛନ୍ତି, ‘‘ବାଚସ୍ପତି ନିର୍ବାଚନକୁ କଂଗ୍ରେସ ବୟକଟ କରୁଛି । କଂଗ୍ରେସର କୌଣସି ବି ବିଧାୟକ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ । ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ । ଦୁଇ ଦିନ ନୂଆଁଖାଇ ପାଳନ କରାଯାଇଥାଏ। ନୂଆଁଖାଇ ଓ ନୂଆଁଖାଇର ପରଦିନ ଏହି ପର୍ବ ପଶ୍ଚିମ ଓଡିଶାରେ ପାଳନ ହୋଇଥାଏ। ସେଥିପାଇଁ ଦୁଇ ଦିନ ଛୁଟି ହୋଇଥାଏ। ଦୁର୍ଭାଗ୍ୟର କଥା ହେଉଛି ରାଜ୍ୟ ସରକାର ଏଥର ବାଚସ୍ପତି ନିର୍ବାଚନ ପାଇଁ ୨୧ ତାରିଖରେ ବିଧାନସଭା ଡାକିଛନ୍ତି। ଐହାର ପ୍ରତିବାଦ କରାଯିବା ପରେ ବି ସେମାନେ କର୍ଣ୍ଣାପାତ କରି ନାହାନ୍ତି। ଏଇଟା ପଶ୍ଚିମ ଓଡ଼ିଶା ପ୍ରତି ଉପହାସ। ରାଜ୍ୟ ସରକାର ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ନୂଆଖାଇରେ ଛୁଟି ନଦେଇ ପଶ୍ଚିମ ଓଡିଶାର ଭାବାବେଗ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର।’’

ଏହାକୁ ବିରୋଧ କରି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ତାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ‘‘ ସେଇଟା ସଂସଦୀୟ ବ୍ୟାପାର ବିଭାଗ କଥା।  ମୁଖ୍ୟମନ୍ତ୍ରୀଙ୍କୁ ସେ ଏ ବିଷୟରେ ନିହାତି ଅବଗତ କରିଥିବେ। ସେ ଯାହା ନିଷ୍ପତ୍ତି ନେବେ ସେଇଟା ତାଙ୍କ ଅଧିକାର କ୍ଷେତ୍ରର କଥା। କିନ୍ତୁ ପଶ୍ଚିମ ଓଡ଼ିଶା ପ୍ରତି ସରକାର କେବେ ବି ବୈମାତୃକ ମନୋଭାବ ପୋଷଣ କରି ନାହାନ୍ତି। ପୂର୍ବ କିମ୍ବା ପଶ୍ଚିମ ଓଡ଼ିଶା କେବେ ଦେଖନ୍ତିନି ରାଜ୍ୟ ସରକାର। ବୈମାତୃକ ମନୋଭାବ ଅଭିଯୋଗ କେବେ ବି ଯୁକ୍ତିଯୁକ୍ତ କି ସ୍ୱୀକାରଯୋଗ୍ୟ ନୁହେଁ । ପଶ୍ଚିମ ଓଡିଶାକୁ ସବୁବେଳେ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇଛନ୍ତି।’’

Spread the love