ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁର୍ଣ୍ଣ କରାଯାଉଛି: ସରପଞ୍ଚ ସଂଘ

ରାୟଗଡା: ରାୟଗଡା ଜିଲ୍ଲାର ଶତାଧିକ ସରପଞ୍ଚ ଗୁରୁବାର ଦିନ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁର୍ଣ୍ଣ କରାଯାଉଥିବା ନେଇ ଅଭିଯୋଗ କରିଥିଲେ। ରାଜ୍ୟ ସରକାର ବିଭିନ୍ନ ସରକାରୀ ଆଦେଶ ମାଧ୍ୟମରେ ଗ୍ରାମପଞ୍ଚାୟତର ଅଧିକାରକୁ କ୍ଷୁର୍ଣ୍ଣ କରି ଚାଲିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୧୨ ଦଫା ସମ୍ବଳିତ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରିଥିଲେ। ଦାବିଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ସଂଘ ଆହୁରି ତୀବ୍ରତର ଆନ୍ଦୋଳନ କରିବାକୁ ପଛାଇବ ନାହିଁ ବୋଲି ଚେତାବନୀ ଦିଆଯାଇଛି।

ପଞ୍ଚାୟତିରାଜ ବ୍ୟବସ୍ଥା ହେଉଛି ସ୍ବତନ୍ତ୍ର ସ୍ବାୟତ୍ତ ଶାସନ ବ୍ୟବସ୍ଥା।ପଞ୍ଚାୟତକୁ ୫୦ ଲକ୍ଷରୁ ଅଧିକା ଟଂକା ଆସୁଥିଲେ ବିଡିଓଙ୍କ କାଉଣ୍ଟର ସାଇନ ଦରକାର ପଡ଼ିବ ନେଇ ଗତ ଫେବ୍ରୁଆରିରେ ସରକାର ଚିଠି ଦେଲେ। କିନ୍ତୁ ପୂର୍ବରୁ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦସ୍ତଖତରେ ହିଁ ସବୁ କାମ ହେଉଥିଲା। ପଲ୍ଲୀସଭା ଓ ଗ୍ରାମସଭାକୁ ଗୁରୁତ୍ବ ଦିଆଯାଉ ନାହିଁ। ଏହି ସଭା ମାଧ୍ୟମରେ ଉନ୍ନୟନ କାର୍ଯ୍ୟ ଓ ହିତାଧୀକାରୀ ଚୟନ ହେଉ। ସରପଞ୍ଚ ସିଧାସଳଖ ଭୋଟରମାନଙ୍କ ଦ୍ରାରା ନିର୍ବାଚିତ ହେଉଛନ୍ତି। ତେଣୁ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କ ଦ୍ବାରା କରାଯାଉଥିବା ଅନାସ୍ଥା ପ୍ରସ୍ତାବକୁ ବନ୍ଦ କରାଯାଉ। ପଞ୍ଚାୟତରେ ଚାଲିଥିବା ବସୁଧା ଯୋଜନା, ଆଲୋକୀକରଣ ପାଇଁ ବିଦ୍ୟୁତ ବିଲ ପାଇଁ ସରକାର ସ୍ବତନ୍ତ୍ର ଅନୁଦାନ ଘୋଷିତ କରନ୍ତୁ। ପଞ୍ଚାୟତରେ ସେଭଳି ଆୟ ନଥିବା ସହ ଏସଏଫସିରେ ଟଂକା କମ୍ ଆସୁଛି ବୋଲି ସରପଞ୍ଚମାନେ ଅଭିଯୋଗ କରିଥିଲେ। ‘ଆମ ଓଡ଼ିଶା ନବୀନ ଓଡିଶା’ ନାମରେ ଆସୁଥିବା ଟଂକାକୁ ଗ୍ରାମସଭା ମାଧ୍ୟମରେ ପାରିତ ହେଉ। ସରପଞ୍ଚଙ୍କ ଭତ୍ତା ୨୩୫୦ ଟଂକାର ୩୦ ହଜାର ଟଂକାକୁ ବୃଦ୍ଧି କରାଯାଉ ବୋଲି ଦାବି ହୋଇଛି।ସରପଞ୍ଚଙ୍କ ମୃତ୍ୟୁକାଳୀନ ସହାୟତା ପାଇଁ ୫୦ ଲକ୍ଷ ଟଂକା ପ୍ରଦାନ କରାଯାଉ। ଗ୍ରାମପଞ୍ଚାୟତର ସାଧାରଣ ବଣ୍ଟନ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ହାତରେ ରହୁ। ସରପଞ୍ଚଙ୍କ ପାଇଁ ସଦର ମହକୁମାରେ ସରପଞ୍ଚ ଭବନ ନିର୍ମାଣ କରାଯାଉ ବୋଲି ଦାବି ହୋଇଛି।

Spread the love