ପ୍ରବଳ ବର୍ଷା ବେଳେ ଅବତରଣ କରୁଥିବା ବିମାନ ଦୁର୍ଘଟଣାଗ୍ରସ୍ତ; ବିମାନ କର୍ମଚାରୀଙ୍କ ସମେତ ୧୪ ମୃତ

ସାଁଓ ପାଲୁ: ଶନିବାର ଦିନ ବ୍ରାଜିଲ୍‌ର ଉତ୍ତର ପ୍ରାନ୍ତ ଅନ୍ତର୍ଗତ ଆମାଜନ୍‌ ପ୍ରଦେଶରେ ଗୋଟାଏ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୪ଜଣଙ୍କର ମୃତ୍ୟୁ ଘଟିଥିବା କଥା ରାଜ୍ୟପାଳ ୱିଲ୍‌ସନ୍‌ ଲିମା କହିଛନ୍ତି।ପ୍ରାଦେଶିକ ରାଜଧାନୀ ମ୍ୟାନୌସ୍‌ ଠାରୁ ପ୍ରାୟ ୪୦୦ କିଲୋମିଟର୍‌ ଦୂର ବର୍ସେଲୋସ୍‌ ପ୍ରଦେଶରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

‘ଏକ୍ସ୍‌’ କରି ରାଜ୍ୟପାଳ ୱିଲ୍‌ସନ୍‌ ଲିମା ଲେଖିଛନ୍ତି, ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ୧୨ଜଣ ହେଉଛନ୍ତି ଯାତ୍ରୀ ଓ ୨ଜଣ ବିମାନ କର୍ମଚାରୀ।

ଶନିବାର ଦିନ ବର୍ସେଲୋସ୍‌ ବିମାନ ଦୁର୍ଘଟଣାରେ ୧୨ଜଣ ଯାତ୍ରୀ ଓ ୨ ଜଣ ବିମାନ କର୍ମଚାରୀଙ୍କ ମୃତ୍ୟୁ ପାଇଁ ଖୁବ୍‌ ଦୁଃଖିତ। ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରାରମ୍ଭରୁ ଆମ ଟିମ୍‌ କାର୍ଯ୍ୟ ଚଳାଇଛି। ମୃତବ୍ୟକ୍ତିମାନଙ୍କ ପରିବାରବର୍ଗ ଓ ବନ୍ଧୁମାନଙ୍କ ପ୍ରତି ମୋର ସମବେଦନା।

ମ୍ୟାନୌସ୍‌ ଏରୋଟ୍ୟାକ୍ସି ଏୟାର୍‌ଲାଇନ୍‌ ବିବୃତି ଜାରି କରି ସୁନିଶ୍ଚିତ କରିଛି ଯେ, ଘଟିଥିବା ଦୁର୍ଘଟଣା ଉପରେ ତଦନ୍ତ ଚାଲିଛି। କିନ୍ତୁ ଏଥିରେ ମୃତାହତଙ୍କ ବିଷୟରେ କୌଣସି ବିବରଣୀ ନାହିଁ।

କିନ୍ତୁ, ‘ସିଏନ୍‌ଏନ୍‌’ ବ୍ରାସିଲ୍‌ ରିପୋର୍ଟ ଅନୁସାରେ, ବିମାନଟି ପ୍ରାଦେଶିକ ରାଜଧାନୀ ମ୍ୟାନୌସ୍‌ରୁ ୯୦ ମିନିଟ୍‌ ଉଡ଼ାଣ ଦୂରତ୍ବରେ ଅବସ୍ଥିତ ବର୍ସେଲୋସ୍‌ ଅଭିମୁଖେ ଯାଉଥିଲା। ବିମାନଟି ଅବତରଣ କରୁଥିବା ବ‌େଳେ ବ୍ରାଜିଲ୍‌ ସମୟ ଅପରାହ୍ଣ ୩ଟା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା।

ଏହି ଦୁର୍ଘଟଣାରେ କେହି ବଞ୍ଚି ନ ଥିବା କଥା ବ୍ରାଜିଲ୍‌ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି। ଅବତରଣ ବେଳେ ପ୍ରବଳ ବର୍ଷା ହେଉଥିଲା। ସମ୍ଭବତଃ ଖରାପ ପାଗ ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ସେମାନେ କହିଛନ୍ତି।

Spread the love