ରାଜ୍ୟର ବିଭିନ୍ନ ଦେବାଳୟମାନଙ୍କରେ ମୋଦିଜୀଙ୍କ ଦୀର୍ଘ, ନିରାମୟ ଓ ସୁସ୍ଥ ଜୀବନର କାମନା କରାଯାଇ ପୂଜାର୍ଚ୍ଚନା

ଭୁବନେଶ୍ୱର, ତା.୧୭/୦୯: ୨୦୧୪ ମସିହାରେ ଶାସନ ଭାରର ଯାତ୍ରା ଆରମ୍ଭ କରିବା ପରେ ଅବିଶ୍ରାନ୍ତ ଗତିରେ ଦିନରାତି କାମ କରିଚାଲିଛନ୍ତି । ତାଙ୍କର ପ୍ରୟାସ ଏବଂ କାର୍ଯ୍ୟ ନୂତନ ଭାରତ ସଂକଳ୍ପକୁ ବାସ୍ତବ ରୂପ ଦେବା ଦିଗରେ ଆଗେଇ ନେଉଛି । ଜଣେ ସାଂଗଠନିକ ବ୍ୟକ୍ତି, ଜଣେ ମୁଖ୍ୟମନ୍ତ୍ରୀ ଏବଂ ବର୍ତମାନ ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ୱ ନିର୍ବାହ କରୁଥିବା ପ୍ରିୟ ମୋଦିଜୀ ସମାଜର ଅବହେଳିତ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉତ୍‌ଥାନ ତଥା ଦଳିତ, ଆଦିବାସୀ ଓ ମହିଳାମାନଙ୍କ ପାଇଁ ଅନେକ ଜନକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟନ୍ୱୟନ କରିଛନ୍ତି । ଜନଭାଗିଦାରୀକୁ ଆଧାର କରି ପ୍ରଧାନମନ୍ତ୍ରୀ ମୋଦିଜୀ ଆଜି ଦେଶ ପାଇଁ ଅନେକ ଅକଳ୍ପନୀୟ ସକାରାତ୍ମକ ପରିଣାମ ହାସଲ କରି ଭାରତବର୍ଷର ମାନ ଓ ସମ୍ମାନ ବିଶ୍ୱ ଦରବାରରେ ବୃଦ୍ଧି କରିବାରେ ସଫଳ ହୋଇଛନ୍ତି । ଆଜି ସେହି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ତମ ଜନ୍ମଦିନ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାଜ୍ୟର କୋଣ ଅନୁକୋଣରେ ବିଜେପି କାର୍ଯ୍ୟକର୍ତାମାନେ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ବିଭିନ୍ନ ମନ୍ଦିର ଓ ଦେବାଳୟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ତାଙ୍କର ନିରାମୟ ଓ ଦୀର୍ଘଜୀବନ କାମନା କରିଛନ୍ତି ।

ଭୁବନେଶ୍ୱରରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ.ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ରାମମନ୍ଦିରଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନିରାମୟ ଓ ଦୀର୍ଘଜୀବନ କାମନା କରି ପୂଜାର୍ଚ୍ଚନା କରିଛନ୍ତି । ସେହିପରି ପୁରୀଠାରେ ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନିରାମୟ ଓ ଦୀର୍ଘଜୀବନ କାମନା କରିଛନ୍ତି ।

Spread the love