ମଦ ଦୋକାନୀ ଲୁଟି ନେଉଛନ୍ତି ୧୮ କୋଟି
ପୁରୀ: ଲଟେରି ଜରିଆରେ ମଦ ଦୋକାନ ଟେଣ୍ଡର ପାଇବା ପରେ ବେଶ୍ କିଛି ମାସ ହେବ ମଦ ଦୋକାନୀମାନେ ମଦୁଆଙ୍କୁ ଲୁଟିବା ଆରମ୍ଭ କରି ଦେଇଛନ୍ତି। ମଦ ବୋତଲ ପିଛା ଧାର୍ଯ୍ୟ ଦରଠାରୁ ୨୦ରୁ ୫୦ ଟଙ୍କା ଅଧିକ ନେଉଛନ୍ତି। ହିସାବ କଲେ ମାସିକ ପ୍ରାୟ ଦେଢ଼ କୋଟି ଟଙ୍କା ଲୁଟି ନେଉଛନ୍ତି ଏହି ମଦ ଦୋକାନୀ। ବାର୍ଷିକ ହିସାବ କଲେ ଏହା ପ୍ରାୟ ୧୮ କୋଟି ଟଙ୍କା ହେବ। ଯାହାର ହିସାବ ନା ଅବକାରୀ ବିଭାଗ ପାଖରେ ରହିଛି, ନା ସରକାରଙ୍କ ପାଖରେ। କାହିଁକି ଏତେ ଟଙ୍କା ଅଧିକ ନିଆଯାଉଛି ବୋଲି ପ୍ରଶ୍ନରେ ବି ଗ୍ରାହକମାନେ ମଦ ଦୋକାନୀଙ୍କଠାରୁ ସନ୍ତୋଷଜନକ ଉତ୍ତର ପାଉନାହାଁନ୍ତି।
ମିଳିଥିବା ସୂଚନା ମୁତାବକ, ପୁରୀ ଜିଲ୍ଲାରେ ୧୦୩ଟି ମଦ ଦୋକାନ ରହିଛି। ଯେଉଁଥିରୁ ୧୮ଟି ଦେଶୀ ମଦ ଦୋକାନ, ୩୬ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ଓ ୪୯ଟି ଠିପି ଖୋଲା ମଦ ଦୋକାନ ରହିଛି। ଦେଶୀ ମଦ କଥା ଦେଖିଲେ, ଜିଲ୍ଲାକୁ ମାସିକ କୋଟା ୬୩୧୮୩.୩୬୦ ଲିଟର ଆସୁଛି।
ଏ ବାବଦରେ ଅବକାରୀ ବିଭାଗ ୧୦ଲକ୍ଷ ୩୯ହଜାର ୨ଶହ ଟଙ୍କା ରାଜସ୍ବ(ଟିକସ) ପାଉଛି। ସେହିଭଳି ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଜିଲ୍ଲାକୁ ମାସିକ କୋଟା ବାବଦକୁ ୩୮୬୧୮୮.୮ ଲିଟର ବିଦେଶୀ ମଦ ଆସୁଛି। ଯେଉଁଥିରୁ ବିୟର ୨୩୫୮୧୪.୪୦୦ ଲିଟର ଏବଂ ୱିସ୍କି, ରମ୍ ଆଦି ୧୫୦୩୭୪.୪୦୦ ଲିଟର ରହିଛି। ଏ ବାବଦକୁ ଅବକାରୀ ବିଭାଗ ମାସିକ ରାଜସ୍ବ(ଟିକସ) ୪୨ଲକ୍ଷ ୭୨ହଜାର ଟଙ୍କା ପାଉଛି। ସେହିଭଳି ଠିପି ଖୋଲା ବିଦେଶୀ ମଦ ଦୋକାନ କଥା ଦେଖିଲେ, ଜିଲ୍ଲାକୁ ମାସିକ କୋଟା ବାବଦକୁ ୨୧ହଜାର ୮୭୦ ଲିଟର ଆସୁଛି। ଯେଉଁଥିରୁ ରମ୍, ୱିସ୍କି ଆଦି ୧୬ହଜାର ୪୯୦ ଲିଟର ଓ ବିୟର ୫ହଜାର ୩୮୦ ଲିଟର ଆସୁଛି। ଏହି ମଦ ବାବଦକୁ ଅବକାରୀ ବିଭାଗ ୪୩ଲକ୍ଷ ୫୮ହଜାର ୩୩୩ ଟଙ୍କା ରାଜସ୍ବ(ଟିକସ) ପାଉଛି। ସେ ଠିପି ବନ୍ଦ ହେଉ କି ଠିପି ଖୋଲା, ମଦ ଦୋକାନୀମାନେ ୯୦ ମିଲିଲିଟର, ୧୮୦ ମିଲିଲିଟର, ୩୭୫ ମିଲିଲିଟର ଓ ୭୫୦ ମିଲିଲିଟର, ଏପରି ୪ ପ୍ରକାରର ମଦ ବୋତଲ ଗ୍ରାହକଙ୍କୁ ବିକ୍ରି କରୁଛନ୍ତି। ବାକି ବିୟର କଥା ଦେଖିଲେ, ୫୦୦ ମିଲିଲିଟରର କେନ୍ ଅବା ୬୫୦ ମିଲିଲିଟରର କାଚ ବୋତଲ ବିକ୍ରି କରୁଛନ୍ତି। କେହି ୧ ଲିଟରର ମଦ ବିକ୍ରି କରୁନାହାଁନ୍ତି। ଯେଉଁ ମଦ ବୋତଲ ବିକ୍ରି ହେଉଛି, ତା’ ଉପରେ ନିର୍ଦ୍ଦିଷ୍ଟ ଦର ଉଲ୍ଲେଖ ରହିଛି। ଯାହା ସବୁ ଟିକସ ମିଶିବ ପରେ ଦର ଉଲ୍ଲେଖ କରାଯାଇଛି ବୋଲି ବି ସ୍ପଷ୍ଟ ଲେଖାଯାଉଛି।
ଅଭିଯୋଗ ମୁତାବକ, କିନ୍ତୁ ୯୦ ମିଲିଲିଟର ହେଉ କି ୭୫୦ ମିଲିଲିଟର ବିଦେଶୀ ଅବା ଦେଶୀ ମଦ, ସବୁଥିରେ ମଦ ଦୋକାନୀମାନେ ଧାର୍ଯ୍ୟ ଦରଠାରୁ ୨୦ରୁ ୫୦ ଟଙ୍କା ଅଧିକ ନେଉଛନ୍ତି। ପୁରୀ ସହର କଥା ହେଉ କି ଅନ୍ୟ ଅଞ୍ଚଳ, ସବୁଠି ସମାନ ସ୍ଥିତି। ଗ୍ରାମାଞ୍ଚଳର ଗ୍ରାହକ ଅଧିକ ଶୋଷଣର ଶିକାର ହେଉଛନ୍ତି। ବିୟରରେ ବି ପ୍ରତି ବୋତଲ ଅବା କେନ୍ ପିଛା ୨୦ରୁ ୪୦ ଟଙ୍କା ଅଧିକ ନିଆଯାଉଛି। ଜିଲ୍ଲାକୁ ଯେତେ ପରିମାଣର ମଦ ଆସୁଛି, ଯଦି ଲିଟର ପିଛା ହାରାହାରି ୩୦ ଟଙ୍କା ହିସାବ କରାଯାଏ, ୬୩୧୮୩.୩୬୦ ଲିଟର ଦେଶୀ ମଦ ପାଇଁ ଧାର୍ଯ୍ୟ ଦରଠାରୁ ମାସିକ ପ୍ରାୟ ୧୮ଲକ୍ଷ ୯୫ହଜାର ୫ଶହ ଟଙ୍କା ଅଧିକ ଆଦାୟ ହେଉଛି। ସେହିଭଳି ଠିପି ବନ୍ଦ ବିଦେଶୀ ମଦ ଦୋକାନ କଥା ଦେଖିଲେ, ୩୮୬୧୮୮.୮ ଲିଟର ବିଦେଶୀ ମଦ ବାବଦକୁ ଧାର୍ଯ୍ୟ ଦରଠାରୁ ମାସିକ ପ୍ରାୟ ୧କୋଟି ୧୫ଲକ୍ଷ ୮୫ହଜାର ୬୬୪ ଟଙ୍କା ଆଦାୟ ହେଉଛି। ସେହିଭଳି ଠିପି ଖୋଲା ମଦ ଦୋକାନ ପାଇଁ ମନଇଚ୍ଛା ଅଧିକ ଟଙ୍କା ନିଆଯାଉଛି। ଏଭଳି ଦେଶୀ ମଦ, ଠିପି ବନ୍ଦ ଓ ଠିପି ଖୋଲା ବିଦେଶୀ ମଦ ଦୋକାନ କଥା ହିସାବକୁ ନେଲେ, ମାସିକ ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କା ମଦ ଦୋକାନୀମାନେ ଗ୍ରାହକଙ୍କଠାରୁ ଲୁଟି ନେଉଛନ୍ତି। ଯାହାର ହିସାବ ବି ଅବକାରୀ ବିଭାଗ ପାଖରେ ରହୁନି। ଯେହେତୁ ମଦ କିଣୁଛନ୍ତି, ଅଧିକ ଟଙ୍କା ନେଲେ ବି ଗ୍ରାହକମାନେ ନିରବ ରହିବାକୁ ଓ ଦୋକାନୀ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଉଛନ୍ତି। ଏହା ଉପରେ ଅବକାରୀ ବିଭାଗ ଚଢ଼ଉ କରିବା ସହ ଏହି ଅଧିକ ଟଙ୍କା କୁଆଡ଼େ ଯାଉଛି, ତାର ବିଧିବଦ୍ଧ ଯାଞ୍ଚ ହେବା ଦରକାର ବୋଲି ଦାବି ହେଉଛି।