ଓଡ଼ିଶାରେ ଗରିବ ଲୋକଙ୍କ ବିକାଶ ପାଇଁ ମୋଦି ସରକାର ସମର୍ପିତ : ଅନୁରାଗ ଠାକୁର

ଭୁବନେଶ୍ୱର,ତା.୦୩/୧୦: ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଓଡ଼ିଶାକୁ ବେଶ୍ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଯାହା କୁହନ୍ତି ତାହା କରି ଦେଖାନ୍ତି । “ସବ୍‌କା ସାଥ୍ ସବକା ବିକାଶ” ହେଉଛି ମୋଦିଜୀଙ୍କର ମୂଳମନ୍ତ୍ର । ମୋଦିଜୀଙ୍କ ନେତୃତ୍ୱ କାରଣରୁ ସମସ୍ତ କ୍ଷେତ୍ରରେ ଭାରତ ଏବେ ଶୀର୍ଷକୁ ଛୁଉଁଛି । ଓଡ଼ିଶାକୁ ୟୁପିଏ ସରକାର ଅପେକ୍ଷା ଏନ୍‌ଡିଏ ସରକାର ଅମଳରେ ଅଧିକ କେନ୍ଦ୍ରୀୟ ଅନୁଦାନ ମିଳିଛି । ମୋଦିଙ୍କ ୯ବର୍ଷ ସରକାରରେ ଓଡ଼ିଶାକୁ ୧୮ଲକ୍ଷ କୋଟି ଟଙ୍କାରୁ ଅଧିକ କେନ୍ଦ୍ରୀୟ ଅନୁଦାନ ଆସିଛି । ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ମାତ୍ରାଧିକ ଆସୁଛି କିନ୍ତୁ ଓଡ଼ିଶା ସରକାର ଏହାର ସଠିକ ବିନିଯୋଗ କରୁନାହାନ୍ତି, ଦୁର୍ନୀତି ହେବାର ଅଭିଯୋଗ ଆସୁଛି । ମୋଦି ସରକାରରେ ଅନେକ ଯୁଗାନ୍ତକାରୀ ନିଷ୍ପତି ହେବା ସହ ମହିଳାଙ୍କର ସାମାଜିକ ସୁରକ୍ଷାରୁ ନେଇ ସଶକ୍ତିକରଣ ପର୍ଯ୍ୟନ୍ତ ଅନେକ ଯୋଜନା ହାତକୁ ନେଇଛନ୍ତି । ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ସରକାର ଆଣିଥିବା “ନାରୀ ଶକ୍ତି ବନ୍ଦନ ଅଧିନିୟମ” ଏକ ଯୁଗାନ୍ତକାରୀ ନିର୍ଣ୍ଣୟ । ଏଭଳି ନିର୍ଣ୍ଣୟ କେବଳ ନରେନ୍ଦ୍ର ମୋଦିଙ୍କ ଭଳି ବଳିଷ୍ଠ ନେତୃତ୍ୱ ହିଁ ନେଇପାରନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ।

ଶ୍ରୀ ଠାକୁର କହିଛନ୍ତି ଯେ, ଜି-୨୦ବିଶ୍ୱ ମଂଚରେ ବିଶ୍ୱନେତୃତ୍ୱଙ୍କୁ ମୋଦିଜୀ ସ୍ୱାଗତ ବେଳେ ଓଡ଼ିଆ ସ୍ୱାଭିମାନର ପ୍ରତୀକ କୋଣାର୍କ ଚକ୍ରର ଭବ୍ୟ ଉପସ୍ଥିତିକୁ ବର୍ଣ୍ଣନା କରିଥିଲେ । ଓଡ଼ିଶାର ଐତିହ୍ୟ, ପରମ୍ପରା ସଂସ୍କୃତି, ଭାଷା, ସଙ୍ଗୀତ ଓ ନୃତ୍ୟ ଆଜି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏଭଳି ଐତିହାସିକ ମୁହୁର୍ତରେ ଓଡ଼ିଶାର କଳାକୃତିକୁ ସ୍ଥାନଦେଇ ଓଡ଼ିଶାକୁ ବିଶ୍ୱ ଦରବାରରେ ସମ୍ମାନିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ପୂର୍ବ ଭାରତ ବିକାଶର ପରିକଳ୍ପନାରେ ଓଡ଼ିଶା ପ୍ରାଥମିକତାରେ ରହିଛି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ପିଏମ ଆବାସରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଜନଧନ, ମୁଦ୍ରା ଲୋନ, ଓଡ଼ିଶାରେ ଏସଏଚଜି ମାନଙ୍କୁ ଅଗ୍ରାଧିକାର ଭିତିିରେ କମ ସୁଧରେ ଋଣ ଉପଲବ୍ଧ କରାଯିବାର ବ୍ୟବସ୍ଥା ମହିଳାଙ୍କ ସମ୍ମାନକୁ ବଢାଇଛି ।
ପ୍ରଧାନମନ୍ତ୍ରୀ ମୋଦି କୋଟି କୋଟି ମା’ ଓ ଭଉଣୀମାନଙ୍କ ଦୁଃଖକୁ ହୃଦୟଙ୍ଗମ କରି ଉଜ୍ଜ୍ୱଳା ଯୋଜନା ଜରିଆରେ ରୋଷେଇ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଇଛନ୍ତି । ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ଉଜ୍ଜ୍ୱଳା ପୁରୁଷଭାବେ ପରିଚିତ । ବର୍ତମାନ ୧୦.୩୫ କୋଟି ଲୋକ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଅଛନ୍ତି ଏବଂ ସେଥିମଧ୍ୟରୁ ଓଡିଶାରେ ୫୩ ଲକ୍ଷରୁ ଅଧିକ ହିତାଧିକାରୀ ରହିଛନ୍ତି । ପ୍ରଧାନମନ୍ତ୍ରୀ ଐତିହାସିକ ନାରୀଶକ୍ତି ବନ୍ଦନ ବିଲ୍ ପାସ୍ କରିଛନ୍ତି । ଦେଶର ମହିଳାଙ୍କ ଜୀବନଧାରାରେ ଅନେକ ପରିବର୍ତନ ଆସିପାରିଛି । ଗଣତନ୍ତ୍ରରେ ଜନତା ବଡ, ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସବୁବେଳେ ଜନତାଙ୍କ ହିତରେ ରହିଛି ଓ ଆଗାମୀ ଦିନରେ ଓଡ଼ିଶାରେ ବିଜେପିର ବିଜୟ ହେବ ବୋଲି ଶ୍ରୀ ଠାକୁର କହିଛନ୍ତି ।
ସାମ୍ବାଦିକମାନେ ପଚାରିଥିବା ଏକ ପ୍ରଶ୍ନର ଉତରରେ ଶ୍ରୀ ଠାକୁର କହିଛନ୍ତି ଯେ, ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାରେ ହୋଇଥିବା ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନିଆଯିବ । ପଶ୍ଚିମବଙ୍ଗରେ ମଧ୍ୟ ଆବାସ ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ହୋଇଥିଲା । ମୋଦି ସରକାର ତାଙ୍କୁ ନୋଟିସ୍ କରିଥିଲେ । ମନରେଗା ଯୋଜନାରେ ଦୁର୍ନୀତିଗ୍ରସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ପଶ୍ଚିମବଙ୍ଗକୁ ମନରେଗା ଅନୁଦାନ ବନ୍ଦ ହୋଇଥିଲା । ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାରେ ବାଟମାରଣାକୁ ନେଇ ଯେତେବେଳେ ବି ଅଭିଯୋଗ ଆସିଛି କେନ୍ଦ୍ର ସରକାର ତୁରନ୍ତ ଏହା ଉପରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଦେଇଛନ୍ତି । କଂଗ୍ରେସ ସରକାର ସମୟରେ ଓଡିଶାକୁ ମାତ୍ର ୨ଲକ୍ଷ କୋଟି ୬୩ହଜାର ୨୪୩ ମିଳିଥିଲା ହେଲେ ବିଜେପି ସରକାର ବେଳେ ଏହା ୧୮ଲକ୍ଷ ୮୩ହଜାର ୬୫୪କୋଟିରେ ପହଂଚିଛି ।
ସାମ୍ବାଦିକମାନେ ପଚାରିଥିବା ଆଉ ଏକ ପ୍ରଶ୍ନରେ ଶ୍ରୀ ଠାକୁର କହିଛନ୍ତି ଯେ, ବିଜେପି ପାର୍ଟି ସବୁବେଳେ ଜନତାଙ୍କ ପାଇଁ ସମର୍ପିତ । ଓଡ଼ିଶାରେ ବିଜେପି ସବୁବେଳେ ଗରିବ ଲୋକଙ୍କ ହକ୍ ପାଇଁ ଲଢ଼ାଇ କରିଆସିଛି । କେନ୍ଦ୍ରରେ ମୋଦି ସରକାର ଆଜି ଦେଶର ଗରିବ ଲୋକମାନଙ୍କ ପାଇଁ ଆଶାର ଆଲୋକ ଆଣିଛି । ବିଜେପିକୁ ଯଦି କେହି ଜନବିରୋଧୀ କହୁଥିବେ ତାହା ସେମାନଙ୍କର ହତାଶାଭାବର ଶବ୍ଦ ହୋଇଥିବ ।
ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସାଧାରଣ ସଂପାଦକ ଯତୀନ ମହାନ୍ତି, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଳିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love