ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ

ଭୁବନେଶ୍ୱର: ସଂପ୍ରତି ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ରେଖା ରକ୍ସୌଲ, ଡାଲଟନଗଞ୍ଜ, କାଙ୍କେର, ରାମଗୁଣ୍ଡମ, ବିଜାପୁର, ଭେଙ୍ଗୁର୍ଲା ଦେଇ ଗତି କରୁଛି। ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ର ଆଉ କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ସ୍ଥିତି ଅନୁକୂଳ ରହିଛି। ଗାଙ୍ଗେୟ ଉପତ୍ୟକା ପଶ୍ଚିମବଙ୍ଗ ଓ ଓଡ଼ିଶାର କିଛି ଅଞ୍ଚଳ ସମେତ କର୍ଣ୍ଣାଟକର ଆଉ କିଛି ଅଂଶ ଏବଂ ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ କେନ୍ଦ୍ରୀୟ ଆରବ ସାଗରର ଅବଶିଷ୍ଟ ଅଂଶରୁ ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଯିବ।

ଏବେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି। ଫଳରେଓଡ଼ିଶାର ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିଛି। ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ନାହିଁ। ରାଜ୍ୟ ମଧ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ହେଉଛି। ବାୟୁମଣ୍ଡଳରେ ଆଦ୍ରତା ଅଧିକ ମଧ୍ୟ ରହିଛି ଯାହା ଫଳରେ ବର୍ତ୍ତମାନ ରାଜ୍ୟରେ ତିନି ଦିନ ହେବ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଲାଗି ରହିଛି। ଏପରି ସ୍ଥିତି ଆଗକୁ ଆହୁରି ୫ଦିନ ଲାଗିରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଅନ୍ୟପକ୍ଷରେ, ଆସନ୍ତା ୫ ଦିନ ମଧ୍ୟରେ (ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ) ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ। ଆସନ୍ତା ୫ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା (ଦିନର ତାପମାତ୍ରା) ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିବାର ସମ୍ଭାବନା ରହିଛି।

ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ। ମୁଖ୍ୟତଃ ସନ୍ଧ୍ୟା/ରାତି ବେଳକୁ ଆକାଶ ଆଂଶିକ ମେଘୁଆ ହୋଇପାରେ! ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୩୫ ଡିଗ୍ରି ଓ ୨୫ ଡିଗ୍ରି ସେଲସିୟସ ରହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ପାଣିପାଗ ବୁଲେଟିନ୍‌ରେ କୁହାଯାଇଛି।

Spread the love