ପାଞ୍ଚ ପଞ୍ଚାୟତକୁ ଗିଳିଦେବ ସମୁଦ୍ର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ପ୍ରତି ମାଡ଼ି ଆସୁଛି ସମୁଦ୍ର ବିପଦ। ଶିଆଳି ନିକଟରେ ସମୁଦ୍ରର ବାରମ୍ବାର ତାଣ୍ଡବ, ଲୋକଙ୍କ ପାଇଁ ଏବେ ଆତଙ୍କର କାରଣ ହୋଇଛି। ପୂର୍ବରୁ ଶିଆଳି ବେଳାଭୂମି ପର୍ଯ୍ୟନ୍ତ ସମୁଦ୍ର ଜୁଆର ମାଡ଼ି ଆସି କଳାବେଦୀ ନିକଟରେ ଏକ ମୁହାଣ ସୃଷ୍ଟି କରିଥିଲା। ଗାଁ ଭିତରକୁ ଜୁଆର ମାଡ଼ିଆସିବା ଯୋଗୁଁ ଲୋକଙ୍କ ଭିତରେ ଛନକା ପଶିଥିଲା। କିନ୍ତୁ ଜୁଆର ପ୍ରତିରୋଧ ବନ୍ଧ ନିର୍ମାଣ ଯୋଜନା ଅଧା ହୋଇ ପଡ଼ିଥିବାରୁ ଏବେ ଏହି ବାଟ ଦେଇ ୫ଟି ପଞ୍ଚାୟତ କେତେବେଳେ ଯେ ସମୁଦ୍ର ଗର୍ଭରେ ଲୀନ ହୋଇଯିବ, ତାହା ଚିନ୍ତାର କାରଣ ହୋଇଛି। ୨୦୦୭ରେ ଏରସମା ଅଞ୍ଚଳରେ ଥିବା ଶିଆଳି ବେଳାଭୂମିକୁ ପର୍ଯ୍ୟଟନସ୍ଥଳି ମାନ୍ୟତା ଦିଆଯିବା ସହ ଏହାର ବିକାଶ ପାଇଁ ପଦକ୍ଷେପ ନିଆଯାଇଥିଲା। ବେଳାଭୂମି ନିକଟରେ ଥିବା ଏକ ଭିଉ ଟାୱାର୍‌କୁ ରକ୍ଷା କରିବା

ପାଇଁ ବାଲିବସ୍ତା ପକାଯାଇ ଏକ ବନ୍ଧ ନିର୍ମାଣ କରାଯାଇଥିଲା। ମାତ୍ର ସମୁଦ୍ର ଜୁଆର ମାଡ଼ରେ ଏହି ବନ୍ଧ ଧୀରେ ଧୀରେ ଖାଇଗଲା। ଫଳରେ ସମୁଦ୍ର ଜୁଆର ଆସି ଏହି ଟାୱାର୍‌ରେ ମାଡ଼ ହେଲା। ପୁଣି ଜଳସମ୍ପଦ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ୫୦୦ ମିଟର ଲମ୍ବ ଏକ ପଥର ବନ୍ଧ ନିର୍ମାଣ କରାଗଲା। ଏବେ ତାହା ସମୁଦ୍ର ଜୁଆର ଓ ବାଲି ମାଡ଼ରେ ପୋତି ହୋଇଗଲାଣି। ପଥର ବନ୍ଧ ଶେଷ ଭାଗରୁ କଳାବେଦୀ ପର୍ଯ୍ୟନ୍ତ ସମୁଦ୍ରରେ ଅତଡ଼ା ଖସିବା ଆରମ୍ଭ କଲାଣି।
୧୯୯୯ ମହାବାତ୍ୟାରେ ଛାରଖାର ହୋଇଯାଇଥିବା ଏରସମା ପ୍ରତି କେତେବେଳେ ଯେ ସମୁଦ୍ର ଦାଉ ସାଧିବ, ତାହା କହିହେବ ନାହିଁ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଯଦି ପୁବେଇ ପବନ ହୁଏ, ତେବେ ସମୁଦ୍ର ଜୁଆର ଗାଁକୁ ମାଡ଼ି ସବୁ କିଛି ଛାରଖାର କରିଦେବ। ସମୁଦ୍ର ଜୁଆର ମାଡ଼ି ଆସିଲେ ଏହାର ନିକଟବର୍ତ୍ତୀ କୁଞ୍ଜକୋଠି, ଜପା, ଆମ୍ବିକି, ପଦ୍ମପୁର, ଗଡ଼ହରିଶପୁର ଆଦି ଅଞ୍ଚଳ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବ। କଳାବେଦୀ ନିକଟରେ ଥିବା ସରବନ୍ତ ମନ୍ଦିର ପାଖ ଓ ନୋଳିଆ ସାହି ପଟକୁ ସମୁଦ୍ର ଖାଇଲାଣି। ପରିସ୍ଥିତି ଧୀରେ ଧୀରେ ସଙ୍ଗିନ ହେବାରେ ଲାଗିଛି।

୨୦୧୩ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ଼ ଜୁଆର ପ୍ରତିରୋଧ ବନ୍ଧ ନିର୍ମାଣ କରିବା ପାଇଁ ଯୋଜନା କରାଗଲା। ଏଥି ପାଇଁ ପାଖାପାଖି ୫୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଗଲା। ଏହି ବନ୍ଧଟି ବାଲିକୁଦା ନଗରଠାରୁ ଆରମ୍ଭ ହୋଇ କଳାବେଦୀ ପର୍ଯ୍ୟନ୍ତ ଆସିଲା। ମାତ୍ର ଜମିଜମା ସମସ୍ୟା ଯୋଗୁଁ ଏହି ବନ୍ଧ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ଏହା ସେମିତି ଅଧାପନ୍ତରିଆ ହୋଇ ପଡ଼ିରହିଛି। ୨୦୧୬ ମସିହାରୁ ଏହି ବନ୍ଧ କାମ ଯେଉଁଠି ଥିଲା, ସେଇଠି ରହିଛି। ସମୁଦ୍ର ଜୁଆର ଯେଉଁପରି ଢଙ୍ଗରେ କରାଳ ରୂପ ନେଉଛି, ତାହା ସମ୍ପୂର୍ଣ୍ଣ ଏରସମା ବ୍ଲକ୍ ପ୍ରତି ବିପଦ ବଢାଇ ଚାଲିଛି। ଯେତେବେଳେ ସମୁଦ୍ର ଜନବସତି ଭିତରକୁ ମାଡ଼ି ଆସୁଛି, ସେତେବେଳେ ରାଜନେତା ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରୁଛନ୍ତି। ତା ପରେ କିନ୍ତୁ ସବୁ ଯୋଜନା ଶୀତଳ ଭଣ୍ଡାରକୁ ଚାଲି ଯାଉଛି। କିଛି ଦିନ ତଳେ ୫-ଟି ସଚିବ ଶିଆଳି ବେଳାଭୂମି ପରିଦର୍ଶନ କରିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଣୁ ଆଗକୁ ପ୍ରଶାସନ ହୁଏତ ଅଞ୍ଚଳର ସୁରକ୍ଷା ପାଇଁ ତ୍ବରାନ୍ବିତ ପଦକ୍ଷେପ ନେବ ବୋଲି ଆଶା କରାଯାଉଛି।

Spread the love