୨୪ ଘଣ୍ଟା ପରେ ପାରଦ ତଳମୁହାଁ: ଖସିବ ୩ରୁ ୪ ଡିଗ୍ରି

ଭୁବନେଶ୍ବର: ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିଲା। କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଯାଇଛି। ଆସନ୍ତାକାଲି ପଶ୍ଚିମା ଝଡ଼ ଓ ପୂର୍ବାଳୀ ତରଙ୍ଗର ପ୍ରଭାବ‌ ଓଡ଼ିଶା ଉପରେ ରହିବ। ଫଳ‌ରେ କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ଗଜପତି ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରି ଯାଏ ହ୍ରାସ ପାଇବ। ତଳମୁହାଁ ପାରଦ ଯୋଗୁଁ ରାଜ୍ୟରେ ଧୀରେଧୀରେ ଥଣ୍ଡା ପଡ଼ିବା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୮ ତାରିଖଠାରୁ ରାଜ୍ୟର ପାଗ ଶୁଖିଲା ରହିବ ଓ ଆକାଶ ନିର୍ମଳ ରହିବ। ରାତି ତାପମାତ୍ରା ଧୀରେଧୀରେ ଖସିବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ଓ ରାତିର ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରି ମଧ୍ୟରେ ରହିବ।

Spread the love