ପୁରୁଷଙ୍କ ପରେଡ଼ର ନେତୃତ୍ୱ ନେଲେ ମହିଳା କ୍ୟାପଟେନ ତାନ୍ୟା ଶେରଗିଲ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇ କେନ୍ଦ୍ର ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ଜମ୍ମୁ କଶ୍ମୀରବାସୀ ଦେଶର ମୁଖ୍ୟସ୍ରୋତରେ ସାମିଲ୍ ହୋଇଛନ୍ତି। ୭୨ତମ ସେନା ଦିବସ ଅବସରରେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ଏହା କହିଛନ୍ତି। ୭୨ତମ ସେନା ଦିବସ ଅବସରରେ ଦିଲ୍ଲୀର କାଣ୍ଟୋନ୍‌ମେଣ୍ଟ ଅଞ୍ଚଳରେ ପରେଡ଼ ଅନୁଷ୍ଠିତ ହୋଇଥିଲା। ପୁରୁଷଙ୍କ ଦ୍ୱାରା ହେଉଥିବା ଏହି ପରେଡ଼ର ନେତୃତ୍ୱ କିନ୍ତୁ ସେନା କ୍ୟାପଟେନ ତାନ୍ୟା ଶେରଗିଲ ନେଇଥିଲେ। ଖାଲି ସେନା ଦିବସର ନୁହେଁ ଆଗାମୀ ସାଧାରଣତନ୍ତ୍ର ଦିବସରେ ମଧ୍ୟ ତାନ୍ୟା ପରେଡ଼ର ନେତୃତ୍ୱ ନେବେ। ତାନ୍ୟାଙ୍କ ପୂର୍ବ ତିନି ପିଢ଼ି ମଧ୍ୟ ସେନାରେ ଯୋଗ ଦେଇ ଦେଶପାଇଁ କାମ କରିଛନ୍ତି। ସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେନା ପାଖରେ ଅନେକ ରାସ୍ତା ରହିଛି। ଆତଙ୍କବାଦୀଙ୍କୁ ସେନା କେବେ ବରଦାସ୍ତ କରିନାହିଁ। ଏମିତିକି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସେନା କେବେ ପଛ ଘୁଞ୍ଚା ଦେଇ ନାହିଁ ବୋଲି ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ କହିଛନ୍ତି।ସେନା କେବେ ନାମ, ଜାତି, ଧର୍ମରେ ଭେଦଭାବ କରେ ନାହିଁ। କେବଳ ନିଜ ଲକ୍ଷ୍ୟ ପ୍ରତି ସବୁବେଳେ ସତର୍କ ରହିଥାଏ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ସେନା ଦେଶବାସୀଙ୍କ ବିଶ୍ୱାସ ଜିତିବ ବୋଲି ସେ କହିଛନ୍ତି। ଏହି ଅବସରରେ ଜେନେରାଲ ମନୋଜ ମୁକୁନ୍ଦ ଯବାନଙ୍କୁ ମେଡାଲ ଓ ପଦକ ପ୍ରଦାନ କରିଛନ୍ତି।ଗତ ମାସରେ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ଆତଙ୍କବାଦୀ ଓ ପାକିସ୍ତାନକୁ ସେ କଡ଼ା ଚେତାବନୀ ଦେଇଥିଲେ। ଏମିତିକି ଗତ ଶନିବାର କହିଥିଲେ, ଚୀନ ଓ ପାକିସ୍ତାନ ପଟୁ ଆସୁଥିବା ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ସେନା ପ୍ରସ୍ତୁତ ଅଛି। ଏବେ ସେନାକୁ ଆହୁରି ମଜଭୁତ କରିବା ପାଇଁ ଆମୂଳଚୁଳ ପରିବର୍ତ୍ତନ ହେଉଛି।

Spread the love