ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଜବାବ ରଖିଲା ପତଞ୍ଜଳୀ । ଅଭିଯୋଗକୁ ଖଣ୍ଡନ କଲେ ଯୋଗଗୁରୁ ବାବା ରାମଦେବ

ପତଞ୍ଜଳୀକୁ ସୁପ୍ରିମକୋର୍ଟ ତାଗିଦ କରିବା ପରେ ଏବେ ଏନେଇ ସାମ୍ବାଦିକ ସମ୍ମିଳୀନରେ ସଫେଇ ରଖିଛନ୍ତି ଯୋଗ ଗୁରୁବାବା ରାମଦେବ । ରାମଦେବ କହିଛନ୍ତି ପତଞ୍ଜଳୀ ନିକଟରେ ସେହି ସବୁ ଅଭିଜ୍ଞତା ଓ ଅନୁଭୂତି ରହିଛି ଯାହା ଦ୍ୱାରା ସାରାବିଶ୍ୱରେ ବିଶ୍ୱସନୀୟ ସ୍ୱାସ୍ଥ୍ୟସେବା ଯୋଗାଇପାରୁଛି । ପତଞ୍ଜଳୀ ଏଲୋପାଥୀ ଔଷଧ ଓ ଚିକିତ୍ସା ବିରୋଧରେ ମିଛ, ଭୁଲ ଓ ଭ୍ରମାତ୍ମକ ବିଜ୍ଞାପନ କରିନି । ପତଞ୍ଜଳୀ ବିରୋଧରେ ଅପ୍ରଚାର କରାଯାଉଛି । ମେଡିକାଲ ଚିକିତ୍ସାରେ ରୋଗକୁ ନେଇ ମିଛ ଖବର ପ୍ରଚାର ଓ ଲୋକଙ୍କୁ ଭୟଭୀତ କରାଯାଉଛି । ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଅଧିକରୁ ଅଧିକ ଔଷଧ କିଭଳି ବିକ୍ରି ହେବ । ପତଞ୍ଜଳୀ ଔଷଧ ଅପେକ୍ଷା ଯୋଗ, ପ୍ରାଣାୟମକୁ ଅଧିକ ଗୁରୁତ୍ୱ ଦିଏ । ଏଥିସହ ସେ କହିଛନ୍ତି ସୁପ୍ରିମକୋର୍ଟ ନିକଟରେ ହାଜର ହେବାକୁ ସେ ପ୍ରସ୍ତୁତ । କୋର୍ଟଙ୍କ ନିକଟରେ ନିଜ ଚିକିତ୍ସା ଅଧ୍ୟୟନକୁ ଉପସ୍ଥାପନ କରିବାକୁ ସେ ଅନୁମତି ମଧ୍ୟ ଲୋଡିଛନ୍ତି । ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ମୃତ୍ୟୁଦଣ୍ଡ ପାଇଁ ମଧ୍ୟ ପ୍ରସ୍ତୁତ । ରାମଦେବ ଏକଥାର ଦାବି କରିଛନ୍ତି ଯେ ୧୯୪୦ ମସିହାରେ ଡ୍ରଗ ଆଣ୍ଡ ମ୍ୟାଜିକ ଆକ୍ଟଟ ପ୍ରସ୍ତୁତ କରାଯାଇଥିଲା ସେଥିରେ ଅନେକ ତ୍ରୁଟି ରହିଛି । ଏଥିରେ ହସ୍ତକ୍ଷେପ କରନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ । ସେ ଆହୁରି ମଧ୍ୟ କହିଛନ୍ତି ମାଫିଆଙ୍କ ବିରୋଧରେ ଆମ ଲଢେଇ ଜାରି ରହିବ । ଭୟଭୀତ ହେବେନି କି ହାର ମାନିବେନି । ମଙ୍ଗଳବାର ଆଧୁନିକ ଔଷଧ ଓ ଟିକାକରଣ ବିରୋଧରେ ପତଂଜଳୀ ଆୟୁବେର୍ଦର ବିଜ୍ଞାପନରେ ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । କୌଣସି ବିଭ୍ରାନ୍ତିକ, ଭୁଲ ବିଜ୍ଞାପନ ଓ ମିଥ୍ୟା ଦାବି ନକରିବାକୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଯଦି ରୋଗ ଭଲ କରିବାରେ ପତଞ୍ଜଳୀର ଦାବି ଭୁଲ ପ୍ରମାଣିତ ହୁଏ ତେବେ ପ୍ରତ୍ୟେକ ଉତ୍ପାଦକ ପିଛା କୋଟିଏ ଟଙ୍କାର ଜରିମାନା ଲାଗୁ କରାଯିବ ବୋଲି ଚେତାବନୀ ଦେଇଥିଲେ କୋର୍ଟ । ଭାରତୀୟ ମେଡିକାଲ ଆସୋସିଏଶନ ପତଞ୍ଜଳି ବିଜ୍ଞାପନ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର କରିଥିଲେ ।

Spread the love