ବାଲେଶ୍ୱର ଲୋକସଭା ଆସନ: ଖାରବେଳଙ୍କ ବିଜୟଧାରାକୁ ରୋକିଥିଲେ ଅରୁଣ ଦେ

ବାଲେଶ୍ବର : ବାଲେଶ୍ବର ଲୋକସଭା ଆସନରେ ଅତୀତରେ ଅନେକ ଉଲ୍ଲେଖନୀୟ ଘଟଣା ଦେଖିବାକୁ ମିଳିଛି। ସେଥିମଧ୍ୟରୁ ୨୦୦୯ ସାଧାରଣ ନିର୍ବାଚନ ଅନ୍ୟତମ। ପୂର୍ବରୁ ବିଜେପି ଟିକେଟ୍‌ରେ ତିନିଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇ ସାରିଥିବା ଖାରବେଳ ସ୍ବାଇଁଙ୍କ ବିଜୟରେ ସେଥର କଣ୍ଟା ସାଜିଥିଲେ ବାଲେଶ୍ବରର ଅନ୍ୟତମ ଲୋକପ୍ରିୟ ନେତା ଅରୁଣ ଦେ। ଶାସକ ବିଜେଡି ସହ ମେଣ୍ଟ କରିଥିବା ଦଳ ଏନ୍‌ସିପିରୁ ପ୍ରାର୍ଥୀ ହୋଇ ଅରୁଣ ଦେ ମଇଦାନକୁ ଓହ୍ଲାଇବା ପରେ ନିର୍ବାଚନୀ ଗଣିତ ଓଲଟପାଲଟ ହୋଇ ଯାଇଥିଲା। ନିର୍ବାଚନ ଫଳାଫଳ ବି ଥିଲା ଆଶ୍ଚର୍ଯ୍ୟଜନକ। କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ବିଜୟୀ ହୋଇଥିବା ବେଳେ ୩ ନମ୍ବର ସ୍ଥାନକୁ ଖସିଯାଇଥିଲେ ଖାରବେଳ।

ଦ୍ବିତୀୟ ସ୍ଥାନରେ ରହିଥିଲେ ଅରୁଣ। ୧୯୯୮ରେ ବାଲେଶ୍ବର ଲୋକସଭା ଆସନରୁ ପ୍ରଥମଥର ପାଇଁ ବିଜୟ ହାସଲ କରିଥିଲେ ବିଜେପି ପ୍ରାର୍ଥୀ ଖାରବେଳ ସ୍ବାଇଁ। ଏହି ଆସନରୁ ମୋଟ୍‌ ୪ ଲକ୍ଷ ୨୮ ହଜାର ଖଣ୍ଡ ଭୋଟ୍‌ ପାଇ ଶ୍ରୀ ସ୍ବାଇଁ ବାଜି ମାରିଥିବା ବେଳେ ପରବର୍ତ୍ତୀ ସମୟରେ ୧୯୯୯ ମସିହା ଲୋକସଭା ନିର୍ବାଚନରେ ଆଉ ଥରେ ଦୋହରାଇଥିଲେ ସଫଳତା। କେବଳ ସେତିକି ନୁହେଁ, ୨୦୦୪ ସାଧାରଣ ନିର୍ବାଚନରେ ମଧ୍ୟ ଶ୍ରୀ ସ୍ବାଇଁ ଏହି ଆସନରୁ ବିଜେପି-ବିଜେଡି ମେଣ୍ଟ ପ୍ରା​ର୍ଥୀ ହିସାବରେ ନିର୍ବାଚନ ଲଢ଼ି ବାଲେଶ୍ବର ଲୋକସଭା ଆସନରୁ ହାଟ୍ରିକ୍‌ ବିଜୟ ରେକର୍ଡ ହାସଲ କରିଥିଲେ। ତେବେ ୨୦୦୯ ମସିହାରେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିଯିବା ପରେ ସ୍ଥିତି ବଦଳି ଯାଇଥିଲା। ସେହିବର୍ଷ ବାଲେଶ୍ବର ଲୋକସଭା ଆସନରୁ ବିଜେଡି କାହାକୁ ପ୍ରାର୍ଥୀ ନ ଦେଇ ଏନ୍‌ସିପି ପ୍ରାର୍ଥୀ ଅରୁଣ ଦେ’ଙ୍କୁ ସମର୍ଥନ କରିଥିଲା। ସେପଟେ ବିଜେପିରୁ ଖାରବେଳ ପୁନର୍ବାର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ୍‌ରୁ ନୂଆ ଚେହେରା ଭାବେ ଉଭା ହୋଇଥିଲେ ଶ୍ରୀକାନ୍ତ ଜେନା।

ଏମିତି ସମୟରେ ବାଲେଶ୍ବର ସଦର ବିଧାନସଭା ଆସନରୁ ୫ ଥର ବିଧାୟକ ଜିତିଥିବା ଅରୁଣ ଦେ ହଠାତ ଲୋକସଭା କ୍ଷେତ୍ରକୁ ପ୍ରବେଶ କରିଥିଲେ। ଶରଦ ପାୱାରଙ୍କ ନ୍ୟାସ୍‌ନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି)ରୁ ସେ ପ୍ରାର୍ଥୀ ହେବା ପରେ ନିର୍ବାଚନ ଫଳାଫଳ ଶ୍ରୀକାନ୍ତଙ୍କ ସପକ୍ଷରେ ଯାଇଥିଲା। ମତଦାନ ହାର ୭୦.୨୯ ପ୍ରତିଶତ ହୋଇଥିବା ବେଳେ ଶ୍ରୀକାନ୍ତ ୩ ଲକ୍ଷ ୧୩ ହଜାର ୮୮୮ ଖଣ୍ଡ ଭୋଟ୍‌ ପାଇଥିଲେ। ୨ ଲକ୍ଷ ୧୯ ହଜାର ୯୦୮ ଖଣ୍ଡ ଭୋଟ୍‌ ପାଇ ଖାରବେଳ ୩ ନମ୍ବର ସ୍ଥାନକୁ ଖସିଆସିଥିବା ବେଳେ ୨ ଲକ୍ଷ ୭୪ ହଜାର ୯୮୮ ଖଣ୍ଡ ଭୋଟ୍‌ ପାଇ ଅରୁଣ ଦ୍ବିତୀୟ ସ୍ଥାନରେ ରହିଥିଲେ। ଜେଏମ୍‌ଏମ୍‌ ପ୍ରାର୍ଥୀ ଅରୁଣ ଜେନାଙ୍କୁ ମିଳିଥିଲା ୨୫ ହଜାର ୫୭୭ ଖଣ୍ଡ ଭୋଟ୍‌। ଓଡ଼ିଶାରେ ଏନ୍‌ସିପି ଭଳି ଏକ ଦଳରୁ ପ୍ରାର୍ଥୀ ହୋଇ ଅରୁଣ ଲକ୍ଷାଧିକ ଭୋଟ୍‌ ପାଇବା ପଛରେ ଏକମାତ୍ର କାରଣ ଥିଲା ବିଜେଡିର ପୂର୍ଣ୍ଣ ସମର୍ଥନ। ବିଜେପି ସହ ମେଣ୍ଟ ଭାଙ୍ଗିଥିବାରୁ ଓ ନିଜ ଦଳରୁ ଲୋକସଭା ଆସନ ପାଇଁ କାହାକୁ ପ୍ରାର୍ଥୀ କରାଯାଇପାରି ନ ଥିବାରୁ ଦଳ ପରୋକ୍ଷରେ ଏପରି ପଦକ୍ଷେପ ନେଇଥିଲା। ଯାହାଫଳରେ ବାଲେଶ୍ବର ଲୋକସଭା ଆସନରେ ବିଜେପିର ବିଜୟଧାରାକୁ ରୋକିବାରେ ବିଜେଡିର ସଫଳ ରଣନୀତି ସେ ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା।

Spread the love