ଆଜିଠୁ ବିଧାନସଭା ଆଗରେ ଧାରଣା ଦେଲେ ପ୍ରଥା ଫିଲ୍ମର ପ୍ରଯୋଜିକା ସନଲିଶା

ଭୁବନେଶ୍ୱର: ନ୍ୟାୟ ମିଳିଲାନି। ଶେଷରେ ଗୁରୁବାରଠାରୁ ବିଧାନସଭା ଆଗରେ ଧାରଣାରେ ବସିଲେ ଓଡ଼ିଆ ଫିଲ୍ମ ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ। ସନଲିଶା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି। ସେହି ଦାବି ଗୁଡିକ ହେଉଛି ଯେ ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା କରାଯାଉ। ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲମାନେ ଯେପରି ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ବାଧ୍ୟ ହେବେ ସେହିପରି କାର୍ଯ୍ୟାନୁଷ୍ଠାନ ନିଆଯାଉ। ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ଟଙ୍କା ଫେରି ପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା କରାଯାଉ। ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା କରାଯାଉ।ଏହା ସହ ସମସ୍ତଙ୍କର ସୁରକ୍ଷା ପାଇଁ କିଛି ଦୃଢ଼ ପଦକ୍ଷେପ ନିଆଯାଉ। ଯେପରି କେହି ଅନ୍‌ଲାଇନ୍ ହେଉ କି ଅଫ୍‌ଲାଇନ୍‌ କୌଣସି ଖଳ କାର୍ଯ୍ୟ କରିବାକୁ ଭୟ କରିବେ ଏବଂ ସେଥିରୁ ନିବୃତ୍ତ ରହିବେ। ଇନଭେଷ୍ଟରମାନଙ୍କୁ ଓଡିଆ ଚଳଚ୍ଚିତ୍ର ନିର୍ମାଣପାଇଁ ସରକାରୀ ସହାୟତା ଦିଆଯାଉ। ସେ କହିଛନ୍ତି ଯେ ପୂର୍ବରୁ ବି ଏହି ସମସ୍ୟା ନେଇ ସରକାରୀ ସ୍ତରରେ ସମସ୍ତଙ୍କୁ ଅବଗତ କରିଥିଲି। କିନ୍ତୁ ମତେ ନ୍ୟାୟ ମିଳିଲାନି। ତେଣୁ ସମସ୍ୟାର ସମାଧାନ ପାଇଁ ଧାରଣାରେ ବସିଛି | କାଲିଠାରୁ ପ୍ରଯୋଜକ ,କଳାକାର, ଟେକନିସିଆନ, ନିର୍ଦ୍ଦେଶକମାନେ ଯୋଗ ଦେବେ ପ୍ରଯୋଜିକା ସନଲିସା ଜଣେଇଛନ୍ତି।

Spread the love