ଲୋକେ ହିଁ ଆମର ପ୍ରଭୁ, ସେମାନଙ୍କ ବିଶ୍ଵାସକୁ ଚରିତାର୍ଥ କରିବା ଆମର ପ୍ରମୁଖ କର୍ତ୍ତବ୍ୟ : ମୁଖ୍ୟମନ୍ତ୍ରୀ

ଲୋକେ ହିଁ ଆମର ପ୍ରଭୁ। ସାଢେ 4କୋଟି ଓଡିଶାବାସୀ ମୋ ପରିବାର। ଆମ ସରକାର ଉପରେ ସାଧାରଣ ଲୋକଙ୍କ ଅତୁଟ ଆଶା, ବିଶ୍ଵାସ ରହିଛି। ସାଧାରଣ ଲୋକଙ୍କ ଇଛା, ବିଶ୍ଵାସକୁ ଚରିତାର୍ଥ କରିବା ଆମର ପ୍ରମୁଖ କର୍ତ୍ତବ୍ୟ। ଲୋକସେବା ଭବନରେ ଆଇଏଏସ୍ ସମ୍ମିଳନୀରେ ଅଧ୍ୟକ୍ଷତା କରି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି କହିଛନ୍ତି। ଆଜି ସମସ୍ତ ଜିଲ୍ଲାପାଳଙ୍କ ସହ ବରିଷ୍ଠ ଅଧିକାରୀଙ୍କ ବୈଠକ ହୋଇଛି। ସେଠାରେ  ଉପସ୍ଥିତ ମନ୍ତ୍ରୀ, ଅଫିସରଙ୍କୁ ଶପଥପାଠ କରାଇଥିଲେ। ଦୁଇଦିନ ଧରି ଏହି ବୈଠକ ଚାଲିବ। ନୂତନ ଆଡିଟୋରିଅମରେ ଏହି ବୈଠକ ଅନୁଷ୍ଠିତ ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କ ପାଇଁ ଆମ ନିଜ ନିଜ ପରିବାର ଗୁରୁତ୍ଵପୂର୍ଣ୍ଣ। ଆମ ନିଜ ଭାଇ, ଭଉଣୀ ଭଲ ଚାକିରି କରନ୍ତୁ ବୋଲି ଆମେ ସମସ୍ତେ ଚାହୁଁ। ସାଢେ 4 କୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର ଅଛି। ସେମାନଙ୍କ ଆଶୀର୍ବାଦରେ ମୁଁ ଗତ 20 ବର୍ଷ ହେଲା ସେମାନଙ୍କ ସେବା କରୁଛି। ଲୋକଙ୍କୁ ସର୍ବଶ୍ରେଷ୍ଠ ସେବା ପ୍ରଦାନ କରିବା ଆମର ପ୍ରମୁଖ କର୍ତ୍ତବ୍ୟ। ଲୋକମାନେ ହିଁ ଗଣତନ୍ତ୍ରର ମୂଳଧାର, ସବୁ ପ୍ରତିଷ୍ଠାନ ଲୋକମାନଙ୍କ ପାଇଁ। ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମର୍ଯ୍ୟଦା ଦିଅନ୍ତୁ। କିଛି ଗଠନମୂଳକ ପରାମର୍ଶ ଥିଲେ ସିଧା ମୋତେ କୁହନ୍ତୁ। 

Spread the love