୨୦ରୁ ‘କୃଷି ଓଡ଼ିଶା’, ଯୋଗଦେବେ ୧୧୨ କମ୍ପାନୀ
ଜାନୁଆରୀ ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ଜନତା ମୈଦାନରେ ଆୟୋଜିତ ହେଉଥିବା ୫ ଦିନିଆ “କୃଷି ଓଡିଶା”କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ I ସେହିପରି ଜାନୁଆରୀ ୨୪ ତାରିଖରେ ଆୟୋଜିତ ଉଦଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ I ଆଜି ଏ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଚନ୍ତି lକୃଷିର ଗୁରୁତ୍ୱ ଏବଂ କୃଷକ ମାନଙ୍କର ଅବଦାନକୁ ସ୍ୱୀକୃତି ପ୍ରଦାନ ସହିତ କୃଷିକ୍ଷେତ୍ରରେ ନୂତନ ଜ୍ଞାନ କୌଶଳର ପ୍ରଦର୍ଶନ ଲକ୍ଷ୍ୟରେ ଚଳିତ ବର୍ଷ ୨୨୮ ଟି ଷ୍ଟଲ ନିର୍ମାଣ କରାଯାଇଛି I ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାୟ ୧୧୨ ଟି କମ୍ପାନୀ ଯୋଗଦେବେ I ଦେଶବିଦେଶରେ କୃଷିକ୍ଷେତ୍ରରେ ଘଟୁଥିବା ନୂତନ ଜ୍ଞାନ କୌଶଳ ଓ କୃଷି ପ୍ରଣାଳୀ ସହିତ ଓଡ଼ିଶାର ଚାଷୀ ମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନା ଚକ୍ର ଓ ପାଠଶାଳାର ଆୟୋଜନ କରାଯାଇଛି I ପ୍ରତିଦିନ ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଏହି ଆଲୋଚନା ଚକ୍ରର ଆୟୋଜନ କରାଯିବ ଯେଉଁଥିରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ନାମୀ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ପଦାଧିକାରୀ ମାନେ ଯୋଗଦେବେ I କୃଷି କ୍ଷେତ୍ରରେ ସମବାୟ ଓ ଜାତୀୟ ବ୍ୟାଙ୍କ, ପଞ୍ଚାୟତିରାଜ ଜନପ୍ରତିନିଧି ଏବଂ ମହିଳାମାନଙ୍କର ଭୂମିକାକୁ ଗୁରୁତ୍ୱ ପ୍ରଦାନ କରାଯାଇ ୨୧ ତାରିଖକୁ ସମବାୟ ଓ ବ୍ୟାଙ୍କିଙ୍ଗ ଦିବସ, ୨୨ ତାରିଖକୁ ପଞ୍ଚାୟତିରାଜ ଜନ ପ୍ରତିନିଧି ଦିବସ ଏବଂ ୨୩ ତାରିଖକୁ ମହିଳା ଦିବସ ଭାବରେ ରଖାଯାଇଛି I ସେହିପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ଋଣ ଯୋଗାଣ କ୍ଷେତ୍ରରେ ବ୍ୟାଙ୍କ ମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଥିବା କ୍ଷେତ୍ରରେ ୨୨ ତାରିଖରେ ରାଜ୍ୟର ବ୍ୟାଙ୍କ ଅଧିକାରୀମାନଙ୍କର ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି I ଏଥିରେ ରାଜ୍ୟର ପ୍ରାୟ ୫୦୦ ବ୍ୟାଙ୍କ ଅଧିକାରୀ ମାନେ ଯୋଗଦେବେ I ରାଜ୍ୟ ଅର୍ଥନୀତିରେ କୃଷି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ରାଜ୍ୟର ପ୍ରାୟ ୬୨ ପ୍ରତିଶତ ଜନସାଧାରଣ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭର କରିଥାଆନ୍ତି I କୃଷକମାନଙ୍କ ଆୟକୁ ଦ୍ଵିଗୁଣିତ / ବହୁଗୁଣିତ କରିବା ପାଇଁ ରାଜ୍ୟ ସରକାର ଅନେକ ଗୁଡିଏ ଯୋଜନା ପ୍ରଣୟନ କରି ଚାଷୀମାନଙ୍କୁ ଏହାର ଲାଭ ସିଧାସଳଖ ଯୋଗାଇ ଦେଉଛନ୍ତି I ଫଳତଃ ଆମେ ଆଜି କୃଷି କ୍ଷେତ୍ରରେ ଏକ ପ୍ରଗତିଶୀଳ ରାଜ୍ୟ ଭାବରେ ପରିଗଣିତ ହୋଇପାରିଛେ I ବିଗତ ୭ ବର୍ଷ ମଧ୍ୟରେ ରାଜ୍ୟ ୫ ଥର କୃଷି କର୍ମଣ ପୁରସ୍କାର ଲାଭ କରିଛି I ଏଥିସହିତ କୃଷି କର୍ମଣ ପୁରସ୍କାର ଅନ୍ତର୍ଗତ ମୋଟ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ବିଶେଷ ସଫଳତା ଅର୍ଜନ କରିଥିବାରୁ ଚଳିତ ବର୍ଷ ରାଜ୍ୟ “Commendation” ଆୱାର୍ଡ ଲାଭ କରିଛି I
କୃଷିକ୍ଷେତ୍ରରେ ଘଟୁଥିବା ଓ ପ୍ରୟୋଗ ହେଉଥିବା ନୂତନ ଜ୍ଞାନକୌଶଳ ସହିତ ପରିଚିତ କରାଇବା ଲକ୍ଷ୍ୟ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରତିବର୍ଷ ରାଜ୍ୟ ସ୍ତରୀୟ କୃଷି ମହୋତ୍ସବ “କୃଷି ଓଡିଶା” ଆୟୋଜନ କରାଯାଉଛି I କୃଷି କ୍ଷେତ୍ରରେ ରାଜ୍ୟର ଅଗ୍ରଗତି ସହିତ ପ୍ରତିବର୍ଷ “କୃଷି ଓଡିଶା” ତାର କଳେବର ବୃଦ୍ଧି କରିଚାଲିଛି I ଚଳିତ ବର୍ଷ କୃଷି ଓଡିଶାକୁ କୃଷକ ମାନଙ୍କ ପାଇଁ ଅଧିକ ଉପଯୋଗୀ ଓ ଲାଭଦାୟକ ନିମନ୍ତେ ଅଧିକ ଆକର୍ଷଣୀୟ ଓ ଶିକ୍ଷଣୀୟ କରିବା ଦିଗରେ ପଦକ୍ଷେପ ନିଆଯାଇଛି I
ଏହି ଆଲୋଚନା ଚକ୍ରରେ ମୁଖ୍ୟତଃ ଜଳବାୟୁ ଆଧାରିତ କୃଷି ଜ୍ଞାନ କୌଶଳ, ଜଳସଂପଦର ସୁବିନିଯୋଗ, ବିଭିନ୍ନ କୃଷି ସମସ୍ୟାର ସ୍ଥାୟୀ ସମାଧାନ, ମୂଲ୍ୟଯୁକ୍ତ ଉତ୍ପାଦ ପାଇଁ ବଜାର ସଂଯୋଗ, କୃଷି ଉଦ୍ୟୋଗୀ ମାନଙ୍କ ପାଇଁ ମୂଲ୍ୟ ଶୃଙ୍ଖଳ ପରିଚାଳନା, ଫସଲ ଅମଳ ପରବର୍ତ୍ତୀ ଯତ୍ନ ଓ ପରିଚାଳନା, କୃଷିକ୍ଷେତ୍ରରେ ବିମାଭିତ୍ତିକ ଆପଦକାଳୀନ ସ୍ଥିତି ପରିଚାଳନା, ଲାଭପ୍ରଦ କୃଷି ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା ଓ ଦାୟିତ୍ୱ ବିଷୟରେ ଆଲୋଚନା କରାଯିବ I