ସିଏଏ ଓ ଏନପିଆର ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ ଜେନା

କେନ୍ଦ୍ରସରକାରଙ୍କ ପକ୍ଷରୁ ସିଏଏ ଲାଗୁହେବାପରେ କିଛି ରାଜ୍ୟ ଏହାକୁ ନିଜ ରାଜ୍ୟରେ ଲାଗୁ କରାଇ ଦେବେନାହିଁ ବୋଲି କହିଥିଲେ । ବିଶେଷ କରି ପଶ୍ଚିମବଙ୍ଗ ମୁଖ୍ୟ ବିରୋଧି ଭାବେ ପ୍ରଥମେ ଛିଡା ହୋଇଥିଲା । ଏହାପରେ ପଞ୍ଜାବ ଓ କେରଳ ମଧ୍ୟ ସ୍ୱର ମିଳାଇଥିଲେ। କିନ୍ତୁ ଏଥିରେ ଓଡିଶା ସରକାର ସହମତି ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଆଶାନ୍ତି ଲାଗି ରହିଥିବା ବେଳେ ଓଡିଶାରେ ଏହାର କୌଣସି ପ୍ରଭାବ ପଡିନଥିଲା। ଏମିତି କି କୌଣସି ଦଳ ଏହାକୁ ସେମିତି ବିରୋଧ କରିନଥିଲେ ।

ହେଲେ ବହୁ ବିଳମ୍ବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ନାଗରିକ ସଂଶୋଧନ ଆଇନ(ସିଏଏ) ଓ ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିବା ରିପୋର୍ଟ ହସ୍ତଗତ ହୋଇଛି। ଏହାକୁ ପ୍ରତ୍ୟାହାର କରିବାକୁ ଶ୍ରୀକାନ୍ତ ଜେନା ଚିଠିରେ ଅନୁରୋଧ କରିଛନ୍ତି । ସେ ଲେଖିଛନ୍ତି, ଦେଶର ସବୁ ବର୍ଗର ଲୋକେ ଏହି ଆଇନକୁ ବିରୋଧ କରୁଛନ୍ତି ।  ସବୁ ବର୍ଗଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ସିଏଏ ଓ ଏନପିଆରକୁ ପ୍ରତ୍ୟାହାର କରନ୍ତୁ ।  ଭାରତର ସମ୍ବିଧାନ ସ୍ପଷ୍ଟ ଯେ ଧର୍ମକୁ ଭିତ୍ତିକରି କୌଣସି ଆଇନ ପ୍ରଣୟନ କରାଯାଇ ପାରିବନାହିଁ । ସବୁଧର୍ମ, ସବୁବର୍ଣ୍ଣ, ସବୁଭାଷାର ସମନ୍ବୟରେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ସମଗ୍ର ବିଶ୍ବରେ ଆମର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଆଜି ସେହି ପରମ୍ପରା ଓ ପରିଚୟକୁ ଲିଭାଇବାକୁ ଏକ ଅପଚେଷ୍ଟା ଚାଲିଛି ବୋଲି ଉଲ୍ଲେଖ କରିଛନ୍ତି ।

Spread the love