ସିଏଏ ଅଲବତ୍ ଲାଗୁ ହେବ, ପଶ୍ଚିମବଙ୍ଗରେ କହିଲେ ଅମିତ ଶାହା

କୋଲକାତା: ଆସନ୍ତା ବର୍ଷ ଏପ୍ରିଲ-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ରାଜନୀତିର ମଞ୍ଚ ସରଗରମ ହେବାରେ ଲାଗିଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ରାଜ୍ୟରେ ଲୋକସଭା ନିର୍ବାଚନ ପ୍ରଚାର ଆରମ୍ଭ କରିଛି। ଏହି ଅବସରରେ ଏକ ରାଲିକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ କରିବେ ଏବଂ ଏହାକୁ କେହି ରୋକିପାରିବେ ନାହିଁ। ଏହି ଅବସରରେ ତୁଷ୍ଟୀକରଣ, ଅନୁପ୍ରବେଶ, ଦୁର୍ନୀତି ଏବଂ ରାଜନୈତିକ ହିଂସା ଭଳି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିବା ସହ ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ସରକାରକୁ ଉଚ୍ଛେଦ କରି ବିଜେପିକୁ ନିର୍ବାଚିତ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଏହି ସମାବେଶରେ ବିପୁଳ ଜନସମାଗମ କୁ ନେଇ ଖୁସି ବ୍ୟକ୍ତ କରି ସେ କହିଛନ୍ତି ଯେ ଏହା ଲୋକଙ୍କ ମନକୁ ପ୍ରତିଫଳିତ କରୁଛି। ୨୦୨୬ରେ ବିଜେପି ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ରାଜ୍ୟରେ କ୍ଷମତାକୁ ଆସିବ ବୋଲି ସେ ଦାବି କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ରାଜ୍ୟରେ ବିଜେପିର ପ୍ରଦର୍ଶନ ବିଧାନସଭା ନିର୍ବାଚନରେ ବିଜୟର ମୂଳଦୁଆ ପକାଇବ ବୋଲି ଶାହା କହିଛନ୍ତି।

Spread the love