ଆଇଏନ୍ଏଇର ବାର୍ଷିକ ସମ୍ମିଳନୀ ଉଦ୍ଘାଟିତ, ଇସ୍ପାତ ଉତ୍ପାଦନ ବେଳେ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଆହ୍ୱାନ
ଭୁବନେଶ୍ୱର,୦୯/୧୨: ସାରା ବିଶ୍ୱ ଜଳବାୟୁ ପରିବର୍ତନ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ଶିଳ୍ପ ଗୁଡିକର ଦାୟିତ୍ୱ ବୃଦ୍ଧି ପାଇଛି । ଏହି ଦୃଷ୍ଟିରୁ ଇସ୍ପାତ ଉତ୍ପାଦନ ନିମନ୍ତେ ଉଦ୍ଜାନର ବ୍ୟବହାର ଦ୍ୱାରା ‘କାର୍ବନ ଫୁଟପ୍ରିଂଟ’ କୁ ଉଲ୍ଲେଖନୀୟ ଭାବେ ହ୍ରାସ କରାଯାଇପାରିବ ବୋଲି ଶନିବାର ଟାଟା ଷ୍ଟିଲ୍ ର ସିଇଓ ତଥା ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଟି.ଭି. ନରେନ୍ଦ୍ରନ କହିଛନ୍ତି। ଉଦ୍ଜାନ ବ୍ୟବହାର ଇସ୍ପାତ ଶିଳ୍ପକୁ ଏକ ପରିବେଶ ଅନୁକୂଳ ଭବିଷ୍ୟତକୁ ସ୍ଥାନାନ୍ତରିତ କରିବାରେ ସାହାଯ୍ୟ କରିପାରିବ ବୋଲି ଏଠାରେ ଇଣ୍ଡିଆନ ନ୍ୟାସନାଲ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନ୍ଏଇ) ର ୩ ଦିନିଆ ବାର୍ଷିକ ସଭାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ନରେନ୍ଦ୍ରନ୍ ମତ ପ୍ରକାଶ କରିଛନ୍ତି। ଇସ୍ପାତ ପ୍ରସ୍ତୁତି ପ୍ରକ୍ରିୟାରେ ଗ୍ରୀନ୍ ହାଉସ୍ ଗ୍ୟାସର ନିର୍ଗମନ ବିଶ୍ୱର ସମଗ୍ର କାର୍ବନ ଫୁଟପ୍ରିଂଟର ପ୍ରାୟ ୮ ପ୍ରତିଶତ ଅଟେ। ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ ପରିବେଶ ର ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ନିମନ୍ତେ ପ୍ରତିଶୃତିବଦ୍ଧ ବୋଲି ସେ କହିଥିଲେ । ଏହି ବାର୍ଷିକ ସଭା ଶିକ୍ଷା ଓ ଅନୁସନ୍ଧାନ( ସୋଆ) ଠାରେ ଅନୁଷ୍ଠିତ ହେଉଛି । ଏହାକୁ ସୋଆ, ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୁବନେଶ୍ୱର ସିଏସଆଇଆର – ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲସ୍ ଆଣ୍ଡ ମ୍ୟାଟେରିଆଲସ ଟେକ୍ନୋଲୋଜି , ଭୁବନେଶ୍ୱର ଓ ଆଇଏନ୍ଏଇ ଭୁବନେଶ୍ୱର ଚାପ୍ଟର ଦ୍ୱାରା ମିଳିତ ଭାବେ ଆୟୋଜିତ କରାଯାଇଛି । ଆଇଏନ୍ଏଇ ଏକ ସ୍ୱୟଂଶାସିତ ପେଷାଦାର ସଂସ୍ଥା ଯେଉଁଥିରେ ଦେଶର ବିଶିଷ୍ଟ ଯନ୍ତ୍ରୀ, ଯନ୍ତ୍ରୀ- ବିଜ୍ଞାନୀ ଓ ଟେକ୍ନୋଲୋଜିଷ୍ଟ ମାନେ ସଂପୃକ୍ତ ଅଟନ୍ତି| ଉଦ୍ଘାଟନୀ ଉତ୍ସବରେ ଆଇଏନ୍ଏଇ ର ସଭାପତି ପ୍ରଫେସର ଇନ୍ଦ୍ରନୀଳ ମାନ୍ନା ପୌରହିତ୍ୟ କରିଥିବା ବେଳେ ଆଇଏନ୍ଏଇ ର ଭୁବନେଶ୍ୱର ଚାପ୍ଟର ର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଓ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇଥିଲେ ।ଶ୍ରୀ ନରେନ୍ଦ୍ରନ୍ ନିଜ ବକ୍ତବ୍ୟରେ କହିଥିଲେ ଯେ ସବୁଜ ଜ୍ଞାନକୌଶଳ କୁ ସଂପୂର୍ଣ୍ଣ ଭାବେ ଗ୍ରହଣ କରିବା ଏକ ଆହ୍ୱାନ ମାତ୍ର ଟାଟା ଷ୍ଟିଲ ଏଥି ନିମନ୍ତେ ପଦକ୍ଷେପ ନେବା ଆରମ୍ଭ କରିଛି । ଟାଟା ଷ୍ଟିଲ ଏଥି ନିମନ୍ତେ ନିଜର ଜାମସେଦ୍ପୁର ସ୍ଥିତ ଇସ୍ପାତ ଶିଳ୍ପରେ ଏକ ପାଇଲଟ ପ୍ରୋଜେକ୍ଟ ମାଧ୍ୟମରେ ଉଦ୍ଜାନ ବ୍ୟବହାର କରି କିପରି ଇସ୍ପାତ ଉତ୍ପାଦନ କରାଯାଇପାରିବ ତାହାର ପରୀକ୍ଷା କରିଥିଲେ । ଏହାଦ୍ୱାରା ଗ୍ରୀନ ହାଉସ୍ ଗ୍ୟାସ ନିର୍ଗମନକୁ କମ କରାଯାଇପାରିବ ବୋଲି ସେ କହିଥିଲେ । ଭାରତ ପୃଥିବୀରେ ଇସ୍ପାତ ଉତ୍ପାଦନରେ ଚୀନ ପଛକୁ ଦ୍ୱିତୀୟ ସ୍ଥାନ ରେ ରହିଥିବା ବେଳେ ଚୀନ ନିଜର ଉତ୍ପାଦନକୁ କ୍ରମାଗତ ଭାବେ ବୃଦ୍ଧି କରି ଚାଲିଛି । ଚୀନ ର ବାଓଷ୍ଟିଲ କମ୍ପାନୀ ଏକାକୀ ଭାରତର ମୋଟ ଇସ୍ପାତ ଉତ୍ପାଦନରୁ ଅଧିକ ଉତ୍ପାଦନ କରୁଛି ବୋଲି ସେ କହିଥିଲେ । ଶ୍ରୀ ନରେନ୍ଦ୍ରନ କହିଥିଲେ ଯେ ଦେଶରେ ଇସ୍ପାତ ଉତ୍ପାଦନରେ ବୃଦ୍ଧି କେବଳ ପୂର୍ବ ଭାରତରେ ଘଟୁଛି । ମାତ୍ର ଏଠାରେ ଅନେକ ପରିଚାଳନାଗତ ଓ ବୈଷୟିକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଥାଏ। ଆଇଏନ୍ଏଇ ର ସଭାପତି ପ୍ରଫେସର ମାନ୍ନା କହିଥିଲେ ଯେ ଏହି ପ୍ରମୁଖ ସଂସ୍ଥାରେ ୯୧୯ ଫେଲୋ ଥିବାବେଳେ ୯୯ ଜଣ ବିଦେଶୀ ଫେଲୋ ଅଛନ୍ତି । ଏହି ସଭାରେ ଆହୁରି ୪୮ ଜଣଙ୍କୁ ଫେଲୋ ଭାବେ ଗ୍ରହଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଆଇଏନ୍ଏଇର ପୂର୍ବତନ ସଭାପତି ତଥା ତିରୁଭାନନ୍ତପୁରମ୍ ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସସ ଆଣ୍ଡ ଟେକ୍ନୋଲୋଜି ର କୁଳାଧିପତି ଡକ୍ଟର ବି.ଏନ୍. ସୁରେଶଙ୍କ ଦ୍ୱାରା ଲିଖିତ ପୁୂସ୍ତକ ‘ଡାଇଭର୍ସ ସ୍ପେସ ଆପ୍ଳିକେସନ୍’ ଏହି ଅବସରରେ ଉନ୍ମୋଚିତ ହୋଇଥିଲା। ଆଇଏନ୍ଏଇ ର ମେମ୍ବର ସେକ୍ରେଟାରୀ ଲେଫଟନାଂଟ କର୍ଣ୍ଣେଲ ଶୋଭିତ ରାଏ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।