ମାଲକାନଗିରିରେ ବିକାଶର ନଗ୍ନଚିତ୍ର, ଗର୍ଭବତୀଙ୍କୁ 30 କିମି ଖଟିଆରେ ବୋହିଲେ ଡାକ୍ତର

ମାଲକାନଗିରି ଜିଲ୍ଲାର ଗୋଡିଗଣ୍ଡି ଗାଁରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ 30 କିମି ଖଟିଆରେ ବୋହି ମାନବିକତାର ପରିଚୟ ଦେଇଛନ୍ତି 4 ଜଣ ଡାକ୍ତର। ପାହାଡ ପର୍ବତ ଘରେ ଗ୍ରାମକୁ ଗାଡି ଯିବାର ରାସ୍ତା ନଥିବାରୁ ତାଙ୍କୁ ଖଟିଆରେ ବୋହିଲେ ଡାକ୍ତର। ପ୍ରାୟ 8ଘଣ୍ଟା ଚାଲିବା ପରେ ଡାକ୍ତରଖାନାରେ ପହଞ୍ଚିଥିଲେ ଟିମ । ମହିଳାଜଣକ ପ୍ରସବ ବେଦନାରେ ଛଟପଟ ହେଉଥିବାବେଳେ ଠିକ୍ ସମୟରେ ମହିଳାଙ୍କୁ ଉପଯୁକ୍ତ ଚିତ୍କିସା କରି ଜୀବନ ବଞ୍ଚାଇଲେ ଡାକ୍ତର ରାଧେଶ୍ୟାମ ଜେନା ଓ ତାଙ୍କ ଟିମ। ଗତକାଲି ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଗ୍ରାମକୁ ଯାଇଥିବା କାଲିମେଳା ମେଡିକାଲ ଡାକ୍ତର ରାଧେଶ୍ୟାମ ଜେନା ଓ ତାଙ୍କ ଟିମ୍‌ ସଦସ୍ୟଙ୍କ ନଜରରେ ପଡ଼ିଥିଲା ଏପରି ଦୃଶ୍ୟ । ଗର୍ଭବତୀଙ୍କ କଷ୍ଟ ଦେଖି ନ ପାରି ଖଟିଆରେ ତାଙ୍କୁ ବୋହି 30 କି.ମି ପାହାଡ଼ ତଳକୁ ନେବାକୁ ସ୍ଥିର କଲେ ଡାକ୍ତର ଶ୍ରୀ ଜେନାଙ୍କ ଟିମ୍‌। ଏହା କଷ୍ଟକର ଜାଣି ମଧ୍ୟ ଜଣେ ଗର୍ଭବତୀ ଓ ତାଙ୍କ ଶିଶୁ ଜୀବନ ବଞ୍ଚାଇବା ଲକ୍ଷ୍ୟରେ ତାଙ୍କୁ ମେଡିକାଲ ନେବାକୁ ସାହସ ବାନ୍ଧିଲେ । ଡାକ୍ତରୀ ଟିମ୍‌ର ଏପରି ମହାନତା ଯୋଗୁ ଗୋଡିଗଣ୍ଡି ଅଞ୍ଚଳର ରୀନା ମାଡ଼ି ନାମ୍ନୀ ମହିଳାଙ୍କ ଜୀବନ ବଞ୍ଚିଯାଇଛି।

ଗାଁରେ ମହିଳାଙ୍କୁ ଗୋଟିଏ ସନ୍ତାନ ପ୍ରସବ କରିବା ପରେ ତାଙ୍କର ଯନ୍ତ୍ରଣା ଆହୁରି ବଢିଯାଇଥିଲା। ତାଙ୍କ ପେଟରେ ଆଉ ଏକ ଛୁଆ ଥିବା ଡାକ୍ତର ରାଧେଶ୍ୟାମ ଜାଣି ପାରି ତୁରନ୍ତ ତାଙ୍କୁ କାଲିମେଳା ମେଡିକାଲ ନେବାକୁ କହିଥିଲେ । କିନ୍ତୁ ଗାଁରେ କୋଣସି ପୁରୁଷ ଲୋକ ନ ଥିବାରୁ ଡାକ୍ତରୀ ଟିମ୍‌ ବିଳମ୍ବ ନ କରି ଏକ ଖଟିଆରେ ମହିଳାଙ୍କୁ ବୋହି ନେବା ପାଇଁ ସ୍ଥିରକଲେ । ଦିନ 12ଟାରୁ ସେମାନେ ପାହାଡ଼ିଆ ରାସ୍ତାରେ ଚାଲିଚାଲି ରାତି ୮ଟା ବେଳକୁ ସେମାନେ କାଲିମେଳା ଚିକିତ୍ସାଳୟରେ ପହଞ୍ଚିଥିଲେ।

Spread the love