ମୃତ ଦାଦନ ଶ୍ରମିକଙ୍କ ଶବଦାହ କରିବାକୁ ଦୁଇ ଗାଁ ମଧ୍ୟରେ ବିବାଦ

ଟଙ୍କା, ଜମି ଅବା ଧନସମ୍ପତିକୁ ନେଇ ବିବାଦ କଥା ଆମେ ଜାଣିଛେ । କିନ୍ତୁ ଶବକୁ ନେଇ ବିବାଦ କେବେ ଦେଖିନଥିବେ । ଗଞ୍ଜାମରେ ମୃତ ଦାଦନ ଶ୍ରମିକର ଶବକୁ ନେଇ ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଶବ ସତ୍କାର କରିବାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଉପୁଜିବା ପରେ ପୁଲିସ ଘଟଣାରେ ହସ୍ତକ୍ଷେପ କରିଛି । ଶେଷରେ ନିରପେକ୍ଷ ସ୍ଥାନରେ ଶବ ସତ୍କାର କରାଯାଇଛି ।ଗୋଟଏ ପଟେ ଜନ୍ମକଲା ମା ଓ ନିଜ ଭାଇମାନେ ଅନ୍ୟ ପଟେ ପାଳିତ ମା ଓ ପତ୍ନୀ ଘରଲୋକ । ଗଂଜାମ ସେରଗଡ ଅଂଚଳର ବଳରାମ ଦାସ । ସେରଗଡ଼ରେ ତାଙ୍କ ମା, ଭାଇମାନେ ରୁହନ୍ତି । କିନ୍ତୁ ୧୫ ବର୍ଷ ତଳେ ବଳରାମ ଧରାକୋଟ ବ୍ଲକ ତାଳପାଟଣା ଗ୍ରାମର ମାଉସି ସୋଲି ନାୟକଙ୍କ ପୁଅ ହୋଇ ଆସିଥିଲେ । ସେବେଠୁ ତଳପାଟଣାରେ ମାଉସୀ ଘରେ ରହିଆସୁଥିଲେ । ସେଠାରେ ତାଙ୍କର ବିବାହ ମଧ୍ୟ ହୋଇଥିଲା । ଏବେ ତଳପାଟଣାରେ ତାଙ୍କ ସ୍ତ୍ରୀ ଓ ୫ ମାସର ପୁତ୍ର ବି ରହୁଛନ୍ତି । ତେବେ ବଳାରାମ ଚେନ୍ନାଇରେ ୪ ବର୍ଷ ହେଲା ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।

ଗତ ରବିବାର ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସେ କାର୍ଯ୍ୟ କରୁଥିବା ସଂସ୍ଥା ତାଙ୍କର ମୃତଦେହକୁ ବଳରାମଙ୍କ ଆଧାରକାର୍ଡ ଠିକଣା ଅନୁଯାୟୀ ତାଳପାଟଣାକୁ ପଠାଇ ଦେଇôଥଲେ । ହେଲେ ଶବ ତାଳପାଟଣାରେ ପହଂଚିବା ପହଂଚିବା ବଳରାମଙ୍କ ନିଜ ଭାଇ ମାନେ ଓ ସମ୍ପର୍କୀୟ ମାନେ ପହଂଚିଥିଲେ । ବଳରାମଙ୍କ ଶବକୁ ସେରଗଡକୁ ନେଇ ଅନ୍ତିମ ସଂସ୍କାର କରିବାକୁ ସେମାନେ ଦାବି କରିଥିଲେ । ଯେହେତୁ ସେଠାରେ ତାଙ୍କ ନିଜ ଜନ୍ମକଲା ମା ଅଛି ଓ ଭାଇ ଭାଉଜ ମାନେ ଅଛନ୍ତି ତେଣୁ ତାଙ୍କୁ ସେରଗଡରେ ହିଁ ଦାହ କରାଯିବ । ଏପଟେ ତାଳପାଟଣାରେ ବଳରାମଙ୍କ ପାଳିତ ମା ଘର ଦାବି କରିଥିଲେ ବଳରାମଙ୍କ ସ୍ତ୍ରୀ ଓ ଛୁଆ ଏଠାରେ ଅଛନ୍ତି ତାଙ୍କ ଶବ ତାଳପାଟଣାରେ ହିଁ ସତ୍କାର ହେବ ବୋଲି କଥା ଉଠିଥିଲା ।

ଏହାରି ଭିତରେ ବଳରାମଙ୍କ ଭାଇମାନେ ତାଙ୍କ ଶବକୁ ସେରଗଡ ନେଇ ଚାଲିଯାଇଥିଲେ । ଶେଷରେ ପୁଲିସ ଘଟଣାସ୍ଥଳରେ ପହଂଚି ଉଭୟ ପକ୍ଷକୁୁ ବୁଝାଇଥିଲେ । ଶେଷରେ ସେରଗଡ଼ ଅବା ତଳପାଟଣା ପରିବର୍ତେ ଆସିକା ଋଷିକୁଲ୍ୟା ନଦୀର ସଙ୍ଗମ ସ୍ଥଳରେ ଶବଦାହ କରାଯାଇଥିଲା । କିନ୍ତୁ ବଳରାମଙ୍କ ସ୍ତ୍ରୀ ଓ ଛୁଆର କିଏ ଭରଣପୋଷଣ କରିବ ତାକୁ ନେଇ ଚିନ୍ତା ବଢିଛି ।

Spread the love