ଡାକ୍ତରଖାନରେ ଅଜଣା ଯୁବତୀ ଦେଉଛନ୍ତି ଇଞ୍ଜେକସନ୍

ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁଁ 2 ବର୍ଷ ତଳେ ମେଡିକାଲ ପରିସର‌ରୁ ଏକ ନବଜାତ ଶିଶୁ ପୁତ୍ର ଚୋରି ହୋଇଯିବା ପରେ ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା। କିନ୍ତୁ ଏବେ ଖୋଦ୍‌ ସୁରକ୍ଷାକର୍ମୀଙ୍କ ସହ ଜଣେ ଅଜଣା ଯୁବତୀ ଆସି ୱାର୍ଡରେ ରୋଗୀଙ୍କୁ ଇଞ୍ଜେକ୍ସନ ଓ ସାଲାଇନ୍‌ ଦେଇ ଚାଲି ଯାଇଥିବା ଅଭିଯୋଗ ହୋଇଛି। ତେବେ ଉକ୍ତ ମହିଳା କିଏ ଓ ସେ କାହିଁକି ୱାର୍ଡକୁ ଆସି ରୋଗୀଙ୍କୁ ଇଞ୍ଜେସନ ଦେଲେ ସେ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷ କି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନିକଟରେ କୌଣସି ଉତ୍ତର ନାହିଁ। ଏଭଳି ସ୍ଥିତିରେ କୌଣସି ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ‌ହୋଇଥିଲେ ତାହା ପାଇଁ ଦାୟୀ କିଏ ହୋଇଥାନ୍ତା ବୋଲି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

 ସୂଚନା ମୁତାବକ, ଶନିବାର ରାତି ପ୍ରାୟ 12ଟା 55 ମିନିଟରେ ଜିଲ୍ଲା ଚିକିତ୍ସାଳୟର ଶଲ୍ୟ ବିଭାଗର 91 ନଂ ରୁମ୍‌କୁ ନାରଙ୍ଗୀ ରଙ୍ଗର ସାଲୱାର ସୁଟ ପିନ୍ଧିଥିବା ଜଣେ ଯୁବତୀ ପଶିଥିଲେ। ହାତରେ ଥିଲା ରୋଗୀଙ୍କୁ ଦେବା ପାଇଁ ଉଦ୍ଦିଷ୍ଟ ଇଞ୍ଜେକ୍ସନ ଓ ସାଲାଇନ୍‌। ପ୍ରଥମେ ବିନା ଆପ୍ରୋନ୍‌ରେ ଜଣେ ଦିଦି କିଭଳି ଇଞ୍ଜେକ୍ସନ ଦେବାକୁ ଆସିଛନ୍ତି ବୋଲି ରୋଗୀ ତଥା ତାଙ୍କ ସମ୍ପର୍କୀୟମାନେ ଭାବୁଥିଲେ। ତେବେ ଉକ୍ତ ଯୁବତୀ ଆସି ନିଜକୁ ନର୍ସ ବୋଲି ପରିଚୟ ଦେବା ସହିତ ଦିଦି ଅନୁପସ୍ଥିତ ଥିବାରୁ ତାଙ୍କୁ ପଠାଇଥିବା ରୋଗୀଙ୍କୁ କହିଥିଲେ। ମେଡିକାଲର ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ମଧ୍ୟ ସାଙ୍ଗରେ ଥିବା‌ରୁ କେହି ବିଶେଷ ସନ୍ଦେହ କରିନଥିଲେ। ପରେ ଉକ୍ତ ଯୁବତୀ ଆସି ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ବାହାରକୁ ଯିବାକୁ କହିଥିଲେ।

କିଛି ରୋଗୀଙ୍କ ସହ ଦୁର୍ବ୍ୟବହାର ମଧ୍ୟ କରିଥିଲେ ବୋଲି ଜଣେ ରୋଗୀ କହିଛନ୍ତି। 91 ନଂ ରୁମର 121 ନଂ ବେଡରେ ଥିବା ରାହୁଲ ଖୁଣ୍ଟୁଲିଙ୍କୁ ଉକ୍ତ ଯୁବତୀ ପ୍ରଥମେ ଏକ ଏନ୍‌ଏସ୍‌ ସାଲାଇନ୍‌ ଦେବା ପରେ 122 ନଂରେ ଥିବା ରମେଶ କୁମୁରାଙ୍କୁ ଇଞ୍ଜେକ୍ସନ ଦେଇଥିଲେ। ତେବେ 92 ନଂ ରୁମ୍‌ର ଅନନ୍ତ ବଗର୍ତ୍ତିଙ୍କୁ ସେ ସାଲାଇନ୍‌ ଦେବାକୁ ଯିବା ବେଳେ ତାଙ୍କୁ ଉକ୍ତ ଯୁବତୀ ନର୍ସ ନୁହନ୍ତି ବୋଲି ସନ୍ଦେହ ହୋଇଥିଲା। ତାଙ୍କର ପାଦ ଫୁଲି ଯାଉଥିବାରୁ ସାଲାଇନ୍‌ ଦେବାକୁ ତାଙ୍କୁ ଡାକ୍ତର ମନା କରିଥିଲେ ତେଣୁ ଦିଦି କିଭଳି ଭାବେ ଜବରଦସ୍ତ ସାଲାଇନ୍‌ ଦେଉଛନ୍ତି ବୋଲି ସେ ପାଟି କରିବା ପରେ ଯୁବତୀ ଜଣଙ୍କ ସେଠାରୁ ଚାଲି ଯାଇଥିଲେ। 10 ମିନିଟ ମଧ୍ୟରେ ପ୍ରାୟ 8 ଜଣ ରୋଗୀଙ୍କୁ ମନଇଚ୍ଛ‌ା ଇଞ୍ଜେକ୍ସନ ଓ ସାଲାଇନ୍‌ ଦେଇଥିଲେ।

Spread the love